ପୁରୀ: ମହାପ୍ରଭୁଙ୍କ ଦୋଳବେଦି ପାଚେରି ଭଙ୍ଗାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ଆଜି ଏହା ଉପରେ ପ୍ରତିକ୍ରିୟା ରଖିଛି। ମୂର୍ତ୍ତି ସୁରକ୍ଷିତ ଭାବେ ଶ୍ରୀମନ୍ଦିରରେ ରଖାଯାଇଥିବା କହିଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଦୋଳବେଦି ପାଚେରି ଭଙ୍ଗାଯାଇଛି। ଆମ ଅନୁମତି ଓ ଅନୁରୋଧକ୍ରମେ ଓବିସିସି ଏହାକୁ ଭାଙ୍ଗିଛି। ଭାଙ୍ଗିବା ପୂର୍ବରୁ ଭିଡିଓ ରେକର୍ଡିଂ ଓ ଫଟୋ ଉତ୍ତୋଳନ ପୂର୍ବକ ପଥର ମୂର୍ତ୍ତି ସବୁ କଢ଼ାଯାଇଛି। ସର୍ବମୋଟ ୫୫ଟି ପଥର ମୂର୍ତ୍ତି କଢ଼ାଯାଇ ଏହାକୁ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ ପରିସରରେ ରଖାଯାଇଛି।
ପୁନର୍ବାର ପାଚେରି ନିର୍ମାଣ ହେଲେ ଏହାକୁ ପୂର୍ବଭଳି ପାଚେରିରେ ସ୍ଥାନୀତ କରାଯିବ। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦ ଦୋଳିରେ ଦୋଳବେଦି ପରିକ୍ରମା କରିବା ବେଳେ ସଂକୁଚିତ ରାସ୍ତା ପାଇଁ ଅସୁବିଧା ହେଉଥିଲା। ଏଥିପାଇଁ ଏହି ପାଚେରି ଭାଙ୍ଗିବାକୁ କୁହାଯାଇଥିଲା। ସୂଚନାଯୋଗ୍ୟ, ଗତ ୧୧ ତାରିଖ ବିଳମ୍ବିତ ରାତିରେ ଓବିସିସି ଦୋଳବେଦି ପାଚେରିକୁ ଭାଙ୍ଗି ଦେଇଥିଲା। ଶ୍ରୀମନ୍ଦିର ସମସାମୟିକ ଏହି ପାଚେରିରେ ଅନେକ ବିରଳ ପଥର ପ୍ରତିମୂର୍ତ୍ତି ରହିଥିଲା। ସେହିଭଳି ପାଚେରିର ତଳଭାଗରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର କଳାକୃତି ରହିଥିଲା। ଦୋଳବେଦିର ଏହି ପୁରାତନ ପାଚେରି ଭାଙ୍ଗି ଦିଆଯିବା ପରେ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।