ପୁରୀ: ତୁଟିଗଲାଣି ଶ୍ରୀମାର୍ଗର ଶିରି। ୫ ମାସ ତଳେ ଝଲମଲ କରୁଥିଲା, ଏବେ ଶ୍ରୀହୀନ। ରାସ୍ତାର ଶୋଭା ବଢ଼ାଉଥିବା ମହାପ୍ରଭୁଙ୍କ ଚିତ୍ର ଖଚିତ ୧୬ଟି ଶଙ୍ଖ ବି ଗାୟବ ହୋଇଗଲାଣି। କିଛି ଶଙ୍ଖ ଜରି ପାଲ ଘୋଡ଼ା ହେବା ଅବସ୍ଥାରେ ଏଣେତେଣେ ଗଡ଼ୁଛି। ଶଙ୍ଖରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଚିତ୍ରିତ ହୋଇଛି। ମାତ୍ର ଏଗୁଡ଼ିକୁ ଷ୍ଟାଣ୍ଡରୁ ହଟାଇ ଦିଆଯାଇଛି। କେଉଁଠି ଏହା ପାଣି ଟାଙ୍କି ପାଖରେ ପଡ଼ିଛି ତ ପୁଣି କେଉଁଠି ଶଙ୍ଖ ଉପରେ ଘୋଡ଼ା ହୋଇଥିବା ଜରିପାଲ ଚିରି ଖିନ୍‌ଭିନ୍‌ ହୋଇଯାଇଛି। ଶ୍ରୀମାର୍ଗକୁ ଆକର୍ଷଣୀୟ ରୂପ ଦେବାଲାଗି ୨୬ଟି ଶଙ୍ଖ ରାସ୍ତାର ଉଭୟ ପାର୍ଶ୍ବରେ ଶୋଭା ପାଉଥିଲା। କିନ୍ତୁ ସେଥିମଧ୍ୟରୁ ୧୬ଟି ଆଉ ଶ୍ରୀମାର୍ଗରେ ଦେଖିବାକୁ ମିଳୁନାହିଁ। ଯାହା ବି ଅଛି, ତାକୁ ନା ଯଥା ସ୍ଥାନରେ ରଖାଯାଉଛି ନା ନିର୍ବାଚନ ସମୟରେ ଘୋଡ଼ା ଯାଇଥିବା ଜରିପାଲ ଖୋଲାଯାଉଛି। ଶଙ୍ଖରେ ଚିତ୍ରିତ ମହାପ୍ରଭୁଙ୍କୁ ଯେପରି ଜରିପାଲରେ କଏଦ କରିଦିଆଯାଇଛି। ମହାପ୍ରଭୁଙ୍କୁ ଏଭଳି ଅପମାନର ଦୃଶ୍ୟ ଦେଖି ଶ୍ରୀମାର୍ଗରେ ଯା’ଆସ କରୁଥିବା ଭକ୍ତଙ୍କ ମୁଣ୍ଡ ନଇଁଯାଉଛି।

Advertisment

ବଡ଼ଦାଣ୍ଡ ଭିଡ଼ରୁ ଭକ୍ତଙ୍କୁ ମୁକ୍ତି ଦେବାପାଇଁ ଶ୍ରୀସେତୁରୁ ଶ୍ରୀମନ୍ଦିରକୁ ଯୋଗାଯୋଗ ପାଇଁ ଶ୍ରୀମାର୍ଗ ତିଆରି ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଶ୍ରୀସେତୁରେ ଆସି ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରେ ପହଞ୍ଚିବା ପରେ ସେଠାରୁ ଶ୍ରୀମାର୍ଗରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଭକ୍ତଙ୍କୁ ସୁବିଧାରେ ଶ୍ରୀମନ୍ଦିର ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ଶ୍ରୀମାର୍ଗର ପରିକଳ୍ପନା କରିଥିଲେ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ଦ୍ବାରା ୮୦୦ ମିଟର ଲମ୍ବ ଓ ୧୨ ମିଟର ଓସାର ବିଶିଷ୍ଟ ଶ୍ରୀମାର୍ଗ ନିର୍ମାଣ ପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଶ୍ରୀମାର୍ଗକୁ ଭକ୍ତିର ମାର୍ଗ ଭାବେ ଭେଟି ଦେବାପାଇଁ ରାସ୍ତାର ଉଭୟ ପାର୍ଶ୍ବକୁ ଆଧ୍ୟାତ୍ମିକତାର ପ୍ରଲେପ ଦିଆଯାଇଥିଲା। ଏହାମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ବରେ ୨୬ଟି ଶଙ୍ଖ ଶୋଭା ପାଉଥିଲା। ଶୋଭା ପାଉଥିଲା ଶଙ୍ଖ ଉପରେ ମହାପ୍ରଭୁଙ୍କର ବିଭିନ୍ନ ବେଶ। ତେଣୁ ଶଙ୍ଖକ୍ଷେତ୍ରକୁ ଆସୁଥିବା ଭକ୍ତମାନେ ଶ୍ରୀମାର୍ଗର ଶଙ୍ଖ ସହ ସେଲ୍‌ଫି ନେବାକୁ ପ୍ରତିଯୋଗିତା କରୁଥିଲେ। ମାତ୍ର ସାଧାରଣ ନିର୍ବାଚନ ପୂର୍ବରୁ ଶଙ୍ଖଗୁଡ଼ିକୁ ଜରି ପାଲରେ ଢାଙ୍କି ଦିଆଯାଇଥିଲା। ଚତୁର୍ଦ୍ଧା ବିଗ୍ରହଙ୍କ ଚିତ୍ର ଥିବା ସତ୍ତ୍ବେ ଏହାକୁ ବିଚାରକୁ ନନେଇ ଏହାକୁ ଜରିପାଲରେ ବାନ୍ଧି ଦିଆଯାଇଥିଲା। ନିର୍ବାଚନ ସରି ଫଳାଫଳ ବି ବାହାରିସାରିଲାଣି, କିନ୍ତୁ ତଳେ ଗଡ଼ୁଥିବା ଶଙ୍ଖକୁ ଷ୍ଟାଣ୍ଡ ଉପରେ ରଖାଯାଇନାହିଁ। ବିଡ଼ମ୍ବନା ହେଉଛି ୧୦ଟି ଶଙ୍ଖ ଏବେ ମହଜୁଦ ରହିଥିବା ବେଳେ ୨୩ଟି ଷ୍ଟାଣ୍ଡ ଅଛି। କିନ୍ତୁ ୧୬ଟି ଶଙ୍ଖ କୁଆଡ଼େ ଗଲା, କାହା ପାଖରେ ଜବାବ ନାହିଁ।

ଶ୍ରୀମାର୍ଗରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ସନାତନ ସଂସ୍କୃତିର ପରିପ୍ରକାଶ ହୋଇଥିଲା। ଆଦି ଶଙ୍କରାଚାର୍ଯ୍ୟ ଶିଷ୍ୟମାନଙ୍କ ସହ ଧର୍ମ ଚର୍ଚ୍ଚା କରୁଥିବାର ମୂର୍ତ୍ତି ସ୍ଥାନିତ ହୋଇଥିବା ସ୍ଥାନକୁ ସୁସଜ୍ଜିତ କରାଯାଇଥିଲା। ଏବେ ମୂର୍ତ୍ତି ଅଛି, କିନ୍ତୁ ଆଗଭଳି ଶୋଭା ଆଉ ନାହିଁ। ଏହାବ୍ୟତୀତ ମହାପ୍ରଭୁଙ୍କ ଭକ୍ତଗଣ, ଶିବଶଙ୍କର, ବୃଷଭଙ୍କ ମୂର୍ତ୍ତି ଶୋଭା ପାଉଛି। ମାତ୍ର ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିବା ଫୁଲ ଓ ସାଜସଜା ଗଛକୁ ହଟାଇ ଦିଆଯାଇଛି। ଆଲୋକୀକରଣ ବି ଭାଙ୍ଗିରୁଜି ଗଲାଣି। ମାତ୍ର ୫ ମାସ ଭିତରେ କୋଟିକୋଟି ଟଙ୍କାର ସୌନ୍ଦର୍ଯ୍ୟ ଉଜୁଡ଼ିଗଲା।