ସମ୍ବଲପୁର: ଶ୍ରୀ କଲ୍‌ଚରାଲ୍ ଆସୋସିଏସନ୍ ଆୟୋଜିତ ନାଟ୍ୟ ମହୋତ୍ସବ ଶ୍ରୀ ରଂଗ ସମାଗମ-୨୦୨୨ ରବିବାର ଉଦ୍‌ଯାପିତ ହୋଇଛି। ସତ୍ୟରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଥମେ ବିଶିଷ୍ଟ ନାଟ୍ୟବିତ୍ ପ୍ରଦୀପ ଭୋଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା।  ସମ୍ବଲପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ. ଶୁକମୁନି ମେହେର ଅତିଥିଭାବେ ଯୋଗ ଦେଇଥିଲେ। ଭବାନୀପାଟଣାର ଶୁଭେନ୍ଦୁ ମହାପାତ୍ରଙ୍କୁ ସ୍ବର୍ଗତ ପଞ୍ଚାନନ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରା ଯାଇଥିଲା।

Advertisment

ଝାଡ଼ୁଆପଡ଼ାର ଆରଣ୍ୟକ ମଞ୍ଚରେ ଅନୁଷ୍ଠିତ ଏହି ୩ ଦିନିଆ ମହୋତ୍ସବର ଅନ୍ତିମ ସଂଧ୍ୟାରେ ଆୟୋଜକ ଶ୍ରୀ କଲ୍‌ଚରାଲ୍ ଆ‌େସାସିଏସନ୍ ତରଫରୁ ସମ୍ବଲପୁରୀ ନାଟକ ‘ତ୍ରିଶଂକୁ’ ପରିବେଷିତ ହୋଇଥିଲା। ହସ୍ତିନାର ମହାପରାକ୍ରମୀ ରାଜା ଯଯାତିଙ୍କ ଜୀବନ କାହାଣୀ, ବିବାହ, ଅକାଳ ବାର୍ଦ୍ଧକ୍ୟ ଓ ଯୌବନ ଫେରି ପାଇବାର ପୌରାଣିକ କଥାବସ୍ତୁକୁ ନେଇ ରଚିତ ଏହି ସମ୍ବଲପୁରୀ ନାଟକଟି ବେଶ ମନଛୁଆଁ ହୋଇଥିଲା। ଆଶିଷ ସୋନାରଙ୍କ ରଚିତ ଏବଂ ସତ୍ୟରଂଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ନାଟକରେ ମୀନା ବୋଷ, ସୁଶୀଳା ନାୟାର, ଦିଲୀପ ଦେବ, ଲଳିତ ବେବର୍ତ୍ତା, ଜଗଦୀଶ ମହାପାତ୍ର, ସତ୍ୟ ନାରାୟଣ ସାହୁ, ସ୍ବାଧୀନ ଆଚାର୍ଯ୍ୟ, ମାନସ ପଟ୍ଟନାୟକ ଅଭିନୟ କରିଥିଲେ। ସୌମ୍ୟଜିତ ବଡ଼ପଣ୍ଡା ସଂଗୀତ ଦେଇଥିଲାବେଳେ ଆଲୋକ ସ୍ବାଗର ସ୍ବାଇଁ ଏବଂ ମଞ୍ଚସଜ୍ଜା ଦେବେନ ଅମାତ କରିଥିଲେ।