କରୋନା ପାଇଁ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ସ୍ଥଗିତ  

ଭଦ୍ରକ: ମହାମାରୀ କରୋନା ପାଇଁ ଭଦ୍ରକର ଐତିହାସିକ ଗାନ୍ଧୀ ପଡିଆରେ ଆସନ୍ତା ଏପ୍ରିଲ ୨ ତାରିଖଠାରୁ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞକୁ ସ୍ଥଗିତ ରଖାଯାଇଛି। ଭଦ୍ରକର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରତିବର୍ଷ ମହାଆଡମ୍ବରରେ ପାଳିତ ହେଉଥିବା ଏହି ମହାଯଜ୍ଞ ଓ ଏହାର ବିଶାଳ କଳସ ଶୋଭାଯାତ୍ରାକୁ ଏଥର ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାଯଜ୍ଞ ସମିତିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ଶ୍ରୀରାମ ନବମୀ ମହାଯଜ୍ଞକୁ ଚଳିତ ବର୍ଷ ସାମୂହିକ ଭାବେ ପାଳନ ନକରିବାକୁ ଭଦ୍ରକର ଶ୍ରୀରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ନିଷ୍ପିତ୍ତି ନିଆଯାଇଛି।

ଏହି ମହୋତ୍ସବ ପାଇଁ ଆୟୋଜିତ ହେବାକୁ ଥିବା ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି ବୋଲି ମହାଯଜ୍ଞ ସମିତିର ସଭାପତି ବରିଷ୍ଠ ଅଧିବକ୍ତା ରାୟ ରାମାନନ୍ଦ ମହାପାତ୍ର ଓ ସଂପାଦକ ଶରତ ପଢିହାରୀ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ରାମ ଭକ୍ତମାନେ ଶ୍ରୀରାମ ନବମୀ ଉତ୍ସବକୁ ପାରିବାରିକ ଭାବେ ନିଜ ନିଜ ଘରେ ନିରାଡମ୍ବର ଭାବେ ପାଳନ କରିବା ସହ ବିଶ୍ବ ମହାମାରୀ କରୋନାର ମୁକାବିଲା ପାଇଁ ପ୍ରତି ଘରେ ଏଥିପାଇଁ ଦ୍ବୀପ ଜାଳି ପ୍ରଭୁ ଶ୍ରୀରାମଙ୍କୁ ପୂଜା ଅର୍ଚ୍ଚନା କରିବାକୁ ସମିତି ପକ୍ଷରୁ ନିବଦେନ କରାଯାଇଛି।

ଆସନ୍ତା ଏପ୍ରିଲ ୨ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଦିନ ରାମଭକ୍ତମାନେ ସେମାନଙ୍କ ଘରେ ପୂଜା ଅର୍ଚ୍ଚନା କରିବା ସହ ନିଜ ବାସଭବନରେ ରାମଧୂନ, ହନୁମାନ ଚାଳିଶା ପଠନ, ଶଙ୍ଖଧ୍ୱନୀ ଦେବାକୁ ନିବେଦନ କରାଯାଇଛି। ରାମ ନବମୀ ପାଇଁ ବିଶାଳ କଳସ ଶୋଭାଯାତ୍ରାକୁ ସ୍ଥଗିତ କରାଯାଇଥିବା ବେଳେ ସେହିଦିନ ସକା‌ଳେ ପ୍ରତି ଭକ୍ତଙ୍କ ବାସଭବନରେ ସମ୍ମୁଖରେ କଳସ ସ୍ଥାପନ ଓ ଛାତରେ ଗୌରିକ ପତାକା ଲଗାଇବା ବିଶ୍ବ ମହାମାରୀ କରୋନାରୁ ବିଶ୍ବକୁ ଉଦ୍ଧାର ପାଇଁ ଶ୍ରୀରାମକୁ ପ୍ରାର୍ଥନା କରିବାକୁ ମହାଯଜ୍ଞ ସମିତ ପକ୍ଷରୁ ନିବତେନ କରାଯାଇଛି।

ପ୍ରକାଶ ଥାଉକି ୧୯୯୧ ମସିହାଠାରୁ ଭଦ୍ରକ‌ରେ ପାଳିତ ହୋଇ ଆସୁଛି ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ। ଚଳିତ ବର୍ଷ ପାଳିତ ହୋଇଥାନ୍ତା ୩୦ତମ ମହାଯଜ୍ଞ ମହୋତ୍ସବ। ମାତ୍ର କରୋନା ଫିକା ପକାଇ ଦେଲା ସବୁ କିଛି। କରୋନା ଭାଇରସରୁ ରକ୍ଷା ପାଇଁ ସବୁ ଆଡେ ଲକ୍ ଡାଉନ୍ କରାଯାଇଥିବା ବେଳେ ଭଦ୍ରକ ସହର ମଧ୍ୟ ସଂପୂର୍ଣ୍ଣ ଭାବେ ଲକ୍ ଡାଉନ୍ କରାଯାଇଛି।

ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଯଜ୍ଞ ଉତ୍ସବର ପ୍ରଥମ ଦିନରେ କରାଯାଉଥିବା କଳସ ଶୋଭାଯାତ୍ରାରେ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କର ସମାଗମ ହୋଇଥାଏ। ସେହିପରି ମହାଯଜ୍ଞର ପୂର୍ଣ୍ଣାହୁତି ଦିନ ଶହେରୁ ଦେଢ ଶହ ସୁସଜ୍ଜିତ ମେଢ ନଗର ସଂକୀର୍ତ୍ତନରେ ସାମିଲ ହୋଇଥାଏ। ଏଇ ନଗର ସଂକୀର୍ତ୍ତନରେ ଲକ୍ଷାଧିକ ରାମଭକ୍ତଙ୍କର ସମାଗମ ହୁଏ। କେବଳ ସେତିକି ନୁହେଁ, ଗୋପୂଜନଠାରୁ ଆରମ୍ଭ କରି ଗଣଦୌଡ, ରାମ ଚଳିତ ମାନସ, ହୁନୁମାନ ଚାଳିଶା ପାଠ କରାଯିବା ସହ ପ୍ରତିଦିନ ସଂଖ୍ୟାରେ ଏତିହାସିକ ଗାନ୍ଧୀପଡିଆର ଯଜ୍ଞ ମଣ୍ଡପରେ ପଣ୍ଡିତମାନଙ୍କ ଦ୍ବାରା ପ୍ରବଚନ ଓ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ।

ସମ୍ବନ୍ଧିତ ଖବର