ପୁରୀ: ଖୋଲିଲା ଶ୍ରୀମନ୍ଦିର ଭିତର କବାଟ, ବିଳମ୍ବିତ ରାତି ଯାଏଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଭକ୍ତ

ପୁରୀ: ପୁଲିସ ଓ ସେମାୟତଙ୍କ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିବାଦର ସମାଧାନ ପରେ ଶ୍ରୀମନ୍ଦିରର ଭିତର କବାଟ ଶୁକ୍ରବାର ସନ୍ଧ୍ୟାରେ ଖୋଲିଛି। ଶ୍ରୀମନ୍ଦିର ଭିତର କବାଟ ପ୍ରାୟ ସାଢ଼େ ୧୩ ଘଣ୍ଟା ପରେ ଖୋଲିଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖାଯାଇଛି। ଭକ୍ତମାନେ ବିଳମ୍ବିତ ରାତି ଯାଏଁ ଶ୍ରୀଜିଉଙ୍କ ଦଶର୍ନ ପାଇପାରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଯେପରି କୌଣସି ଭକ୍ତ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ନ ହୁଅନ୍ତି ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନୀତିକାନ୍ତି ଆରମ୍ଭ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରେ ପରିସରରେ ଗୁରୁବାର ରାତି ପୁଲିସ-ସେବାୟତ ମଧ୍ୟରେ ଝଗଡ଼ା ଲାଗିବା ପରେ ଆଜି ଭିତର କବାଟକୁ ବନ୍ଦ ରଖାଯାଇଥିଲା। ସିଂହ ଦ୍ୱାର ସମ୍ମୁଖରେ ହଜାର ହଜାର ଭକ୍ତ ସକାଳୁ ଅଟକିଥିଲେ। ସେମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ହୋଇଥିଲେ।

ସେବାୟତ-ପୁଲିସ ବିବାଦ ବଢ଼ିବା ପରେ ଏଥିରେ ପ୍ରଶାସନ ଜିଲ୍ଲା ହସ୍ତକ୍ଷେପ କରିଥିଲା। ଜିଲ୍ଲାପାଳ ଓ ଏସ୍‌ପି ଦାବିରେ ଅଡ଼ି ବସିଥିବା ସେମାୟତଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଶ୍ରୀମନ୍ଦିର କବାଟ ଖୋଲାଯାଇ ନଥିବାରୁ ସିଂହଦ୍ୱାରରେ ଭକ୍ତମାନେ ଉତ୍ତେଜନା ପ୍ରକାଶ କରିଥିଲେ। ସିଂହଦ୍ୱାରରେ ଆଜି ଅପରାହ୍ନରେ ଠେଲାପେଲା ମଧ୍ୟ ହୋଇଥିଲା।

ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଉ ଏହି ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ । ମିଳିଥିବା ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ସେବାୟତଙ୍କ କହିବା ହେଲା ଯାତ୍ରୀ ଜଣଙ୍କ ବିଦେଶୀ ନୁହନ୍ତି। ସେ ବଙ୍ଗାଳି ଭାଷାରେ କଥା ହେଉଛନ୍ତି ।  ତେବେ ପରିଚୟପତ୍ର ଦେଇପାରିନଥିଲେ ଶ୍ରଦ୍ଧାଳୁ । ତେଣୁ ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଛାଡି ନ ଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।

ସମ୍ବନ୍ଧିତ ଖବର