ପୁରୀ: ଜଟିଳ ହେଲାଣି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା। ଅସହ୍ୟ ହେଲାଣି ଭକ୍ତଙ୍କ ଯନ୍ତ୍ରଣା। ଧାଡ଼ି ଯନ୍ତ୍ରଣା ସାଙ୍ଗକୁ ଅସ୍ତବ୍ୟସ୍ତ କରି ପକାଉଛି ମୁଣ୍ଡଫଟା ଖରା ଓ ରାସ୍ତାର ତାତି। ପିଲାଠୁ ବୁଢ଼ା, ମହିଳା, ସମସ୍ତେ ଏହି ଯନ୍ତ୍ରଣାରେ ପେଷି ହେଉଛନ୍ତି। ପୂର୍ବରୁ ଯେଉଁଠି ଦର୍ଶନ ପାଇଁ ଅଧଘଣ୍ଟା ଲାଗୁଥିଲା, ଏବେ ୪ରୁ ୫ ଘଣ୍ଟା ଲାଗିଯାଉଛି। ଏତେ ଘଣ୍ଟା ଧାଡ଼ିରେ ଛିଡ଼ା ହେବା ପରେ ଭକ୍ତଙ୍କର ବି ଧୈର୍ଯ୍ୟଚ୍ୟୁତି ଘଟୁଛି। ଆଜି ସକାଳୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ମୁଣ୍ଡଫଟା ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ଧୈର୍ଯ୍ୟ ହରାଇଥିଲେ। ହଜାର ହଜାର ଭକ୍ତ ପଶ୍ଚିମଦ୍ବାର ବାରିକେଡ୍ ଠେଲି ଶ୍ରୀମନ୍ଦିର ଭିତରେ ପଶିଥିଲେ। ଏଥିପାଇଁ ଭକ୍ତଙ୍କ ଭିତରେ ଠେଲାପେଲା, ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଭିଡ଼ ଭିତରେ ମହିଳା, କୁନି କୁନି ପିଲା ବି ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ସେତେବେଳେ ଅନେକ ତଳେ ପଡ଼ି ଆହତ ହୋଇଥିଲେ।
ସେପଟେ ଅନେକ ଭକ୍ତ ଦର୍ଶନ ନ ପାଇ କାନ୍ଦି କାନ୍ଦି ଫେରିଥିଲେ। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏଭଳି ଚରମ ବିଶୃଙ୍ଖଳା ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦର୍ଶନ ବ୍ୟବସ୍ଥାକୁ ପଦାରେ ପକାଇଛି। କେବଳ ଶ୍ରୀମନ୍ଦିର ବାହାରେ ଭକ୍ତ ଏଭଳି ଯନ୍ତ୍ରଣା ପାଉନାହାନ୍ତି, ଶ୍ରୀମନ୍ଦିର ଭିତରେ ବି କଲବଲ ହେଉଛନ୍ତି। ସାତପାହାଚ ନିକଟରେ ଧାଡ଼ିରେ ଛିଡ଼ା ହେବା ପରେ ନାଟମଣ୍ଡପକୁ ପ୍ରବେଶ ବେଳେ ବି ଠେଲାପେଲା ସ୍ଥିତି ଉପୁଜୁଛି। ନାଟମଣ୍ଡପ ଭିତରେ ବି ମହାପ୍ରଭୁଙ୍କୁ ମନଭରି ଦର୍ଶନ କରି ପାରୁନାହାନ୍ତି ଭକ୍ତ।
ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରୁଥିଲେ ଓ ଦର୍ଶନ ସାରି ଫେରୁଥିଲେ। କୋଭିଡ୍ ପରଠାରୁ ଏହି ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଛି। ଯେଉଁଥିପାଇଁ ଅଯଥାରେ ସିଂହଦ୍ବାରରେ ଭକ୍ତଙ୍କ ଭିଡ଼ ଲାଗୁଛି। ହଜାର ହଜାର ଭକ୍ତ ଲମ୍ବାଧାଡ଼ିରେ ଦର୍ଶନ ପାଇଁ ଅପେକ୍ଷାରେ ରହୁଛନ୍ତି। ଅନ୍ୟ ଦ୍ବାର ସଂପୂର୍ଣ୍ଣ ଖାଲି ପଡ଼ୁଛି। ଏ ନେଇ ବାରମ୍ବାର ଚାପ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା, ପରିକ୍ରମା ପ୍ରକଳ୍ପ କାମ ଶେଷ ପରେ ଚାରିଦ୍ବାର ଖୋଲିବା ଉପରେ ବିଚାର କରାଯିବ। ଏ ଭିତରେ ପରିକ୍ରମା ପ୍ରକଳ୍ପ କାମ ଶେଷ ହେବା ୩ ମାସ ବିତିଲାଣି, କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଚୁପ୍ ହୋଇ ବସିଛନ୍ତି। ଫଳରେ ଭକ୍ତଙ୍କ ଯନ୍ତ୍ରଣା ଦିନକୁ ଦିନ ବଢ଼ିଚାଲିଛି। ଏବେ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ ପ୍ରତିଦିନ ଖରାତରାରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇ କଲବଲ ହେଉଛନ୍ତି ଓ ନକରାତ୍ମକ ଭାବନା ନେଇ ଫେରୁଛନ୍ତି।