ସେହି ଶେଷ ୬ ସେକେଣ୍ଡ ବଦଳାଇ ଦେଲା ଭାରତର ଭାଗ୍ୟ, ୪୧ ବର୍ଷ ପରେ ଦେଶକୁ ଆସିଲା ଅଲିମ୍ପିକ୍ସ ପଦକ

ଭୁବନେଶ୍ୱର: ସେହି ଶେଷ ୬ ସେକେଣ୍ଡ । ଯାହା ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରେ ପୋଡିୟମ ଫିନିସ କରିବାକୁ ସୁଯୋଗ ଦେଇଥିଲା । ଶେଷ ୬ ସେକେଣ୍ଡରେ କଣ ହେବ ତାହା ଉପରେ ପୂରା ଦେଶର ନଜର ରହିଥିଲା । କିନ୍ତୁ ଜର୍ମାନୀର ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଭାରତକୁ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଭେଟି ଦେଇଥିଲେ ଗୋଲକିପର ପି.ଆର ଶ୍ରୀଜେଶ । ସେତେବେଳେ ଶ୍ରୀଜେଶଙ୍କୁ ଭାରତର ଦ ୱାଲ ଭାବେ ପରିଚୟ ମିଳିଲା । କିଏ ସଙ୍କଟମୋଚକ କହିଲା ତ ପୁଣି କିଏ ପଦକ ବିଜୟ ପଛର ପ୍ରକୃତ ହିରୋର ଟ୍ୟାଗ୍ ଦେଲା । ପୂରା ଦେଶ ଶ୍ରୀଜେଶଙ୍କୁ ପ୍ରଂଶସାରେ ପୋତି ପକାଇଲେ । କିନ୍ତୁ ପଡିଆ ଭିତରେ ସେହି ଶେଷ ୬ ସେକେଣ୍ଡରେ ଶ୍ରୀଜେଶ କଣ ଭାବୁଥିଲେ ତାହା ଓଡ଼ିଶାରେ ବଖାଣିଛନ୍ତି ।


ରାଜ୍ୟ ସରକାରଙ୍କ ନିମନ୍ତ୍ରଣକ୍ରମେ ଭାରତୀୟ ହକି ଟିମ୍ ଓଡ଼ିଶା ଆସିଥିବା ବେଳେ ପ୍ରେସମିଟରେ ଶେଷ ୬ ସେକେଣ୍ଡର କାହାଣୀ କହିଛନ୍ତି ଶ୍ରୀଜେଶ । ଶେଷ ୬ ସେକେଣ୍ଡ ପାଇଁ କଣ ରଣନୀତି କରିଥିଲେ ତାହା ଉପରୁ ପରଦା ହଟାଇଛନ୍ତି ଶ୍ରୀଜେଶ । ଜର୍ମାନୀ ପେନାଲ୍ଟି କର୍ଣ୍ଣର ପାଇବା ପରେ ଆଉ କିଛି ଅଲଗା ଭାବିବା ପାଇଁ ସମୟ ନଥିଲା । କେବଳ ଏହି ଗୋଲକୁ କିଭଳି ରୋକି ହେବ ସେ ବାବଦରେ ଚିନ୍ତା କରୁଥିଲି ବୋଲି କହିଛନ୍ତି ଶ୍ରୀଜେଶ । ଏପରିକି ଫଳାଫଳ କଣ ହେବ ସେ ବାବଦରେ ନ ଭାବି ବିପକ୍ଷ ଦଳ କଣ ଚିନ୍ତା କରୁଛନ୍ତି ତାହାକୁ ପରଖିଥିଲି । ଆଉ ଜଣେ ଗୋଲକିପର ଭାବେ ମୋର ଦାୟିତ୍ୱ ଥିଲା ଗୋଲ ଅଟକାଇବା ଏବଂ ଏହାକୁ କରିବାକୁ ଜି ଜାନ ଲଗାଇ ଦେଇଥିଲି । ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ପାଇବାରେ ସଫଳ ହୋଇଥିଲା । ତେବେ ବିଜୟ ପରେ ଗୋଲପୋଷ୍ଟ ଉପରେ ବସି ବେଶ ଖୁସି ହୋଇଥିଲି ବୋଲି କହିଛନ୍ତି ଶ୍ରୀଜେଶ । ଆଉ ଏହି ମୁହୂର୍ତ୍ତ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ଭାରତୀୟ ଗୋଲକିପର କହିଛନ୍ତି ।

ସମ୍ବନ୍ଧିତ ଖବର