ପୁଣି ଶ୍ରୀମନ୍ଦିର ବେଢ଼ା ଭିତରର ଡ୍ରୋନ୍‌ସଟ୍‌ ଭିଡିଓ ଭାଇରାଲ, ଚଢ଼ାଦରରେ ବିକ୍ରି କରୁଛନ୍ତି ୟୁଟ୍ୟୁବର

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରର ଡ୍ରୋନ୍‌ସଟ୍‌ ଭିଡିଓକୁ ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି। କେବଳ ସେତିକି ନୁହେଁ, ବ୍ୟକ୍ତି ଜଣକ ଭିଡିଓ କ୍ଲିପର ପ୍ରତି ଆଙ୍ଗେଲ ପିଛା ୨୦ ହଜାର ଟଙ୍କା ମଧ୍ୟ ଦାବି କରୁଥିବା ହ୍ବାଟସ୍‌ଆପ୍‌ ଚାଟ୍‌ରୁ ଜଣାପଡ଼ିଛି। ଏବେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ କିଭଳି ଡ୍ରୋନ୍ କ୍ୟାମେରାରେ ଫଟୋ ଉଠିଲା ତାହା ଚିନ୍ତାର ବିଷୟ।

ମିଳିଥିବା ସୂଚନା ଅନୁସାରେ ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଶ୍ରୀମନ୍ଦିରର ଡ୍ରୋନ୍‌ସଟ୍‌ ଭିଡିଓ ଅପଲୋଡ଼ ହୋଇଛି। ଏହି ଭିଡିଓର ପ୍ରତି ଆଙ୍ଗେଲ୍ ପିଛା ୨୦ ହଜାର ଟଙ୍କା ସମ୍ପୃକ୍ତ ୟୁଟ୍ୟୁବର ଦାବି କରୁଥିବା ନେଇ ମେସେଜ୍ ଭାଇରାଲ ହେଉଛି। ତେବେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପାଇଁ ମାଳମାଳ ପୁଲିସ ଅଧିକାରୀ ଓ କର୍ମଚାରୀ ଥିବାବେଳେ କେମିତି ଭିଡିଓ ସୁଟିଂ ହୋଇପାରିଲା ତାହା ଚିନ୍ତା ବଢ଼ାଇଛି। ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉ ନାହିଁ ବୋଲି ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ଭିତରର ଫଟୋ ଉତ୍ତୋଳନ କରିବା ନିଷେଧ ଥିଲେ ହେଁ କୋଟିକୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଭିତର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଅଭିଯୋଗରେ ପୁରୀ ସିଂହଦ୍ବାର ପୁଲିସ ଗତ ସପ୍ତାହରେ ବାଂଲାଦେଶର ନାଗରିକଙ୍କୁ  ଗିରଫ କରିଥିଲା। ଶ୍ରୀଜଗନ୍ନାଥ ମନ୍ଦିରର ଭିତର ପାର୍ଶ୍ବର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ନେଇ ଗତ ୧୯ ତାରିଖ ଦିନ ଏକ ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୁଲିସ ମାମଲାର ତଦନ୍ତ କରି ବାଂଲାଦେଶର ସିଲହେଟ ଜିଲ୍ଲା ସଦର ସିଲହେଟ ଥାନା ଅନ୍ତର୍ଗତ ଇଷ୍ଟ ଜିନ୍ଦା ବଜାର ଅନ୍ତର୍ଗତ ନିବାସୀ ରାଧାକୁଞ୍ଜ ସଦର ଭବନ ଅନିଲ ଚୌଧୁରୀଙ୍କ ପୁଅ ଆକାଶ ଚୌଧୁରୀଙ୍କୁ ଗିରଫ କରିଥିଲା। ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତ ସଂପର୍କରେ ଅଧିକ ତଥ୍ୟ ହାସଲ କରି ଶେଷରେ ଅଭିଯୁକ୍ତର ଠିକଣା ପାଇଥିଲା। ଏହି ଆଧାରରେ ଅଭିଯୁକ୍ତକୁ ପୁରୀ ଆସିବା ପାଇଁ ନୋଟିସ ଜାରି କରାଯାଇଥିଲା ଏବଂ ଗିରଫ କରିଥିଲା। ଅଭିଯୁକ୍ତ ଆକାଶ ଚୌଧୁରୀ ପାଖରୁ ମୋବାଇଲ ଫୋନ୍ ଓ ବାଂଲାଦେଶୀ ପାସପୋର୍ଟ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର