ଭୁବନେଶ୍ବର : ଓଡ଼ିଆ ଗଳ୍ପ ସାହିତ୍ୟ କ୍ଷେତ୍ରରେ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଲେଖକ ସରଳ କୁମାର ଦାସଙ୍କ ପ୍ରଚେଷ୍ଠାରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ପାଠକମାନଙ୍କ ମତାମତ ଓ ମୂଲ୍ୟାୟନକୁ ଗୁରୁତ୍ବ ଦିଆ ଯାଇଛି। ଅଧିକାଂଶ ସଂପାଦିତ ସଂକଳନରେ ସଂକଳକ ବା ସଂପାଦକଙ୍କ ବ୍ୟକ୍ତିଗତ ପସନ୍ଦ ଗୁରୁତ୍ବ ପାଊଥିବାବେଳେ ଏଥିରେ ଗଳ୍ପ ନିର୍ବାଚିତ ହୋଇଛି ଗଣତାନ୍ତ୍ରିକ ପଦ୍ଧତିରେ। ଅର୍ଥାତ୍, ପାଠକମାନେ ଗପଗୁଡ଼ିକୁ ନିର୍ବାଚନ କରିବାର ସୁଯୋଗ ପାଇଛନ୍ତି। ଏହାକୁ ନେଇ ଓଡ଼ିଆ ସାହିତ୍ୟ ଜଗତରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଆଜି ସ୍ଥାନୀୟ ଜୟଦେବ ଭବନରେ ସରଳ କୁମାର ଦାସଙ୍କ ସମ୍ପାଦିତ ଏବଂ ପାଠକଙ୍କ ଦ୍ବାରା ନିର୍ବାଚିତ ‘ଶ୍ରେଷ୍ଠ ଓଡ଼ିଆ ଗଳ୍ପ ୨୦୨୧’ ଓ ‘ଓଡ଼ିଆ ଗଳ୍ପ ପଞ୍ଜିକା ୨୦୨୧’ର ପାଠକାର୍ପଣ ଉତ୍ସବ ଅବସରରେ ଅତିଥି ଓ ଉପସ୍ଥିତ ସାହିତ୍ୟ ଅନୁରାଗୀମାନେ ଏଭଳି ମତ ଦେଇଛନ୍ତି।
ମନୋରଞ୍ଜନ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଏଭଳି ସମୟଉପଯୋଗୀ ପ୍ରୟାସକୁ ପ୍ରଶଂସା କରି କହିଲେ, ଗଣତନ୍ତ୍ରରେ କ୍ଷମତାକୁ ଓ ପୂରା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କିଛି ମୁଷ୍ଟିମେୟ ବ୍ୟକ୍ତି ନିୟନ୍ତ୍ରଣ କରୁଛନ୍ତି। ଜନଗଣଙ୍କ ପାଇଁ ନିଷ୍ପତ୍ତି ନେବାର ଅଧିକାର ସେହି ଅଳ୍ପ କିଛି ଲୋକଙ୍କ ହାତରେ ସୀମାବଦ୍ଧ ହୋଇ ରହୁଛି। ଓଡ଼ିଶାରେ ସାହିତ୍ୟ ପୁରସ୍କାର ଘୋଷଣା ନହେଉଣୁ ବିବାଦ ଆରମ୍ଭ ହୋଇଯାଉଛି। ସାହିତ୍ୟ ଏକାଡେମୀର ପୁରସ୍କାର ୭ ବର୍ଷ ହେବ ଦିଆଯାଇ ପାରୁନାହିଁ। ତେଣୁ ଏଭଳି ଏକ ସମୟରେ ଗଣତାନ୍ତ୍ରିକ ଉପାୟରେ ନିରପେକ୍ଷ ଭାବେ ପାଠକମାନଙ୍କ ଦ୍ବାରା ଗଳ୍ପଗୁଡ଼ିକୁ ନିର୍ବାଚନ କରିବା ଏକ ଭଲ ପଦକ୍ଷେପ। ଗଦ୍ୟ ବିନା ଭାଷା ବଞ୍ଚିବ ନାହିଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଭାଷା ଓ ଭାବକୁ ପରିପ୍ରକାଣ କରିବାକୁ ଗଦ୍ୟର ଆବଶ୍ୟକତା ରହିଛି। ଅଧିକରୁ ଅଧିକ ଉତ୍କୃଷ୍ଟମାନର ଗଳ୍ପ ଲେଖିବାକୁ ସେ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ବର୍ଷୀୟାନ ଗାଳ୍ପିକ ଦେବ୍ରାଜ ଲେଙ୍କା ଏହି ପ୍ରୟାସକୁ ସ୍ବାଗତ କରିବା ସହ ଭାଷା ପ୍ରତି ଲେଖକମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ।
ଉତ୍ସବରେ ପାଠକୀୟ ମନୋନୟନ ପ୍ରକ୍ରିୟାର ଉଦ୍ୟୋକ୍ତା, ସଂଯୋଜକ ଏବଂ ପୁସ୍ତକ ଦୁଇଟିର ସଂକଳକ ଶ୍ରୀ ଦାସ ପାଠକ ଚୟନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ କହିଲେ, ୨୦୨୧ ମସିହାରେ ବିଭିନ୍ନ ପତ୍ର ପତ୍ରିକା ଓ ସଂକଳନରେ ୧୭୩୯ ଜଣ ଲେଖକଙ୍କ ଦ୍ୱାରା ଲିଖିତ ୬୩୮୨ ଟି କ୍ଷୁଦ୍ର ଗଳ୍ପ ପ୍ରକାଶ ପାଇଥିଲା। ଏଥି ମଧ୍ୟରୁ ପାଠକମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପଠନ ଓ ପୁନର୍ପଠନ ଦ୍ୱାରା ମୂଲ୍ୟାୟନ କରାଯାଇ ୩୬୮ ଗଳ୍ପକୁ ବଛା ଯାଇଥିଲା। ଏହାପରେ ୫୯ ଜଣ ପାଠକଙ୍କ ଦ୍ବାରା ସର୍ବୋତ୍ତମ ମନେ ହେଉଥିବା ୬୧ ଗଳ୍ପର ଏକ ସଂକଳନ ‘ଶ୍ରେଷ୍ଠ ଓଡ଼ିଆ ଗଳ୍ପ-୨୦୨୧’ ଏବଂ ସମସ୍ତ ୬୩୮୨ ଗଳ୍ପର ସୂଚନାକୁ ନେଇ ‘ଓଡ଼ିଆ ଗଳ୍ପ ପଞ୍ଜିକା ୨୦୨୧’ ନାମରେ ଏକ ସଂକଳନ ପ୍ରସ୍ତୁତ କରାଯାଇଛି। ପରବର୍ତ୍ତୀ ସମୟରେ ସଂକଳିତ ୬୧ ଗଳ୍ପ ମଧ୍ୟରୁ ପାଠକଙ୍କ ଦ୍ବାରା ପୁନର୍ମୂଲ୍ୟାୟନ କରାଯାଇ ଶ୍ରେଷ୍ଠ ୩୦ଟି ଗଳ୍ପ ଚୟନ କରାଯିବ। ଏହି ଚୟନ ପ୍ରକ୍ରିୟାରେ ପାଠକମାନେ ସେପ୍ଟେମ୍ବର ୩୦ ତାରିଖ ଭିତରେ ମତ ଦେବେ। ଏହାପରେ ଜଣେ ଶ୍ରେଷ୍ଠ ପାଠକଙ୍କୁ ମଧ୍ୟ ଚୟନ କରାଯାଇ ତାଙ୍କୁ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପରବର୍ତ୍ତୀ ବର୍ଷମାନଙ୍କରେ ପ୍ରକାଶିତ ଗଳ୍ପଗୁଡ଼ିକର ଚୟନ ପାଇଁ ମଧ୍ୟ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।
ଏହି ଅବସରରେ ଗଳ୍ପଗୁଡ଼ିକର ମୂଲ୍ୟାୟନ ପ୍ରକ୍ରିୟାରେ ଭାଗ ନେଇଥିବା ପାଠକମାନଙ୍କ ସମେତ ଅନ୍ୟ କିଛି ପାଠକ ବିଭିନ୍ନ ଦୃଷ୍ଟିକୋଣରୁ ନିଜ ମତାମତ ରଖିଥିଲେ। ଲେଖକମାନଙ୍କ ପ୍ରତିନିଧି ଭାବେ ଅଧ୍ୟାପକ ଗିରୀଶ ଚନ୍ଦ୍ର ସାହୁ ଏବଂ ସଂପାଦମାନଙ୍କ ପ୍ରତିନିଧି ଭାବରେ ବନୋଜ ତ୍ରିପାଠୀ ମଧ୍ୟ ସ୍ବମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରି ଥିଲେ ଛନ୍ଦା ମିଶ୍ର।