ପୁରୀ: ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଶନିବାର ରାତିରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛି। ପହଣ୍ଡି ଶେଷ ହେଲା ପରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିଜେ କରିଛନ୍ତି।
ଏଥି ସହିତ ଶ୍ରୀକ୍ଷେତ୍ରରେ ଚଳିତ ବର୍ଷର ରଥଯାତ୍ରା ଶେଷ ହୋଇଛି। ବଡ଼ଦାଣ୍ଡରେ ପତିତଜନଙ୍କୁ ଦର୍ଶନ ଦେଇ ରତ୍ନସିଂହାସନକୁ ବାହୁଡ଼ିଛନ୍ତି। ତିନି ଠାକୁର ଜୁଲାଇ ୨ ତାରିଖରୁ ରତ୍ନବେଦିରେ ଭକ୍ତଙ୍କୁ ଦର୍ଶନ ଦେବେ। ଆନନ୍ଦ ବଜାରରେ ଭକ୍ତଙ୍କୁ ନୀଳାଚଳ ଅବଢ଼ା ମିଳିବ। ଦୈନଦିନ ଭଳି ଠାକୁରଙ୍କ ନୀତି ଶ୍ରୀମନ୍ଦିରରେ ଚାଲିବ।
ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ମା’ ଲକ୍ଷ୍ମୀ ଠାକୁରାଣୀ ବିମୁଖ ଥିଲେ। ଏହି କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ଶିକାର ହୋଇଥିଲେ। ଚାହାଣି ମଣ୍ଡପରୁ ମା’ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ନୀଳଦ୍ରି ବିଜେ ପୂର୍ବରୁ ସହଚରୀମାନଙ୍କ ଦ୍ବାରା ସିଂହଦ୍ୱାରକୁ ବନ୍ଦ କରି ଦେଇଥିଲେ। ଏହି ନୀତି ପାଳନ ଅବସରରେ କିଛି ସମୟ ପାଇଁ ସିଂହଦ୍ୱାର ବନ୍ଦ ରଖାଯାଇଥିଲା। ପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ସିଂହଦ୍ବାର ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କିନ୍ତୁ ଜଗମୋହନକୁ ପ୍ରବେଶ କରିବା ପରେ ପୁଣି ଥରେ ଜୟବିଜୟ ଦ୍ୱାରଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ ମହାପ୍ରଭୁ। ଶ୍ରୀମନ୍ଦିର ଜୟବିଜୟ ଦ୍ୱାରକୁ ମା’ ଲକ୍ଷ୍ମୀଙ୍କ ସହଚରୀମାନେ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପରେ ଜୟବିଜୟ ଦ୍ୱାର ଖୋଲିଥିଲା।
/sambad/media/post_attachments/wp-content/uploads/2021/07/jagannath-33.jpg)
ନୀଳାଦ୍ରି ବିଜେର ଅନ୍ୟତମ ବିଶେଷତ୍ୱ ଥିଲା ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ ମାନଭଞ୍ଜନ କରିଥିଲେ। ପ୍ରତିବର୍ଷ ହଜାର ହଜାର ଭକ୍ତ ଏହି ସମୟରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରିଥାନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବା ପାଇଁ ରସଗୋଲା ଭୋଗ ଲାଗି କରିବା ବିଶ୍ୱାସ ଥିବାରୁ ବିଶେଷ କରି ନବବିବାହିତ ଦମ୍ପତିଙ୍କ ଭିଡ଼ ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/9a6a7c7b-1290-4937-ab40-1b097ef9d91f-750x430-1.jpg)