ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ବାଳଧୂପ ନୀତି ଆରମ୍ଭ ହୋଇଛି। ଶ୍ରୀଜିଉ ଆଜିଠାରୁ ରାଧାଦାମୋଦର(ରାଈଦାମୋଦର) ବେଶରେ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଆଜି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଲୋକାରଣ୍ୟ ଥିଲା। ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଆଜି ସକାଳୁ ଭକ୍ତମାନେ ସିଂହଦ୍ବାରରେ ଭିଡ଼ ଲଗାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।

Advertisment

ପ୍ରତିବର୍ଷ ଭଳି ଚଳିତବର୍ଷ ଶ୍ରୀମନ୍ଦିରରେ ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ଧରି ପ୍ରତିଦିନ ଶ୍ରୀଜିଉ ରାଧାଦାମୋଦର ବେଶରେ ଦର୍ଶନ ଦେବେ। ଚଳିତ ବର୍ଷ ‌ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ଅନୁ‌ଷ୍ଠିତ ହେବ। ଅକ୍ଟୋବର ୨୯ରୁ କାର୍ତ୍ତିକ ବ୍ରତ ଆରମ୍ଭରୁ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନଭେମ୍ବର ୨୦ରେ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେ‌ଶ ଏବଂ ହରି ଉତ୍‌ଥାପନ ନୀତି, ନଭେମ୍ବର ୨୪ରେ ବାଙ୍କଚୁଡ଼ ବା ବାମନ ବେଶ, ନଭେମ୍ବର ୨୫ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୨୬ରେ ଲକ୍ଷ୍ମୀନୃସିଂହ ବେଶ, ନଭେମ୍ବର ୨୭ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଏହିଦିନ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ।