ଶ୍ରୀଜିଉଙ୍କ ଦାରୁ ଚୟନ ବେଳେ ଟଙ୍କା କାରବାର ହୋଇଥିବା ଅଭିଯୋଗ କଲେ ଦେବଦଳନ ରଥର ମୁଖ୍ୟବିଶ୍ୱକର୍ମା, ଅସ୍ବୀକାର କଲା ଦଇତାପତି ନିଯୋଗ

ପୁରୀ : ଶ୍ରୀଜୀଉଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମବିଭାଟ ନେଇ ଗତକାଲି ୧୧ ଜଣଙ୍କୁ ନୋଟିସ ହେବା ପରେ ମୁହଁ ଖୋଲିଛନ୍ତି ଦେବଦଳନ ରଥର ମୁଖ୍ୟବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା। ବ୍ରହ୍ମବିଭ୍ରାଟ ଘଟଣାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏହି ନୋଟିସ ଜାରି ହୋଇ ଥିବାରୁ ସେ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ‘ବିଶ୍ୱକର୍ମାଙ୍କ ପକ୍ଷରୁ ବିଳମ୍ବ କୌଣସି ହୋଇ ନ ଥିଲା। ବିଳମ୍ବ ପାଇଁ ଦଇତାପତି ସେବାୟତ ହିଁ ଦାୟୀ। ବିଶ୍ୱକର୍ମାଙ୍କୁ ନିନ୍ଦିତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ମୋ ପାଖକୁ ନୋଟିସ୍‌ ଆସିନାହିଁ। ଆସିବା ପରେ ମୁଁ ଏହାର ଉତ୍ତର ଦେବି।’

ଏଥିସହ ଶ୍ରୀଜିଉଙ୍କ ଦାରୁ ଚୟନ ନେଇ ହୋଇଥିବା ଅନିୟମିତତା ଉପରୁ ସେ ପରଦା ହଟାଇଛନ୍ତି। ସେ ଅଭିଯୋଗ କରିଛନ୍ତି କି ଦାରୁ ଚୟନରେ ଟଙ୍କା କାରବାର ହୋଇଛି। ସେ କହିଛନ୍ତି, ‘ଯିଏ ଟଙ୍କା ଦେଲା, ତାଙ୍କ ଦାରୁ ଚିହ୍ନଟ ହେଲା। ଚିହ୍ନଟ ଦାରୁ ପୋଲା ଥିଲା। ଏକଥା ଶ୍ରୀବିଗ୍ରହ ନିର୍ମାଣ ବେଳେ ଆମେ ଜଣାଇଥିଲୁ। ଏହା ସତ୍ତ୍ୱେ ଦଇତାପତିମାନେ କିଛି ପଦକ୍ଷେପ ନେଇ ନ ଥିଲେ।’

ଅନ୍ୟପକ୍ଷରେ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗକୁ ବିରୋଧ କରିଛି ଦଇତାପତି ନିଯୋଗ। ଦଇତାପତି ନିଯୋଗର ସହସଂପାଦକ ବିନାୟକ ଦାସମହାପାତ୍ର କହିଛନ୍ତି, ‘କୃଷ୍ଣଚନ୍ଦ୍ର ମହାରଣାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ସେଥିରେ କିଛି ବି ସତ୍ୟତା ନାହିଁ। ଦାରୁ ଚୟନ ସହ ଅନ୍ୟ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ କରାଯାଇଛି । କୃଷ୍ଣ ମହାରଣା ଦାରୁ ଚୟନ, ବିଗ୍ରହ ନିର୍ମାଣରେ କୃଷ୍ଣ ସଂପୂର୍ଣ୍ଣ ଅସହଯୋଗ କରିଥିଲେ।’

ସୂଚନାଯୋଗ୍ୟ, ୨୦୧୫ରେ ଶ୍ରୀଜିଉଙ୍କର ନବକଳେବର ବେଳେ ବ୍ରହ୍ମ ପରିବର୍ତ୍ତନ କରାଯାଇଥିଲା। ଏହି ବ୍ରହ୍ମ ପରିବର୍ତ୍ତନରେ ଅହେତୁକ ବିଳମ୍ବ ହୋଇଥିଲା। ଘଟଣାର ତଦନ୍ତ କରି ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଗତକାଲି ୧୧ ଜଣଙ୍କୁ ନୋଟିସ୍‌ କରିଛି।

ସମ୍ବନ୍ଧିତ ଖବର