ପୁରୀ : ଶ୍ରୀମନ୍ଦିର ପରିସରରେ ପୂଜା ପାଉଥିବା ମା’ ଲକ୍ଷ୍ମୀଙ୍କ ମୁକୁଟକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଶ୍ରୀମନ୍ଦିର ପ୍ରଶାସନ ତାଲିକାରେ ନଥିବାରୁ ଏହା ମା’ ଲକ୍ଷ୍ମୀଙ୍କ ମନ୍ଦିରର ସଂପତ୍ତି ବୋଲି ସ୍ପଷ୍ଟ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନିଜ ପରିଚାଳନାଭୁକ୍ତ କରି ପୂର୍ବଭଳି ରୁପା ଉପରେ ସୁନାର ପ୍ରଲେପ ନଦେଇ ସଂପୂର୍ଣ୍ଣ ସୁନାରେ ତିଆରି କରିବା ଲାଗି ସ୍ଥିର କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଆଜି ଏହା ସ୍ପଷ୍ଟ କରିବା ସହ ମା’ଙ୍କ ମନ୍ଦିର ସଂପତ୍ତିର ପରିଚାଳନା ଦାୟିତ୍ୱ ବି ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେବ ବୋଲି କହିଛନ୍ତି।
ଶ୍ରୀ ଜେନା କହିଛନ୍ତି, ମା’ ଲକ୍ଷ୍ମୀଙ୍କ ମୁକୁଟ ଭାଙ୍ଗିବା ପରେ ଶ୍ରୀମନ୍ଦିର ପ୍ରଶାସନ ପାଖକୁ ସେବାୟତମାନେ ଖବର ଦେଇଥିଲେ। ସେତେବେଳେ ଏହା ସୁନା ପାଣି ଦିଆ ରୁପା କିରୀଟ ବୋଲି ଜଣାପଡ଼ିଥିଲା। ଏଣୁ ଆମେ ଏହାକୁ ସମ୍ପୂର୍ଣ୍ଣ ସୁନାରେ ତିଆରି କରିବା ପାଇଁ ଯୋଜନା କରିଥିଲୁ। ଏହି ପ୍ରକ୍ରିୟା ଜାରି ରହିଛି। ଆଲୋଚନା ଚାଲିଛି। ମା’ ବିମଳାଙ୍କ ମନ୍ଦିରର ସୁନା ଗହଣା ଯେଭଳି ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଛି ଓ ପ୍ରଶାସନର ନାଜିର ଯେଭଳି ଦାୟିତ୍ଵରେ ରହିଛନ୍ତି, ସେହିଭଳି ମା’ ଲକ୍ଷ୍ମୀଙ୍କ ମନ୍ଦିରର ପରିଚାଳନା ଶ୍ରୀମନ୍ଦିର ପ୍ରଶାସନ କରିବ। କେତେ ସୁନା ଦାନ ଆସୁଛି, କେଉଁ ଦାତା କ’ଣ ଦାନ ଦେଲେ ତାହାର ହିସାବ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହୁନାହିଁ। ଏହି ସବୁ ବ୍ୟବସ୍ଥାରେ କିଭଳି ଉନ୍ନତି କରିହେବ, ତାହାର ସବୁ ପରିଚାଳନାଗତ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।