ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା

ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

କଟକ: ପୁରୀ ଶ୍ରୀ ମନ୍ଦିର ଜଗମୋହନ ଅର୍ଥାତ ପ୍ରାର୍ଥନା ମଣ୍ଡପର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆବଶ୍ୟକ ଥିବା ଅନ୍ୟ ଜରୁରି ମରାମତି କାର୍ଯ୍ୟ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଅବଗତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୟ-ବିଜୟ ଦ୍ୱାର ନିକଟ ସ୍ଥାନର ଛାତ, ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପ, ବେହେରଣ ଦ୍ୱାର ନିକଟ ସ୍ଥାନ ଓ କେତେକ ଫାଟିଥିବା ପଥର ବିମ୍‌ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) କ’ଣ ପଦକ୍ଷେପ ନେଇଛି ସେ ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗମୋହନ ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ଜଗମୋହନର ମରାମତି କାର୍ଯ୍ୟର ସାନି ସ୍ଥିତି ନେଇ ହାଇକୋର୍ଟରେ ଏଏସଆଇ ଓ ଇଂଜିନିୟର ଏନ୍‌.କେ.ମହାନ୍ତି କମିସନ୍‌ଙ୍କ ପକ୍ଷରୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଥିଲା। ଏଏସ୍‌ଆଇ ପକ୍ଷରୁ ଦାଖଲ ଷ୍ଟାଟସ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଜଗମୋହନ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ମରାମତି ସମୟରେ ଜଗମୋହନ ଭିତରେ ଥିବା ଛୋଟ କୋଠରୀର କିଛି ଅଂଶ ଭଙ୍ଗା ଯାଇଥିଲା। ଏଗୁଡିକର ପୁନଃନିର୍ମାଣ କାର୍ଯ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କରୁଛି। ସେହିଭଳି ଶ୍ରୀ ମହାନ୍ତିଙ୍କ ପକ୍ଷରୁ ଦାଖଲ ଷ୍ଟାଟସ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ ଜଗମୋହନ ଭିତରେ ଷ୍ଟେନଲେସ୍‌ ଷ୍ଟିଲ କଲମ ଉପରେ ଖାଣ୍ଡେଲାଇଟ୍‌ ପଥରର ଛାଉଣି ପାଇଁ ପଦ୍ମଶ୍ରୀ ରଘୁନାଥ ମହପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଏହି କାମ ପାଇଁ ପ୍ରାୟ ୭୫ ଦିନ ଲାଗିବ। ଜଗମୋହନ ଛାତ ତଳେ କାଠର ସିଲିଂ କାମ ଚାଲିଥିବା ବେଳେ ଏହା ସଂପୂର୍ଣ୍ଣ ହେବା ପାଇଁ ୬୦ଦିନ ଲାଗିବ। ଜୟ ବିଜୟ ଦ୍ୱାର ନିକଟ ସମ୍ମୁଖସ୍ଥ ଛାତ, ପାଖରେ ଥିବା ପଥର ବିମ୍‌, ଗରୁଡସ୍ତମ୍ଭ ନିକଟସ୍ଥ ନାଟ୍ୟ ମଣ୍ଡପ ଭିତରେ ଥିବା ପଥର ବିମ୍‌ର ତୁରନ୍ତ ମରାମତି ଆବଶ୍ୟକ। ଏହି ସବୁ ସ୍ଥାନର ତୁରନ୍ତ ଯାଞ୍ଚ କରାଯାଇ ମରାମତି କରାଯିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କେତେକ ମରାମତି କାର୍ଯ୍ୟ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଏକ ମିସ୍‌ କେସ୍‌ ଦାୟର ହୋଇଛି। ଜୟ ବିଜୟ ଦ୍ୱାର, ନାଟ ମଣ୍ଡପ, ଭୋଗ ମଣ୍ଡପ, ବେହେରଣ ଦ୍ୱାର ନିକଟରେ ବହୁ ସ୍ଥାନରେ ଛାତ ଓ ବିମ୍‌ ଦୁର୍ବଳ ହୋଇ ପଡ଼ିଛି। ଏଥି ସହିତ ଶ୍ରୀ ମନ୍ଦିର ପରିସରରେ ଥିବା ଛୋଟ ବଡ ୫୧ଟି ଅନ୍ୟ ମନ୍ଦିର ଓ ଅନ୍ୟ କେତେକ ପୁରୁଣା ପଥର ଢାଞ୍ଚାର ମରାମତି ଆବଶ୍ୟକ। ଗୁଡିକର ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମିସ୍‌କେସ୍‌ରେ ଦର୍ଶାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର