ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଫୁଙ୍ଗୁଳା ଦିଶୁଥିଲା। ଏବେ ପ୍ରଭୁ ପତିତପାବନଙ୍କ ମନ୍ଦିର ଗୁମୁଟ ବି ଫୁଙ୍ଗୁଳା ଦିଶୁଛି। ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି କୁଆଡ଼େ ଗାଏବ୍ ହୋଇଯିବା ପରେ ଏଭଳି ଫୁଙ୍ଗୁଳା ଦୃଶ୍ୟ ଭକ୍ତ ମହଲକୁ ଆଲୋଡ଼ିତ କରିଛି। କେବେଠୁ ଏହି ମୂର୍ତ୍ତି ଗାଏବ୍ ହେଲାଣି ସ୍ପଷ୍ଟ ହୋଇନଥିଲେ ବି ତିନି ମାସ ତଳର ଫଟୋରେ ଦଶାବତାର ମୂର୍ତ୍ତି ସ୍ପଷ୍ଟ ଦୃଶ୍ୟମାନ ହେଉଥିବାରୁ ଦୁଇ ତିନି ମାସ ଭିତରେ ହିଁ ଦଶାବତାର ମୂର୍ତ୍ତି କାଢ଼ି ନିଆଯାଇଥିବା ଅନୁମାନ କରାଯାଉଛି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତମାନେ ଏହାର ଜବାବ ମାଗିଛନ୍ତି। କିଏ, କେଉଁ ପରିସ୍ଥିତିରେ ଦଶାବତାର ମୂର୍ତ୍ତି କାଢ଼ିଲେ, ସାର୍ବଜନୀନ ହେବା ଦରକାର ବୋଲି ଦାବି ଉଠିଛି।
ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ଯବନଙ୍କୁ ବିବାହ କରିବାରୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିନଥିଲା। ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜାଙ୍କ ପାଇଁ ପତିତପାବନଙ୍କୁ ସିଂହଦ୍ବାର ଗୁମୁଟରେ ପ୍ରତିଷ୍ଠା କରାଯାଇଥିଲା। ସେବେଠୁ ଯେଉଁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ପାରୁନାହାନ୍ତି, ସେମାନେ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି। ପତିତପାବନଙ୍କ ମନ୍ଦିର ଗୁମୁଟରେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଭଳି ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୁଦ୍ଧ ଓ କଳ୍କୀଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ଥାନିତ କରାଯାଇଥିଲା। କିନ୍ତୁ ଏହାକୁ କେହି କାଢ଼ି ନେଇଛି। ଫଳରେ ପତିତପାବନଙ୍କ ମନ୍ଦିର ଗୁମୁଟ ଖାଲି ଖାଲି ଦିଶୁଛି।
ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡା. ଭାସ୍କର ଚନ୍ଦ୍ର ମିଶ୍ର କହିଛନ୍ତି, ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ ଶାସନ କାଳରେ ଆନୁମାନିକ ୧୭୩୨ରୁ ୧୭୪୩ ଖ୍ରୀଷ୍ଟାବ୍ଦ ଭିତରେ ପତିତପାବନଙ୍କୁ ପ୍ରତିଷ୍ଠା କରାଯାଇଥିଲା। ଦ୍ବିତୀୟ ରାମଚନ୍ଦ୍ର ଦେବ ବିଧର୍ମୀଙ୍କୁ ବିବାହ କରିବା ପରେ ଶ୍ରୀମନ୍ଦିର ପ୍ରବେଶ ଅନୁମତି ନ ମିଳିବାରୁ ରାଜଗୁରୁ ଓ ଅନ୍ୟମାନଙ୍କ ଅନୁରୋଧ କ୍ରମେ ରାଜାଙ୍କ ପାଇଁ ପତିତପାବନଙ୍କୁ ପ୍ରତିଷ୍ଠା କରାଯାଇଥିଲା। ପତିତପାବନଙ୍କ ମୂର୍ତ୍ତି ଝୁଣା, ଅଠା ଆଦିରେ ତିଆରି। କୌଣସି କାଠରେ ପତିତପାବନ ମୂର୍ତ୍ତି ତିଆରି ହୋଇନି। ସଠିକ୍ ଭାବେ କହି ନ ପାରିଲେ ବି ପତିତପାବନଙ୍କ ମୂର୍ତ୍ତି ପ୍ରତିଷ୍ଠା ପରେ ପତିତପାବନଙ୍କ ମନ୍ଦିର ତିଆରି ହୋଇଛି। କିନ୍ତୁ ଦଶାବତାର ମୂର୍ତ୍ତି କେବେ ସ୍ଥାନିତ ହୋଇଛି, ସ୍ପଷ୍ଟ କହିପାରିବିନି ବୋଲି ଡା. ମିଶ୍ର କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡା. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ପତିତପାବନଙ୍କ ଏହି ମୂର୍ତ୍ତି କେଉଁଆଡ଼େ ଗଲା, ସାର୍ବଜନୀନ ହେବା ଦରକାର। କାରଣ ପୂର୍ବରୁ ସିଂହଦ୍ବାର ଗୁମୁଟରୁ ଦଶାବତାର ମୂର୍ତ୍ତି କାଢ଼ି ନିଆଯାଇଥିଲା। ମୂର୍ତ୍ତି ବିବାଦ କାରଣରୁ ଏବେ ବି ଏହା ଲାଗିପାରିନି। ଏବେ ପତିତପାବନଙ୍କ ମନ୍ଦିର ଦଶାବତାର ମୂର୍ତ୍ତି କୁଆଡ଼େ ଗଲା, ସମସ୍ତେ ଜାଣିବା ଦରକାର ବୋଲି ଡା. ଦାଶ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୨ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିରରୁ ଚୁନ ଛଡ଼ାଇବା ସମୟରେ ସିଂହଦ୍ବାରରେ ଥିବା ଦଶାବତାର ମୂର୍ତ୍ତି ଭାଙ୍ଗି ପଡ଼ିଥିଲା। ପରେ ଦଶାବତାର ଭାବେ ସିଂହଦ୍ବାର ଗୁମୁଟରେ ସ୍ଥାନ ପାଇଥିବା ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୁଦ୍ଧ ଓ କଳ୍କୀଙ୍କ ମୂର୍ତ୍ତିକୁ ଖୋଲି ଦେଇଥିଲା ପ୍ରତ୍ନତତ୍ତ୍ବ ବିଭାଗ। ୧୩ ଶହ ଶତାବ୍ଦୀର ଏହି ଦଶାବତାର ମୂର୍ତ୍ତିକୁ ଖୋଲିଦେବା ପରେ ସେବାୟତ, ବୁଦ୍ଧିଜୀବୀ, ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେ ସମୟରେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ତତ୍କାଳ ନୂଆ ମୂର୍ତ୍ତି ସ୍ଥାପନ କରିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ନୂଆମୂର୍ତ୍ତି ଲାଗିବା ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଥିଲା। ଦଶାବତାର ମୂର୍ତ୍ତିର ନବମ ସ୍ଥାନରେ ରହିଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ବଦଳରେ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଲଗାଇବାକୁ ଯୋଜନା କରୁଥିବା ଅଭିଯୋଗ ଉଠିଥିଲା। ବୁଦ୍ଧିଜୀବୀ, ସେବାୟତ ବି ପ୍ରତ୍ନତତ୍ତ୍ବ ବିଭାଗର ଏହି କାର୍ଯ୍ୟକୁ ଦୃଢ଼ ବିରୋଧ କରିଥିଲେ। ଶ୍ରୀଜଗନ୍ନାଥ ଅବତାର ନୁହନ୍ତି, ଅବତାରୀ ବୋଲି ଦାବି କରିଥିଲେ। ସେବେଠୁ ସତେ ଯେପରି ଦଶାବତାର ମୂର୍ତ୍ତି ସ୍ଥାପନ ପ୍ରସଙ୍ଗ ଭୁଲିଯାଇଛି ପ୍ରତ୍ନତତ୍ତ୍ବ ବିଭାଗ। ୧୧ ବର୍ଷ ପରେ ବି ଏ ଦିଗରେ ତିଳେ ମାତ୍ର ଆଗେଇନି।