ଶ୍ରୀଳ ପ୍ରଭୁପାଦ ଓ ବିଶ୍ୱ ବୈଷ୍ଣବ ରାଜସଭା

ପ୍ରଫେସର ହରେକୃଷ୍ଣ ଶତପଥୀ

ଜଗନ୍ନିୟନ୍ତା ଜଗତ୍କର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣପଙ୍କଜରେ ସଂପୂର୍ଣ୍ଣ ସମର୍ପଣ ପୂର୍ବକ ପ୍ରଗାଢ଼ ଅନୁରାଗ ବା ପ୍ରେମ ହିଁ ହେଉଛି ଭକ୍ତି। ଭକ୍ତିରୁ ଆସେ ଶକ୍ତି, ଶକ୍ତିରୁ ଆସେ ଭଗବତ୍ ସାନ୍ନିଧ୍ୟ ଏବଂ ସାନ୍ନିଧ୍ୟରୁ ଆସେ ମନୁଷ୍ୟର କର୍ତ୍ତବ୍ୟ ସଂପାଦନ ପାଇଁ ସାମର୍ଥ୍ୟ। ଏହି ସାମର୍ଥ୍ୟ ଭକ୍ତ ମନରେ ଭରିଦିଏ ଆତ୍ମବିଶ୍ୱାସ। ଭକ୍ତିର ମୌଳିକ ଆଧାରଶିଳା ହେଉଛି ପ୍ରେମ। ଏହି ପ୍ରେମ ବା ମହାପ୍ରେମ ମନ୍ତ୍ରରେ ସମଗ୍ରବିଶ୍ୱକୁ ଅଭିମନ୍ତ୍ରିତ କରି ବିଶ୍ୱଭ୍ରାତୃତ୍ୱର ମହନୀୟତାକୁ ପ୍ରଚାର କରିବା ପାଇଁ ସ୍ୱୟଂ ମହାପ୍ରଭୁ ଶ୍ରୀକୃଷ୍ଣ ୧୪୮୬ ମସିହାରେ ଶ୍ରୀଚୈତନ୍ୟଭାବରେ ଆବିର୍ଭୂତ ହୋଇଥିଲେ। ଆଚାର୍ଯ୍ୟ ଶଙ୍କର ଅଦ୍ୱୈତ ଏବଂ ମଧ୍ୱାଚାର୍ଯ୍ୟଙ୍କର ଦ୍ୱୈତ ଦର୍ଶନ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଦୂରୀଭୂତକରି ଏକ ସମନ୍ୱୟବାଦୀ ଚିନ୍ତାଧାରାକୁ ଆଧାର କରି ମହାପ୍ରଭୁ ଚୈତନ୍ୟ ପ୍ରବର୍ତ୍ତନ କଲେ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ତାଙ୍କର ଶିକ୍ଷାଷ୍ଟକରେ ଥିବା ଆଠଗୋଟି ଶ୍ଳୋକ ବୈଷ୍ଣବଦର୍ଶନ ଓ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱର ସଂପୂର୍ଣ୍ଣ ତଥା ସାର୍ଥକ ସ୍ୱାକ୍ଷର କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାପ୍ରଭୁ ଶ୍ରୀଚୈତନ୍ୟଙ୍କର ଅପ୍ରକଟ ହେବା ପରେ ତାଙ୍କର ଦାର୍ଶନିକ ଚିନ୍ତାଧାରା ଓ ଗୌଡୀୟ ବୈଷ୍ଣବତତ୍ତ୍ୱକୁ ଆଗେଇ ନେବା ପାଇଁ ଜୀବ ଗୋସ୍ୱାମୀ ବିଶ୍ୱ ବୈଷ୍ଣବ ରାଜସଭା ପ୍ରତିଷ୍ଠା କଲେ ଏବଂ ଏହାର ପ୍ରଥମ ସଭାପତି ହେଲେ ଶ୍ରୀରୂପ ଗୋସ୍ୱାମୀ। ତାଙ୍କ ପରେ ବହୁତ ଦିନ ଧରି ଉକ୍ତ ଦାର୍ଶନିକ ଚିନ୍ତାଧାରା ପ୍ରଚାରପ୍ରସାର ପ୍ରସଙ୍ଗରେ ଐତିହାସିକ ପରିସ୍ଥିତି ଦୃଷ୍ଟିରୁ ଯଦ୍ୟପି କିଛି ବାଧାବିଘ୍ନର ସୂତ୍ରପାତ ହୋଇଥିଲା, ତଥାପି ଏହି ସତ୍ୟ ଓ ସନାତନ ଧାର୍ମିକ ଚେତନା ଓ ଦାର୍ଶନିକ ଭାବନାକୁ ପୁନରୁଜ୍ଜୀବିତ କରିଥିଲେ ଅଷ୍ଟାଦଶ ଶତାବ୍ଦୀର ଅନ୍ତିମ କାଳରେ ଶ୍ରୀଳ ଭକ୍ତିବିନୋଦ ଠାକୁର ଏବଂ ତା’ପରେ ଏହାକୁ ସମଗ୍ର ବିଶ୍ୱରେ ଯିଏ ଏକ ଆଧ୍ୟାତ୍ମିକ ଆନ୍ଦୋଳନରେ ପରିଣତ କରିଥିଲେ, ସେ ହେଉଛନ୍ତି ଏ ଜାତିର ପରମ ଆରାଧ୍ୟ ବିଶ୍ୱବୈଷ୍ଣବ ରାଜସଭାର ଅନନ୍ୟସାଧାରଣ ବିଶ୍ୱକର୍ମା ଶ୍ରୀଳ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ।

୧୮୭୪ ମସିହା ଫେବୃୟାରୀ ୬ ତାରିଖର ଶୁଭମୁହୁର୍ତ୍ତରେ ପିତା ଶ୍ରୀଳ ଭକ୍ତିବିନୋଦ ଠାକୁର ଏବଂ ମାତା ଭଗବତୀ ଦେବୀଙ୍କର କ୍ରୋଡମଣ୍ଡନ କରି ସମସ୍ତ ଦୈବୀକଳାର ଅଧିକାରୀ ହୋଇ ଓଡିଶାର ପୁରୁଷୋତ୍ତମ ଧାମରେ ଆବିର୍ଭୂତ ହେଲେ ଶ୍ରୀଳ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ (ଶ୍ରୀଳ ପ୍ରଭୁପାଦ) ପବିତ୍ର ବଡଦାଣ୍ଡରେ ଅବସ୍ଥିତ ଆଜିର ଶ୍ରୀଚୈତନ୍ୟ ଗୌଡୀୟ ମଠରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ଜଗଜ୍ଜନନୀ ମା’ ବିମଳାଙ୍କର ଆଶୀର୍ବାଦରେ ଶ୍ରୀଳ ପ୍ରଭୁୁପାଦଙ୍କର ଆବିର୍ଭାବ। ତେଣୁ ତାଙ୍କର ଶୈଶବ ଅବସ୍ଥାର ନାମ ଥିଲା ବିମଳାପ୍ରସାଦ। ତାଙ୍କୁ ୬ ମାସ ହୋଇଥିବା ସମୟରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥାଏ। ଶ୍ରୀମନ୍ଦିରରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ନବଦିନବ୍ୟାପୀ ଏହି ଘୋଷଯାତ୍ରାର ପ୍ରଥମଦିନରେ ତିନିଗୋଟି ରଥ ସିଂହଦ୍ୱାରରୁ ବାହାରି ଶ୍ରୀଚୈତନ୍ୟ ଗୌଡୀୟ ମଠ ନିକଟରେ ପହଞ୍ଚିଲା ପରେ ଆଉ ଭକ୍ତମାନଙ୍କର ଶତଚେଷ୍ଟା ସତ୍ତ୍ୱେ ଆଗକୁ ଚାଲିଲେ ନାହିଁ। କୁହାଯାଏ ସେଠାରେ ସେ ତିନିଦିନଧରି ଅଟକି ରହିଲେ। ମହାପ୍ରଭୁଙ୍କର ଇଚ୍ଛାକୁ ଜାଣିପାରି ଶ୍ରୀଳ ପ୍ରଭୁପାଦଙ୍କର ପିତା ଭକ୍ତିବିନୋଦ ଠାକୁର ଛଅମାସର ଶିଶୁପୁତ୍ରକୁ ରଥ ନିକଟକୁ ଆଣିଲେ ଏବଂ ରଥାରୂଢ ମହାପ୍ରଭୁଙ୍କୁ ଦେଖି ଜଣେ ନିଷ୍ଠାପର ଭକ୍ତଭାବରେ ଶିଶୁ ଶ୍ରୀଳ ପ୍ରଭୁପାଦ ମହାପ୍ରଭୁଙ୍କୁ ଆଲିଙ୍ଗନ କରିବାକୁ ଲାଗିଲେ। ଏହି ସମୟରେ ମହାପ୍ରଭୁଙ୍କର ଶ୍ରୀକଣ୍ଠରେ ଶୋଭିତ ଏକ ସୁନ୍ଦର ପୁଷ୍ପମାଳା ଅଦ୍ଭୁତ ଶିଶୁ ଶ୍ରୀଳ ପ୍ରଭୁପାଦଙ୍କର ଗଳାମଣ୍ଡନ କରିଥିଲା। ତା’ପରେ ରଥତ୍ରୟ ସେମାନଙ୍କର ଗନ୍ତବ୍ୟସ୍ଥଳ (ଗୁଣ୍ଡିଚାମନ୍ଦିର)କୁ ଯାଇଥିଲେ। ଶୈଶବ ଅବସ୍ଥାରୁ ତାଙ୍କର ଜଗନ୍ନାଥ ଭକ୍ତି ବିଷୟରେ ଜଣାପଡି ଯାଇଥିଲା। ଏହାପରେ ସେ ପିତାଙ୍କଠାରୁ ହରିନାମ ଓ ନୃସିଂହମନ୍ତ୍ର ଗ୍ରହଣ କରି ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକ ନବଜାଗରଣ ସୃଷ୍ଟିକରିବା ପାଇଁ ବାଲ୍ୟାବସ୍ଥାରୁ ହିଁ କାର୍ଯ୍ୟ ଆରମ୍ଭ କରିଦେଇଥିଲେ।

କଲିକତାର ବିଭିନ୍ନ ବିଦ୍ୟାଳୟ, ପାଠଶାଳା ଓ ଗୁରୁକୁଳରେ ଅଧ୍ୟୟନ ଶେଷ କରି ମହାପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ଭକ୍ତି ଆନ୍ଦୋଳନ ଓ ଦାର୍ଶନିକ ଚେତନାକୁ ଆଗେଇନେବା ପାଇଁ ଶ୍ରୀଳ ପ୍ରଭୁପାଦ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ଓଡିଆ, ଇଂରାଜୀ, ସଂସ୍କୃତ, ବଙ୍ଗାଳୀ ଓ ହିନ୍ଦୀ ପ୍ରଭୃତି ଅନେକ ଭାଷାରେ ଦକ୍ଷତା ଅର୍ଜନ କରି ଶ୍ରୀଳ ପ୍ରଭୁପାଦ ବିଭିନ୍ନ ଭାଷାରେ ପୁସ୍ତକ ରଚନା ଓ ପତ୍ରିକା ପ୍ରକାଶନ କରି ଭକ୍ତିତତ୍ତ୍ୱର ପ୍ରଚାର ଆରମ୍ଭ କରିଦେଲେ। ନଦିୟାରେ ଅବସ୍ଥାନ ସମୟରେ ସେ ବଙ୍ଗଳାଭାଷାରେ ଏକ ଦୈନିକ ଆଧ୍ୟାତ୍ମିକ ଖବରକାଗଜ ‘ନଦିୟା ପ୍ରକାଶ’, ଓଡିଆରେ ‘ପରମାର୍ଥୀ’, ଇଂରାଜୀରେ ‘ଦ ହାର୍ମୋନିଷ୍ଟ’, ଅସମୀୟା ଭାଷାରେ ‘କୀର୍ତ୍ତନ’ ଏବଂ ହିନ୍ଦୀ ଭାଷାରେ ‘ଭାଗବତ ପତ୍ରିକା’ ପ୍ରକାଶନ କରିବା ସହ ସମଗ୍ର ଭାରତବର୍ଷକୁ ବହୁବାର ପଦବ୍ରଜରେ ଭ୍ରମଣ କରି ସାଧାରଣଜନତାଙ୍କ ମନରେ ଆଧ୍ୟାତ୍ମିକଭାବନା ସୃଷ୍ଟିକରିଥିଲେ। ଏହା ବ୍ୟତୀତ ସେ ଛୋଟବଡ ପ୍ରାୟ ଏକ ହଜାର ପୁସ୍ତକ ଓ ପୁସ୍ତିକା ରଚନା କରି ଗୌଡୀୟ ବୈଷ୍ଣବ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲେ।

ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ଦାର୍ଶନିକ ଚିନ୍ତାଧାରାରେ ଆଧାରିତ ବିଶ୍ୱ ବୈଷ୍ଣବ ମହାସଭାର ପୁନରୁତ୍ଥାନ କରିବା ସଙ୍ଗେ ସଙ୍ଗେ ପ୍ରଥମେ ସେ ୧୯୧୮ ମସିହାରେ ନଦିୟା ବା ମାୟାପୁରଧାମରେ ଶ୍ରୀଗୌଡୀୟ ମଠ ଓ ଶ୍ରୀଗୌଡୀୟ ମିଶନ୍ ପ୍ରତିଷ୍ଠା କରି ପରେ ଭାରତର ବିଭିନ୍ନ ସ୍ଥାନରେ ଏହାର ୬୪ ଗୋଟି ଶାଖା ପ୍ରତିଷ୍ଠା କରିଥିଲେ। ହରେକୃଷ୍ଣ ମହାମନ୍ତ୍ର ନାମସଂକୀର୍ତ୍ତନ ଆନ୍ଦୋଳନକୁ ବିଶ୍ୱବ୍ୟାପୀ କରିବା ଉଦ୍ଦେଶ୍ୟରେ ଶ୍ରୀଳ ପ୍ରଭୁପାଦ ବିଦେଶରେ ଯଥା– ଇଂଲଣ୍ଡ, ବର୍ମା ଓ ଜର୍ମାନୀରେ ମଧ୍ୟ ଏହାର ତିନିଗୋଟି ଶାଖା ପ୍ରତିଷ୍ଠା କରାଇଥିଲେ। ବର୍ତ୍ତମାନ ଭାରତ ସମେତ ସମଗ୍ର ପୃଥିବୀରେ ବିଭିନ୍ନ ଦେଶରେ ଏହି ଗୌଡୀୟ ମଠ ଓ ମିଶନ୍‌ର ୧୨୦୦ ଶାଖା କାର୍ଯ୍ୟ କରୁଛନ୍ତି। ଏହି ମଠ ଓ ମିଶନ୍ ମାଧ୍ୟମରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ବନ୍ୟାବାତ୍ୟା ପ୍ରପୀଡିତ ଦୁର୍ଗତ ଲୋକଙ୍କୁ ରିଲିଫ ବଣ୍ଟନ, ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର ଆୟୋଜନ, ପରିବେଶ ପରିଷ୍କରଣ, ଜରାନିବାସନିର୍ମାଣ, ମାଗଣାବସ୍ତ୍ର ବିତରଣ, ଯୁବକମାନଙ୍କୁ ମାଗଣାରେ ବିଭିନ୍ନ କୌଶଳ ପ୍ରଶିକ୍ଷଣ, ଗୋସେବା ଓ ଗୋସଂରକ୍ଷଣ ଆଦି ଅନେକ ସାମାଜିକ ଏବଂ ଶୈକ୍ଷିକ କାର୍ଯ୍ୟ ସଂପାଦନ କରି ସମଗ୍ର ମାନବଜାତିର ଯେଉଁ କଲ୍ୟାଣ ସାଧନ କରୁଛନ୍ତି, ତା’ର ପଟାନ୍ତର ନାହିଁ। ଏହା ପଛରେ ରହିଛି ଶ୍ରୀଳ ପ୍ରଭୁପାଦଙ୍କର ଆଶୀର୍ବାଦ, ପ୍ରେରଣା ଓ ମାର୍ଗଦର୍ଶନ। ବୈଷ୍ଣବ ସନ୍ନ୍ୟାସୀମାନଙ୍କର ଜାବନଯାପନ ପ୍ରଣାଳୀ ହେଉଛି ଅତ୍ୟନ୍ତ ସରଳ, ନିରାଡମ୍ବର ଏବଂ କର୍ମଚଞ୍ଚଳ। ତୃଣଠାରୁ ମଧ୍ୟ ନୀଚ ଏବଂ ବୃକ୍ଷଠାରୁ ମଧ୍ୟ ସହିଷ୍ଣୁ ହୋଇ ଏହି ପୂଜ୍ୟ ଆଚାର୍ଯ୍ୟମାନେ ମାନବଜାତିର ଉଭୟ ଆଧ୍ୟାତ୍ମିକ ଓ ଭୌତିକ କଲ୍ୟାଣ ସାଧନ କରିଥାନ୍ତି। ଭାରତୀୟ ଶିକ୍ଷାପଦ୍ଧତିର ତାହା ହିଁ ଉଦ୍ଦେଶ୍ୟ। ବିଦ୍ୟା ଦଦାତି ବିନୟମ୍। ବିଦ୍ୟା ଅଧ୍ୟୟନ ଆମ୍ଭଙ୍କୁ ବିନୟଭାବନାରେ ମଣ୍ଡିତ କରିଥାଏ। ଶ୍ରୀଳ ପ୍ରଭୁପାଦ ଏବଂ ଶ୍ରୀଚୈତନ୍ୟଙ୍କର ଶିକ୍ଷାଷ୍ଟକରେ ଅନୁପ୍ରାଣିତ ପ୍ରତ୍ୟେକ ବୈଷ୍ଣବ ଭକ୍ତ ଜଣେ ଜଣେ ବିନମ୍ରତା ଓ ସହିଷ୍ଣୁତାର ମୂର୍ତ୍ତିମାନ ପ୍ରତୀକ। ଆନନ୍ଦର କଥା – ଶ୍ରୀଳପ୍ରଭୁପାଦଙ୍କର ବିଶ୍ୱ ବୈଷ୍ଣବ ରାଜସଭାକୁ ମନେପକାଇ ଆଜି ପୃଥିବୀର ସର୍ବଶ୍ରେଷ୍ଠ ବୈଷ୍ଣବ କ୍ଷେତ୍ର ପୁରୀଠାରେ ବିଶ୍ୱବୈଷ୍ଣବ ସମ୍ମେଳନର ଆୟୋଜନ କରାଯାଇଛି ଏବଂ ଭାରତର ମହାମହିମ ରାଷ୍ଟ୍ରପତି ଏହାକୁ ଉଦ୍ଘାଟନ କରୁଛନ୍ତି। ଅୟମାରମ୍ଭ ଶୁଭାୟ ଭବତୁ।
ପ୍ରାକ୍ତନ କୁଳପତି, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, କିସ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୋ: ୮୭୬୩୭୦୬୬୯୫

ସମ୍ବନ୍ଧିତ ଖବର