ପୁରୀ: ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାକୁ ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଫେସବୁକ୍ ପେଜରେ ଭାଇରାଲ କରିଛନ୍ତି। ସେ ଗର୍ଭଗୃହର ଫଟୋ ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକ୍ ପେଜ୍‌ରେ ଅପଲୋଡ କରିଛନ୍ତି । ଗୁପ୍ତ କ୍ୟାମେରା କିମ୍ବା ମୋବାଇଲ୍‌ରେ ଭିଡିଓ ସୁଟିଂ କରାଯାଇଥିବା ଅନୁମାନ କରାଯାଉଛି । ତେବେ ଆକାଶ ଚୌଧୁରୀଙ୍କ ଫେସବୁକ୍ ପେଜ୍ ବଙ୍ଗଳା ଭାଷାରେ ଲେଖାଯାଇଛି। ତେଣୁ ସେ ପଶ୍ଚିମବଙ୍ଗ ନିବାସୀ ବୋଲି ଅନୁମାନ କରାଯାଉଛି। ଆକାଶ ଜଣେ ୟୁ-ଟ୍ୟୁବର ବୋଲି ଅନୁମାନ କରାଯାଉଛି।

Advertisment

ରୋଷଘର ଚୁଲି ଭଙ୍ଗା, କିନ୍ନର ଆତ୍ମହତ୍ୟା ଭଳି ଅନେକ ବିବାଦୀୟ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଶ୍ବ ଦରବାରରେ ନିନ୍ଦିତ ହୋଇଥିବାବେଳେ ଆଜି ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପୁଣିଥରେ ବିବାଦ ଠିଆ କରିଛି।

ସୂଚନାଯୋଗ୍ୟ, ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ପୂର୍ବରୁ ୨୦୧୭ ମସିହାରେ ପ୍ରଥମ ଥର ଗର୍ଭଗୃହ ଫଟୋ ଭାଇରାଲ୍ ହୋଇଥିଲା। ଏହା ଗର୍ଭଗୃହର ଦ୍ବିତୀୟ ଭାଇରାଲ୍ ଘଟଣା ବୋଲି ସେବାୟତମାନେ ମତ ଦେଇଛନ୍ତି। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇଛି।

ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ଆରମ୍ଭ ହୋଇଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି। ଏତେ କଟକଣା, ସିସିଟିଭି କ୍ୟାମେରା ଓ ବ୍ୟାପକ ପୁଲିସ ମୁତୟନ ପରେ ବି କିପରି ଜଣେ ବ୍ୟକ୍ତି ଗର୍ଭଗୃହର ଫଟୋ ଉଠାଇ ପାରିଲା ଓ  ଭିଡିଓ ସୁଟିଂ କଲା, ଏ ନେଇ ପ୍ରଶ୍ନ ଉଠିଛି । ଏଥି ସହିତ ଶ୍ରୀମନ୍ଦିର ପ୍ରତି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।