ରାୟଗଡା: ବାପା ଥିଲେ ଜଣେ ଚାଷୀ। ତେବେ ସେ ଚାଷ କାମରେ ସେତେଟା ସଫଳତା ପାଇ ନ ଥିବା ବେଳେ ତାଙ୍କ ପୁଅ ହୋଇପାରିଛନ୍ତି ରାୟଗଡା ଜିଲ୍ଳା ସଦର ବ୍ଳକ ପେଣ୍ଟା ଗ୍ରାମର ଜଣେ ସଫଳ ଚାଷୀ। ଜଣେ ପରିଶ୍ରମୀ ମଣିଷଙ୍କ ନିଷ୍ଠାପର ଉଦ୍ୟମ ଫଳରେ ସମ୍ଭବ କରି ଦେଖାଇଥିବା ସଫଳ ଚାଷୀ ଜଣକ ହେଲେ ଦୋଡଲା ଶ୍ରୀନିବାସ।ବ୍ୟକ୍ତିଗତ ଇଚ୍ଛା ଆଉ ସରକାରୀ ସାହାଯ୍ୟ ବଳରେ ଜିଲ୍ଳାର କୋଲନରା ବ୍ଳକ ସୁରୀ ଗ୍ରାମ ପଂଚାୟତ ଅଧିନସ୍ଥ ତୋଟାଗୁଡା ଅଂଚଳରେ ପ୍ରାୟ ୫୦ଏକର ଚାଷ ଜମିରେ ଏବେ ହସୁଛି ସବୁଜିମା। ଏବେ ପନିପରିବା ଫସଲରେ ପରିପୂର୍ଣ୍ଣ ହୋଇଛି ପାହାଡିଆ ଭୂଇଁ। ଆଜି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଫାର୍ମରେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି।
/sambad/media/post_attachments/wp-content/uploads/2023/11/Rgda-farmer-Srinibas-story-7.jpg)
ଶ୍ରୀନିବାସଙ୍କ ଜମିରେ କାମ କରୁଥିବା ଲୋକେ ମଧ୍ୟ ବେଶ ଦିପଇସା ରୋଜଗାର କରୁଥିବା କହିଛନ୍ତି। ବାଇଗଣ, ଲାଉ, କାକୁଡି, ବରବଟି, କଲରା, ଟମାଟ, କଂଚାଲଙ୍କା ଭଳି କିସମ କିସମ ଫସଲ ସହ ମକା, ପାମ ଓଏଲ୍, କପା ଭଳି ଅର୍ଥକାରୀ ଫସଲରେ ପରିପୂର୍ଣ୍ଣ ଏକର ଏକର ଜମି। ବର୍ଷର ସବୁ ସମୟରେ ଏମିତି ଫଳ ପନିପରିବାରେ ଭରି ରହିଥାଏ ଦୋଡଲା ଶ୍ରୀନିବାସଙ୍କ ଜମିରେ। ରାୟଗଡା ଜିଲ୍ଳା ସଦର ମହକୁମାର ଠାରୁ ୨୫ କିଲୋମିଟର ଦୂରରେ ଥିବା ତୋଟାଗୁଡା ଗ୍ରାମରେ ଥିବା ପାହାଡ଼ିଆ ଜମିରେ ଚାଷ କରି ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀନିବାସ।
/sambad/media/post_attachments/wp-content/uploads/2023/11/Rgda-farmer-Srinibas-story-5-e1700055465602.jpg)
ଏ ଅଂଚଳରେ ଥିବା କିଛି ନିଜ ଜମି ସହ ଆଉ କିଛି ଏକର ଜମି ଲିଜ୍ ଆକାରରେ ନେଇ ଚାଷ ଆରମ୍ଭ କରିଥିଲେ ଚାଷୀ ଶ୍ରୀନିବାସ। ଉଦ୍ଦେଶ୍ୟ ଥିଲା କୃଷି କାର୍ଯ୍ୟରେ ସଫଳ ହେବା। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ଓ କୃଷି ବିଭାଗର ସହାୟତାରେ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ପାଇ ଚାଷ କାମ ଆରମ୍ଭ କରିଥିଲେ। ଏଥିରେ ସେ ରିହାତି ମଧ୍ୟ ପାଇଥିଲେ। ତେବେ ପରିଶ୍ରମ କରିଥିବାରୁ ଆଜି ତାଙ୍କ ଏହି ଜମିରେ ବର୍ଷ ତମାମ ପରିବା ଫଳୁଛି। ସପ୍ତାହକୁ ୨୦୦ଟନରୁ ଅଧିକା ବାଇଗଣ ଉତ୍ପାଦନ ହେଉଥିବା ବେଳେ ଅନ୍ୟ ପନିପରିବାକୁ ମଧ୍ୟ ରାୟଗଡା ବଜାର ସମେତ ବ୍ରହ୍ମପୁର, ଭୁବନେଶ୍ୱର ସହ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣମ, ହାଇଦ୍ରାବାଦ ଭଳି ବଡ଼ବଡ଼ ସହରକୁ ସେ ରପ୍ତାନୀ କରି ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି।
ପ୍ରଥମେ ସେ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଆବଶ୍ୟକ ମୁତାବକ ଫର୍ଟିଲାଇଜର ବ୍ୟବହାର କରୁଛନ୍ତି। ଅଧିକାଂଶ ସମୟରେ ସେ ଗୋବର ଖତ ବ୍ୟବହାର କରି ବଜାରକୁ ସତେଜ ପନିପରିବା ଯୋଗାଇ ଦେଉଛନ୍ତି। ରାୟଗଡା ଜିଲ୍ଳାରେ ଚାଷୀଙ୍କ ପାଇଁ ବଜାର ତଥା ଶୀତଳ ଭଣ୍ଡାରର କୈାଣସି ସୁବିଧା ନ ଥିବା ଯୋଗୁଁ ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତ୍ୟେକ ବ୍ଳକରେ ଗୋଟିଏ ଲେଖାଁଏ ଶୀତଳ ଭଣ୍ଡାର ଏବଂ ବଜାରୀକରଣ ସୁବିଧା ପାଇଁ ସେ ଅନୁରୋଧ କରିଛନ୍ତି। ସଫଳ ଚାଷୀ ଦୋଡଲା ଶ୍ରୀନିବାସଙ୍କ ଏହି ସଫଳତାକୁ ନେଇ ପୂର୍ବତନ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଶ୍ରୀନିବାସଙ୍କ ଫାର୍ମକୁ ଗସ୍ତ କରି ତାଙ୍କର ପରିଶ୍ରମୀ ବ୍ୟକ୍ତିତ୍ୱକୁ ପ୍ରଶଂସା କରିବା ସହ ସରକାରଙ୍କ ତରଫରୁ ଆହୁରି ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲେ। ବାପାଙ୍କ ଚାଷ କାମରୁ ଅନୁପ୍ରାଣିତ ହୋଇ ସେ ଚାଷ ପ୍ରତି ଆକୃଷ୍ଟ ହୋଇ ଦୀର୍ଘ ୪ବର୍ଷ ତଳେ ଚାଷ କରି ସଫଳତା ପାଇଥିବା ବେଳେ ଯୁବପିଢୀ ଯେଉଁମାନେ ଚାକିରି ଆଶାରେ ନିଜ ସମୟ ନଷ୍ଟ କରୁଛନ୍ତି ସେମାନେ ସରକାରୀ ଯୋଜନାର ସହାୟତା ପାଇ କୃଷି କାମକୁ ଆପଣାଇଲେ ସଫଳତା ତାଙ୍କୁ ଅନେକ ଶୀର୍ଷକୁ ନେଇଯିବ ବୋଲି ଦୋଡଲା ଶ୍ରୀନିବାସ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Shrinivas-Farming-Given-Jobs-To-50-People_Thumbnail.jpg)