ପୁରୀ: ଅଣସର ଘରେ ଗୋପନ ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଆସନ୍ତାକାଲି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଆଜି ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି। ଆଜି ବିଳମ୍ବିତ ରାତିରୁ ସହସ୍ରରେ ଘଣାକଟା ଆରମ୍ଭ ହୋଇଛି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତି ଚାଲିବ। ଅନ୍ୟପଟେ ଗୁରୁବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ହେବ। ଏଥିସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଏହାପରେ ଅସୁସ୍ଥ ମହାପ୍ରଭୁ ନବଯୌବନପ୍ରାପ୍ତି ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।
ଗୁରୁବାର ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇବା ପରେ ଦୋଳମଣ୍ଡପସାହିରୁ ବିଜେ କାହାଳୀ ସହ ଶୋଭାଯାତ୍ରାରେ ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳିପ୍ରସାଦ’ ବିଜେ କରିବ। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ, ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସଂପନ୍ନ ହେବ। ପରମ୍ପରା ମୁତାବକ, ଆଜି ନିଶାର୍ଦ୍ଧରେ ଶ୍ରୀମନ୍ଦିରରେ ଘନ ଅନ୍ଧକାରରେ ବିରୂପ ବିସର୍ଜନ କରାଯିବ। ଏହାକୁ ଜଳସମାଧି ଦିଆଯିବ। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସଂପନ୍ନ ହେବ। ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି। ଏଥିପାଇଁ ଆଜି ସନ୍ଧ୍ୟାଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ମା’ ବିମଳାଙ୍କ କୂଅରୁ ଜଳ ନିଆଯାଇଛି। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଗୁରୁବାର ରାତିରେ ଘଣାଲାଗି ଶେଷପରେ ଠାକୁରଙ୍କ ମଙ୍ଗଳଆଳତି
ମା’ ବିମଳାଙ୍କ କୂଅରୁ ଗଲା ଜଳ
ଘଣାଲାଗି ନୀତି ଆଜି ରାତିରୁ ଆରମ୍ଭ ହୋଇଛି। ଘଣାଲାଗି ନୀତି ଅନୁଯାୟୀ, ମହାପ୍ରଭୁଙ୍କଠାରେ ଲାଗିଥିବା ପୁରୁଣା ଘଣା(ବାସୁଙ୍ଗାପାଟରୁ ପ୍ରସ୍ତୁତ)କୁ ଖୋଲାଯାଇ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ନୂଆ ଘଣା ଲାଗି କରାଯିବ। ଏହାପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବ। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ିପ୍ରସାଦ ବିଜେ ହେବ। ଗତବର୍ଷ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ ବୋଲି ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି। ଶ୍ରୀ ଦାସମହାପାତ୍ର କହିଛନ୍ତି, ଗୁରୁବାର ରାତି ପ୍ରାୟ ୧୧ଟାରେ ଘଣାଲାଗି ନୀତି ସରିବା ଆଶା କରାଯାଉଛି। ଏହି ସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତି ବନ୍ଦ ରହିବ।