ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ଅଂହକାର ସୀମା ଟପିଛି। ଆତ୍ମବଡ଼ିମା ଦେଖାଇବାକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତିକୁ ବି ଅଟକାଇକୁ ପଛାଇନାହାନ୍ତି ସେବକ। ଯେଉଁଥିପାଇଁ ରବିବାର ସାରାରାତି ମହାପ୍ରଭୁ ଅନିଦ୍ରା ରହିଛନ୍ତି। ନୀତି ବିଳମ୍ବ ପାଇଁ ପହୁଡ଼ ହୋଇ ନ ପାରିବାରୁ ଆଜି ପ୍ରାୟ ୭ଟା ୨୦ରେ ବିନା ପହୁଡ଼ରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଆରମ୍ଭ ହୋଇଛି। ସିଂହାରୀ ଓ ସୁଆର ମହାସୁଆର ସେବକଙ୍କ ବିବାଦ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସେପଟେ ବିବାଦ କାରଣରୁ ୧୨ହଜାର ଲୋକଙ୍କ ବରାଦି ମହାପ୍ରସାଦ ନଷ୍ଟ ହୋଇଛି। ବାସି ହୋଇଯିବାରୁ ଏହାକୁ ଫିଙ୍ଗାଯାଇଛି। ସେବକଙ୍କ ଏଭଳି କାର୍ଯ୍ୟକୁ ମହାପ୍ରଭୁଙ୍କ ଅଗଣିତ ଭକ୍ତ ଭର୍ତ୍ସନା କରିଛନ୍ତି। ଯେଉଁମାନେ ବି ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯେଉଁମାନେ ଏଭଳି ମହାପ୍ରଭୁଙ୍କ ସେବା ଅଟକାଇବାକୁ ଅପଚେଷ୍ଟା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ସୁଆର ମହାସୁଆର ନିଯୋଗ ଦାବି କରିଛନ୍ତି। ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ଏଭଳି କରି ଭକ୍ତଙ୍କ ଭାବାବେଗ ପ୍ରତି କୁଠାରାଘାତ କରାଯାଇଛି। ସମ୍ପୃକ୍ତ ସେବକଙ୍କୁ ସବୁଦିନ ପାଇଁ ସେବା ନିବୃତ କରିବାକୁ ନିଯୋଗ ଦାବି କରିଛି। ଏଥିସହ ନଷ୍ଟ ହୋଇଥିବା ମହାପ୍ରସାଦର କ୍ଷତି ଭରଣା କରିବାକୁ ବି ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରିଛି। କ୍ଷତିପୂରଣ ବଡ଼ କଥା ନୁହେଁ, ଯେଉଁ ସିଂହାରୀ ସେବକମାନେ ଏଭଳି ବିଶୃଙ୍ଖଳା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।
ଗତକାଲି ସେଭଳି କୌଣସି ସ୍ବତନ୍ତ୍ର ନୀତିକାନ୍ତ ନ ଥିଲା। ସବୁଦିନ ଭଳି ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟାରେ ପ୍ରଥମ ଭୋଗମଣ୍ଡପ ଶେଷ ହୋଇଥିଲା। ଅପରାହ୍ଣ ୪ଟା ୩୫ରେ ଦ୍ବିତୀୟ ଭୋଗମଣ୍ଡପ ଉଠିଥିଲା। ଏହା ପରେ ଭୋଗମଣ୍ଡପ ପୂଜା ହୋଇ ଭୋଗମଣ୍ଡପ ଘରୁ ମହାପ୍ରସାଦ ବାହାରିଥାନ୍ତା। କିନ୍ତୁ ପୂଜା ପୂର୍ବରୁ ଶ୍ରୀମନ୍ଦିର ଭିତର କାଠରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଣୁ ଭୋଗମଣ୍ଡପ ପୂଜା ବନ୍ଦ କରି ବଡ଼ ମହାସ୍ନାନ କରାଯାଇଥିଲା। ବଡ଼ ମହାସ୍ନାନ ପୂଜା ଶେଷ ହେବା ପ୍ରାୟ ରାତି ୮ଟା ୧୦ ହୋଇଯାଇଥିଲା। ସୁଆର ମହାସୁଆର ନିଯୋଗ ସଭାପତି ଶ୍ରୀ ମହାସୁଆର କହିଛନ୍ତି, ଯେହେତୁ ଭୋଗମଣ୍ଡପ ଘରେ ଭୋଗ ବଢ଼ା ସରିଥିଲା ଓ ମହାପ୍ରସାଦ ବାହାରିବା ବିଳମ୍ବ ହେଉଥିଲା, ଶହ ଶହ ଭକ୍ତ ମହାପ୍ରସାଦ ନେବାକୁ ଅପେକ୍ଷା କରିଥିଲେ, ଏଣୁ ବଡ଼ ମହାସ୍ନାନ ପୂଜା ଶେଷ ପରେ ଭୋଗମଣ୍ଡପ ପୂଜା ଶେଷ କରିବାକୁ ସୁପକାର ସେବକମାନେ ସିହାଂରୀ ସେବକଙ୍କୁ ନିବେଦନ କରିଥିଲେ। କିନ୍ତୁ ସନ୍ଧ୍ୟାଧୂପ ଭୋଗ ବଢ଼ା ହେଲା ପରେ ଏକକାଳୀନ ଦ୍ବିତୀୟ ଭୋଗମଣ୍ଡପ ପୂଜା ଓ ସନ୍ଧ୍ୟାଧୂପ ପୂଜା କରିବାକୁ ସିଂହାରୀ ସେବକମାନେ କହିଥିଲେ। ଯେତେ ଅନୁରୋଧ କଲେ ବି ସିଂହାରୀ ସେବକମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀମାନେ ବହୁବାର ଅନୁରୋଧ କରିଥିଲେ ବି ସିଂହାରୀ ସେବକମାନେ ଶୁଣିନଥିଲେ। ଶେଷରେ ଏକାଠି ଦ୍ବିତୀୟ ଭୋଗମଣ୍ଡପ ଓ ସନ୍ଧ୍ୟାଧୂପ ବାହାରିଥିଲା। ସେତେବେଳକୁ ରାତି ପ୍ରାୟ ସାଢ଼େ ୧୨ଟା ହୋଇ ସାରିଥିଲା। ଯେଉଁ ଭକ୍ତମାନେ ମହାପ୍ରସାଦ ବରାଦ ଦେଇଥିଲେ, ସେମାନେ ବି ଅପେକ୍ଷା କରି ଫେରିଯାଇଥିଲେ।
ରାତି ପ୍ରାୟ ୧୨ଟାରେ ମହାପ୍ରସାଦ ବାହାର କରି ଭକ୍ତଙ୍କୁ ଦେବା ସମ୍ଭବ ନଥିଲା। ଏଣୁ ସୁପକାରମାନେ ମନଦୁଃଖରେ ମହାପ୍ରସାଦ ସେହିଭଳି ଭୋଗମଣ୍ଡପ ଘରେ ଛାଡ଼ି ପଳାଇ ଆସିଥିଲେ। ଯାହା ନଷ୍ଟ ହୋଇଯାଇଥିଲା। ଭୋଗମଣ୍ଡପ ଘରେ ପ୍ରାୟ ୧୨ହଜାର ଲୋକଙ୍କ ଖାଇବା ପାଇଁ ମହାପ୍ରସାଦ ଥିଲା। ୧୨୦ଟି ବାଇହାଣ୍ଡି ଅନ୍ନ, କାନିକା ଓ ଖେଚୁଡ଼ି ହୋଇ ୫୦ଟି ଦାସିଆ ହାଣ୍ଡି, ଡାଲି, ଡାଲମା, ତରକାରୀ ଆଦି ହୋଇ ପ୍ରାୟ ୨୫୦ ହାଣ୍ଡି ନଷ୍ଟ ହୋଇଛି। ଏହାସହ ବରାଦି ଚଢ଼େଇନଦା ସହ ଅନ୍ୟାନ୍ୟ ଶୁଖିଲା ଭୋଗ ବି ଥିଲା। ଆଜି ସକାଳେ ପ୍ରଶାସନ ଏହି ବିଶୃଙ୍ଖଳା ଦିଗରେ ବିଚାର କରିବା ଓ କ୍ଷତିର ଭରଣା କରିବାକୁ ପ୍ରତିଶ୍ରୁତି ଦେବା ପରେ ସୁପକାରମାନେ ଅବଢ଼ା ପ୍ରସ୍ତୁତି ପାଇଁ ରାଜି ହୋଇଥିଲେ। କେବଳ କାନିକା, ଖେଚୁଡ଼ିକୁ ଛାଡ଼ିଦେଲେ ଅନ୍ୟ ସବୁ ନଷ୍ଟ ହୋଇଯିବାରୁ ଫିଙ୍ଗାଯାଇଛି ବୋଲି ଶ୍ରୀ ମହାସୁଆର କରିଛନ୍ତି। ଏସମ୍ପର୍କରେ ସିଂହାରୀ ନିଯୋଗ ସମ୍ପାଦକ ହରୋକୃଷ୍ଣ ସିଂହାରୀ ଭିନ୍ନ କଥା କହିଛନ୍ତି। ଶ୍ରୀ ସିଂହାରୀ କହିଛନ୍ତି ଆମେ ଯାହା କରିଛୁ ଶ୍ରୀମନ୍ଦିର ସ୍ବତ୍ବଲିପି ଆଧାରରେ କରିଛୁ। ଗତକାଲି ବଡ଼ ମହାସ୍ନାନ ପରେ ସନ୍ଧ୍ୟାଧୂପ ନୀତି ଥିଲା। ମାତ୍ର ସୂପକାରମାନେ ଆମକୁ ଭୋଗମଣ୍ଡପ ପୂଜାନୀତି କରିବାକୁ କହିଥିଲେ। ଏହାକୁ ନେଇ ବିବାଦ ହୋଇଥିଲା। ମାତ୍ର ଆମେ କୌଣସି ବିଶୃଙ୍ଖଳା କରିନାହୁଁ। ଅପରପକ୍ଷେ ଏକାଧିକ ଭୋଗମଣ୍ଡପ ଉଠୁଥିବାରୁ , ଅଧିକ ପାଳିଆ ନିୟୋଜନ ପାଇଁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଅନୁରୋଧ କରିଛୁ ବୋଲି ଶ୍ରୀ ସିଂହାରୀ କହିଛନ୍ତି।