ପୁରୀ: ପୁରୀ ବଡ଼ଦାଣ୍ଡକୁ ଲାଗି ରହିଥିବା ଶ୍ରୀଜଗନ୍ନାଥବଲ୍ଲଭ ମଠ ଏକ ଐତିହ୍ୟସଂପନ୍ନ ମଠ। ବର୍ଷକ ୧୨ ମାସ ମହାପ୍ରଭୁଙ୍କ ନୀତିକାନ୍ତି ଏଠାରେ ହୋଇଥାଏ। ମହାପ୍ରଭୁ ନିଜେ ବିମାନରେ ବସି ଏଠାକୁ ଆସିଥାନ୍ତି। ବେଣ୍ଟ ଶିକାର, ଚନ୍ଦନଯାତ୍ରା, ଶ୍ରୀକୃଷ୍ଣ ଓ ବଳଭଦ୍ର ଜନ୍ମ ନୀତି, ଦୟଣା ଚୋରି ଭଳି ମହାପ୍ରଭୁଙ୍କ ୬୪ ପ୍ରକାର ନୀତିକାନ୍ତି ଏଠାରେ ଅନୁଷ୍ଠିତ ହୋଇଥାଏ। ଏଠାରେ ଥିବା ପ୍ରମୋଦ ଉଦ୍ୟାନକୁ ବି ମହାପ୍ରଭୁ ରାତିରେ ନିକାଞ୍ଚନରେ ଆସିଥାନ୍ତି ବୋଲି ବିଶ୍ବାସ ରହିଛି।

Advertisment

ତଥାପି ଏହି ମଠର ଅସ୍ତିତ୍ବକୁ ସଂପୂର୍ଣ୍ଣ ବିଲୋପ କରିଦେବାକୁ ଷଡ୍‌ଯନ୍ତ୍ର ଚାଲିଛି। ଯେଉଁ ମଠ ଦିନେ ଅଚଳାଚଳ ସମ୍ପତ୍ତିର ମାଲିକ ଥିଲା, ସେ ଆଜି ଶ୍ରୀମନ୍ଦିର ପ୍ରଶାସନ ଅନୁଦାନକୁ ଅପେକ୍ଷା କରୁଛି। ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗର ସମନ୍ବୟ ଅଭାବରୁ ଏହି ମଠ ଭବିଷ୍ୟତରେ ଘୋର ଆର୍ଥିକ ସଂକଟ ଦେଇ ଗତି କରିବା ଆଶଙ୍କା ଦେଖାଦେଇଛି। ଏହା ଉଭୟ ମଠ ଓ ମହାପ୍ରଭୁଙ୍କ ନୀତିକାନ୍ତିକୁ ପ୍ରଭାବିତ କରିବା ଆଶଙ୍କା ଦେଖାଦେଲାଣି। ସେପଟେ ଦେଢ଼ ବର୍ଷ ପରେ ବି ମଠ ପରିଚାଳନା ପାଇଁ ବୋର୍ଡ ଗଠନ ନ ହେବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଐତିହାସିକଙ୍କ ମତରେ ୧୨ଶହ ଖ୍ରୀଷ୍ଟଦ୍ଦରେ ବଲ୍ଲଭାଚାର୍ଯ୍ୟ ସ୍ବାମୀଙ୍କ ନାଁରେ ପ୍ରଥମେ ଶ୍ରୀଜଗନ୍ନାଥବଲ୍ଲଭ ମଠ ଆରମ୍ଭ ହୋଇଥିଲା। ତାଙ୍କ ନାଁରେ ମଠ ନାଁ ଶ୍ରୀଜଗନ୍ନାଥବଲ୍ଲଭ ରହିଛି। ପରେ ୧୫ଶହ ଖ୍ରୀଷ୍ଟାଦ୍ଦରେ ସ୍ବାମୀ ରମାନନ୍ଦ ରାୟଙ୍କ ଦ୍ବାରା ଏହି ମଠ ପ୍ରତିଷ୍ଠା ଲାଭ କରିଥିଲା। ମଠର ଦାନଧର୍ମ ବି ବ୍ୟାପକ ହୋଇଥିଲା। ମଠରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଚତୁର୍ଭୁଜା ଗୋପାଳଜୀ, ରାଧାରାଣୀ, ଲଳିତା, ଶ୍ରୀନାରାୟଣ, ଚୈତନ୍ୟ ମହାପ୍ରଭୁ, ସ୍ବାମୀ ରାମାନ୍ଦ ରାୟ ପୂଜା ପାଉଛନ୍ତି। ମଠ ବ୍ୟାପକତା ପରେ ଦାନଧର୍ମ ବଢ଼ିବାରୁ ଅନେକ ଧାର୍ମିକ ବ୍ୟକ୍ତି ମଠକୁ ଜମି ଦାନସୂତ୍ରରେ ଦେଇଥିଲେ। ଯେଉଁଥିରୁ ମଠର ନୀତିକାନ୍ତି ସହ ଅନ୍ୟାନ୍ୟ ସେବା କରାଯାଉଥିଲା। ମହାପ୍ରଭୁଙ୍କ ନୀତିକାନ୍ତି ବି କରାଯାଉଥିଲା। ମିଳିଥିବା ସୂଚନା ମୁତାବକ, ପୂର୍ବରୁ ମଠ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୧୫ଶହ ଏକର ଜମି ରହିଥିଲା। ମଠ ଯେଉଁ ଜାଗାରେ ରହିଛି, ସେଠି ୫୭ ଏକର ଜମି ରହିଥିଲା। କାଳକ୍ରମେ ଏହା ଜବରଦଖଲକୁ ଚାଲିଗଲା। ଶେଷରେ ୨୦୧୪ ମସିହାରେ ମଠର ସବୁ ସମ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଚାଲିଯାଇଛି। ଫଳରେ ଆଗଭଳି ଆଉ ମଠକୁ ରାଜସ୍ବ ଆସୁନି।

ମଠ ଜାଗାରେ ପାର୍କିଂ ପାଇଁ ଯେଉଁ ପାର୍କିଂ ଫି’ ଆସୁଥିଲା, ତାହା ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଯାଉଛି। ଚଳିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଦାୟ ପାର୍କିଂ ଫି’ରୁ ୫୦ ପ୍ରତିଶତ ଅର୍ଥ ମଠକୁ ଦେଉଛି। ସେହିଭଳି କିଛି ଦୋକାନ ଘରୁ ଭଡ଼ା ଆସୁଛି। ମଠ ଚଳିବା ପାଇଁ ଏତିକି କେବଳ ରାଜସ୍ବ। ଯେଉଁଥିରେ ମଠର ନୀତିକାନ୍ତି ସହ ଅଧିକାରୀ, କର୍ମଚାରୀଙ୍କ ଦରମା ଦେବାକୁ ପଡ଼ୁଛି। ମହାପ୍ରଭୁଙ୍କ ନୀତିକାନ୍ତି, ପାଳିଆ ସେବକଙ୍କ ପାଉଣା, ଖେଇ ଆଦି ଦେବାକୁ ପଡ଼ୁଛି। ଏଣୁ ଆଗଭଳି ରାଜସ୍ବ ଆସୁ ନଥିବାରୁ ମଠ ଆର୍ଥିକ ସଂକଟ ଦେଇ ଗତି କରୁଛି। ଶ୍ରୀଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂ ପରେ ମଠର ପାର୍କିଂ ବନ୍ଦ ହୋଇଯିବା ସହ ଏ ବାବଦ ପାର୍କିଂ ଫି’ ମଧ୍ୟ ଆସିବା ବନ୍ଦ ହୋଇଯିବ। ଫଳରେ ମଠ ଘୋର ଆର୍ଥିକ ସଂକଟ ଦେଇ ଗତି କରିବ। ଅନ୍ୟପଟେ ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମଠ ପରିଚାଳନା ପାଇଁ ଗଠିତ ଟ୍ରଷ୍ଟ ବୋର୍ଡ ୨୦୨୨ ମସିବା ମେ’ ମାସରୁ ଭାଙ୍ଗିଗଲାଣି। ସେବେଠୁ ଆଉ ନୂଆ ବୋର୍ଡ ଗଠନ କରାଯାଉନି। ଅତିରିକ୍ତ ଜିଲ୍ଲାପାଳ ମଠର ସଭାପତି ଦାୟିତ୍ବ ତୁଲାଉଛନ୍ତି। ତେବେ ବୋର୍ଡ ଗଠନ ହେଉନଥିବାରୁ ମଠ ଉନ୍ନତି ଦିଗରେ ଏହା ପ୍ରତିବନ୍ଧକ ସାଜିଛି।