ଭୋଗରାଇ: ପୁରୀ ଶ୍ରୀମନ୍ଦିର ଭଳି ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ହେବ ଏକ ଭବ୍ୟ ଜଗନ୍ନାଥ ମନ୍ଦିର। ପଶ୍ଚିମବଙ୍ଗ ସରକାର ଦୀଘା ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ବଢ଼ାଇବାକୁ ଯାଇ ଏଭଳି ଏକ ପଦକ୍ଷେପ ନେଉଥିବା ବେଳେ ମଙ୍ଗଳବାର ମନ୍ଦିରର ଶୁଭ ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ପଶ୍ଚିମବଙ୍ଗର ରାଜ୍ୟମନ୍ତ୍ରୀ ଅଖିଲ ଗିରି।
ପଶ୍ଚିମବଙ୍ଗ ସରକାରଙ୍କ ସହାୟକ କମ୍ପାନି ହିଡକୋକୁ ଏହି ମନ୍ଦିର ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦିଆ ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ବ ମେଦିନୀପୁର ଜିଲ୍ଲା ସଭାପତି ଦେବବ୍ରତ ଦାସ, ଜିଲ୍ଲା ମାଜିଷ୍ଟ୍ରେଟ୍ ପୂର୍ଣ୍ଣେନ୍ଦ୍ର ମାଜିଙ୍କ ସମେତ ହିଡକୋର ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦୀଘା ରେଳଷ୍ଟେସନ ନିକଟରେ ଜଗନ୍ନାଥ ସେବାଧାମ ଓ ସଂସ୍କୃତି କେନ୍ଦ୍ର ସ୍ଥାପନ ପାଇଁ ୨୨ ଏକର ଜମିର ଆବଶ୍ୟକତା ରହିଥିଲା। ଏଥିପାଇଁ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ୨୦ ଏକର ଜମି ଦେଇଥିବା ବେଳେ ମନ୍ଦିର ନିର୍ମାଣ ହେବାକୁ ଥିବା ଜମି ଚାରିପାଖରେ ପାଚେରି ଘେରା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ମନ୍ଦିର ନିର୍ମାଣ ଲାଗି ଶୁଭ ଦିଆଯାଇଥିବା ବେଳେ ନିର୍ମାଣକାରୀ କମ୍ପାନି ହିଡକୋ ପକ୍ଷରୁ ମନ୍ଦିରର ଡିଜାଇନ ମଧ୍ୟ ପ୍ରକାଶ ପାଇଛି।
ହିଡକୋର ଇଞ୍ଜିନିୟର ସୁମନ ନିୟୋଗୀଙ୍କ କହିବା ଅନୁଯାୟୀ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ଭଳି ସମାନ ଉଚ୍ଚତାର ଏହି ମନ୍ଦିର ନିର୍ମାଣ ହେବା ସହିତ ମନ୍ଦିର ସହ ଜଡ଼ିତ ସମସ୍ତ କାର୍ଯ୍ୟ କରାଯିବ। ଏହି ମନ୍ଦିର ନିର୍ମାଣ ପାଇଁ ପଶ୍ଚିମବଙ୍ଗ ସରକାର ୨୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ତେବେ ଦୀଘା ପୁଲିସ ଥାନା ସମ୍ମୁଖ ସମୁଦ୍ର କୂଳରେ ଥିବା ପୁରୁଣା ଜଗନ୍ନାଥ ମନ୍ଦିରର ନବୀକରଣ କରି ମାଉସୀମା ମନ୍ଦିର ନିର୍ମାଣ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଗିରି ପ୍ରସ୍ତାବ ରଖିଥିଲେ। ଉକ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁମୋଦନ ପାଇଁ ପଠାଯିବା ସହିତ ଅନୁମୋଦନ ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ସୁଦ୍ଧା ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା ମାଜିଷ୍ଟ୍ରେଟ ପୂର୍ଣ୍ଣେନ୍ଦ୍ର ମାଜି କହିଛନ୍ତି। ମନ୍ଦିର ନିର୍ମାଣ ସରିବା ପରେ ମୁଖ୍ୟମନ୍ତ୍ରୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ କରିବେ ବୋଲି ଶ୍ରୀ ମାଜି ସୂଚନା ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗର ଦୀଘା ସୀମାନ୍ତ ଓଡ଼ିଶାର ଉଦୟପୁର, ତାଳସାରି ବେଳାଭୂମି ସହିତ ଚନ୍ଦନେଶ୍ବର ମନ୍ଦିର, ଭୂଷଣ୍ଡେଶ୍ବର ମହାଦେବଙ୍କ ମନ୍ଦିର ନିର୍ମାଣ କ୍ଷେତ୍ରରେ ଓଡ଼ିଶା ସରକାର ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ସୀମାନ୍ତ ସାହାବାଜିପୁର ଅଞ୍ଚଳରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ଲାଗି ଭୋଗରାଇବାସୀ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/13d4b277-e882-4a8e-a640-49038d119af6.jpg)