ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି । ଭୂମିପୂଜନ ଅବସରରେ ସେ କହିଛନ୍ତି ଯେ, ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଓଡ଼ିଶାରେ ଆଇଆଇଟି ଭୁବନେଶ୍ୱର, ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ବ୍ରହ୍ମପୁର ଆଇଜର ଭଳି ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି । ମିଶନ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶାର ପିଲା ମାନଙ୍କୁ ବୌଦ୍ଧିକ ଜଗତରେ ଉଚ୍ଚ ସ୍ଥାନକୁ ନେବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍ ।

Advertisment

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୋଦୀ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ସାମଗ୍ରିକ ଶିକ୍ଷା ଯୋଜନାରେ ଆଗାମୀ ୪ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଖର୍ଚ୍ଚ ହେବ ଓ ଓଡ଼ିଶା ସମେତ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବ । ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ । ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ ।

publive-image

ଚଳିତବର୍ଷ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଶିକ୍ଷକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ୪ ବର୍ଷୀୟା ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ ବା ଆଇଟେପର ପାଇଲଟ୍ ମଡ଼େଲ ଆରମ୍ଭ କରାଯିବ । ଏହା ଦ୍ୱାରା ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ହେବ । ଆଇଆଇଟି ଭୁବନେଶ୍ୱର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଏଠାକାର ଅନୁକୂଳ ପରିବେଶରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ଟେକ୍ନୋଲୋଜିର ବ୍ୟବହାରକୁ ଜାଣିବା ପାଇଁ ଆଗ୍ରହୀ ହେବେ । ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଅବଦୁଲ କଲାମ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ସ୍ୱପ୍ନ ଦେଖିବେ । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହେବା ପରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାର ସୁଯୋଗ ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଏହି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରାଯିବ ।

publive-image

ଆଇଆଇଟି ଭୁବନେଶ୍ୱରର ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିଛନ୍ତି।। ଚଳିତ ଶିକ୍ଷା ବର୍ଷରୁ ଏହି ଅସ୍ଥାୟୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ । ଦୀର୍ଘ ୨୦୦ ବର୍ଷ ପୂର୍ବେ ବିଶିଷ୍ଟ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ବ୍ରିଟିଶଙ୍କ ନିର୍ଯ୍ୟାତନା ବିରୁଦ୍ଧରେ ପାଇକମାନେ ବିଦ୍ରୋହ କରିଥିଲେ। କେବଳ ଓଡ଼ିଆ ଜାତିର ସ୍ୱାଭିମାନ ଏବଂ ଅଧିକାର ପାଇଁ ବୀର ପାଇକମାନେ ଲଢ଼େଇ କରିନଥିଲେ ବରଂ ଜନଆସ୍ଥା ପାଇଁ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସାଙ୍ଗରେ ଆଲୋଚନା କରିଛନ୍ତି । ଏହି ସ୍ମାରକୀ ସ୍ଥଳ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଆ ଜାତିର ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି କହିଛନ୍ତି ।