ଭୁବନେଶ୍ୱର/ପୁରୀ/କଟକ: ସୋସିଆଲ୍ ମିଡିଆରେ ବୁଲୁଛି ଶ୍ରୀମନ୍ଦିର ଗର୍ଭଗୃହ ଫଟୋ। ଗର୍ଭଗୃହ ପରି ଏକ ସମ୍ବେଦନଶୀଳ ତଥା ନିଷିଦ୍ଧାଞ୍ଚଳ ଫଟୋ ଏବେ ସାବର୍ଜନୀନ ହୋଇଛି। ଜଣେ ସରକାରୀ ଅଧିକାରୀ ହିଁ ଏହି ଫଟୋ ଅପ୍ଲୋଡ୍ କରିଛନ୍ତି। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦିଓ ଅଧିକାରୀ ଜଣଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି, ତେବେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ସଂସ୍କାର କମିସନ୍ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ରିପୋର୍ଟ ତଲବ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଫଟୋ ଅପ୍ଲୋଡ୍ କରିଥିବା ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ସଦାନନ୍ଦ ଶର୍ମା। ସେ ଧାନବାଦ୍ର ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ୨୦୧୬ ମସିହାରେ ଜଗମୋହନ ମରାମତି ବାବଦରେ ପରାମର୍ଶ ଦେବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏଏସ୍ଆଇ, ଧାନବାଦ୍ର ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ, ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଜ୍ର ବରିଷ୍ଠ ବୈଜ୍ଞାନିକ ଓ ଗବେଷକ ଶ୍ରୀମନ୍ଦିର ଯାଇ ଯାଞ୍ଚ କରିଥିଲେ। ଏହି ଦଳରେ ସଦାନନ୍ଦ ଶର୍ମା ରହିଥିଲେ। ସେଠାରେ କାମ କରୁଥିବା ସମୟର ବିଭିନ୍ନ ଫଟୋ ଶ୍ରୀ ଶର୍ମା ଉଠାଇଥିଲେ। ସେତେବେଳେ ସେ ଗଣମାଧ୍ୟମକୁ କହିଥିଲେ, ଏହା ଏକ ସରକାରୀ ଗସ୍ତ। ଏଣୁ ଆମେ କେବଳ ସରକାରଙ୍କୁ ରିପୋର୍ଟ ଦେବୁ। ଏହାକୁ ସାର୍ବଜନୀନ କରାଯାଇ ପାରିବ ନାହିଁ।କିନ୍ତୁ ଶ୍ରୀମନ୍ଦିରରୁ ଫେରିଲା ପରେ ଶ୍ରୀ ଶର୍ମା ଫେସ୍ବୁକ୍ରେ ସେହି ଫଟୋଗୁଡ଼ିକୁ ଅପ୍ଲୋଡ୍ କରିଦେଇଥିଲେ। ସେଥିରେ ଶ୍ରୀମନ୍ଦିର ଗର୍ଭଗୃହ ଓ ଜଗମୋହନର ବିଭିନ୍ନ ଗୁପ୍ତ ସ୍ଥାନର ଫଟୋ ରହିଥିଲା। ୨୦୧୬ ମସିହାରେ ଏହି ଫଟୋ ଅପ୍ଲୋଡ଼୍ ହୋଇଥିଲେ ମଧ୍ୟ ଏବେ ପଦାକୁ ଆସିଛି। ଏହା ଭାଇରାଲ୍ ହୋଇଯାଇଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ର୍ରତିକ୍ରିୟା ପ୍ରକାଶ ପାଇଛି। ଅପ୍ଲୋଡ୍ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଶ୍ରୀମନ୍ଦିର ସଂସ୍କାର କମିସନ୍ ଜଷ୍ଟିସ ବିମଳ ପ୍ରସାଦ ଦାସ ଘଟଣା ସଂପର୍କରେ ୧୦ ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ରେକର୍ଡ ଅଫ୍ ରାଇଟସ୍ ଅନୁସାରେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା ନିଆଯାଇ ପାରିବ ନାହିଁ। ଗର୍ଭଗୃହର ଫଟୋ ଉଠାଇ ଭାଇରାଲ କରିବା ଏକ ଦୋଷାବହ କାର୍ଯ୍ୟ। ଏହି ଫଟୋ ଭାଇରାଲ ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଏହା ଯଦି ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ହୋଇଥିବ, ତେବେ ସଂପୃକ୍ତ ଦୋଷୀଙ୍କୁ ଦଣ୍ଡିତ କରାଯାଉ। କମିସନ୍ଙ୍କୁ ତଦନ୍ତ ପାଇଁ ପ୍ରଦାନ କରାଯାଇଥିବା ଟର୍ମସ ଅଫ୍ ରେଫରେନ୍ସରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରସଂଗ ମଧ୍ୟ ସ୍ଥାନ ପାଇଛି। ଏ ସଂପର୍କରେ କମିସନ୍ ୨୦୧୭, ଏପ୍ରିଲ ୨୦ରେ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ଏପରି ଘଟଣା ଘଟିବା ଉଦ୍ବେଗର ବିଷୟ। ଗର୍ଭଗୃହ ଭିତରର ଫଟୋ ଭାଇରାଲ ହେବା ଘଟଣାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ସ୍ପଷ୍ଟ ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପି କେ ଜେନା କହିଛନ୍ତି, ଶ୍ରୀ ଶର୍ମା ଶ୍ରୀମନ୍ଦିର ସଂରକ୍ଷଣ କାର୍ଯ୍ୟରେ ସଂପୃକ୍ତ ଥିଲେ। ଫେସ୍ବୁକ୍ରେ ଏହି ଫଟୋ ଅପ୍ଲୋଡ୍ କରିଥିବାରୁ ସେ ଭକ୍ତମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିସାରିଛନ୍ତି। ଏହା ସହ ଫେସ୍ବୁକ୍ରୁ ସେ ଫଟୋସବୁ ହଟାଇ ନେଇଛନ୍ତି।