ରାଉରକେଲା : ପରିବାରର ଅଭିଯୋଗ ଅନୁଯାୟୀ ଭାଇଜାଗ୍ସ୍ଥିତ ଶ୍ରୀ ଚୈତନ୍ୟ ଇନ୍ଷ୍ଟିଚ୍ୟୁଟ୍ରେ ସହପାଠୀଙ୍କ ର୍ୟାଗିଂରେ ଗୁରୁତର ଅସୁସ୍ଥ ହୋଇ ଶେଷରେ ପ୍ରାଣ ହରାଇଥିବା ସମ୍ବଲପୁର ଜିଲ୍ଲା ଗଡ଼ପୋଷର ଓଡ଼ିଆ ଛାତ୍ର ଶ୍ରେୟଶ କେଶରଓ୍ଵାନୀ ମୃତ୍ୟୁ ପୂର୍ବରୁ କିଛି ଦିନ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଚିକିତ୍ସିତ ହେଉଥିଲେ। ଶ୍ରେୟସ୍ଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରୁଥିବା ଆନ୍ଧ୍ର ପ୍ରଦେଶ ପୁଲିସ୍ର ୪ ଜଣିଆ ଟିମ୍ ଆଜି ଆଇଜିଏଚ୍ରେ ପହଞ୍ଚି ଆଇଜିଏଚ୍ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ମହାନ୍ତ, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅନୀଲ ଦତ୍ତ, ଆଇସିୟୁ ଇନଚାର୍ଜ ଡାକ୍ତର ରାଜବର୍ଦ୍ଧନ ପଟ୍ଟନାୟକ, କାଜୁଆଲିଟି ବିଭାଗ ଡାକ୍ତର ନାରାଦ ପଣ୍ଡିତଙ୍କୁ ଦେଢ଼ ଘଣ୍ଟା ଧରି ପଚରାଉଚୁରା କରିଛନ୍ତି।
ଭାଇଜାଗ୍ ଥାନା ଅଧିକାରୀ କେ.ଲକ୍ଷ୍ମଣ ମୂର୍ତ୍ତିଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ଆଜି ସକାଳ ପ୍ରାୟ ୯ଟା ୫୫ ମିନିଟ୍ରୁ ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରିବା ପରେ ଫେରିଥିଲେ। କେଉଁ ଅବସ୍ଥାରେ ଶ୍ରେୟସ୍ ଆଇଜିଏସ୍ରେ ଭର୍ତ୍ତି ହୋଇଥିଲେ, ତାଙ୍କୁ କେଉଁ ପ୍ରକାର ଚିକିତ୍ସା ସେବା ଯୋଗାଯାଇଥିଲା ଆଦି ସମ୍ପର୍କରେ ସେମାନେ ବିସ୍ତତ ତଥ୍ୟ ସଂଗ୍ରହ କରିଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଆନ୍ଧ୍ର ପୁଲିସ୍ ଟିମ୍ ସହ ଆଲୋଚନା କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ପ୍ରକାଶ।
ଏହା ପରେ ଆନ୍ଧ୍ର ପୁଲିସ ଟିମ୍ ଏଠାରୁ ଗଡପୋଷସ୍ଥିତ ଶ୍ରେୟସଙ୍କ ଘର ଅଭିମୁଖେ ଯାଇଥିଲେ। ସେଠାରେ ଶ୍ର୍ରେୟସଙ୍କ ପିତାମାତାଙ୍କ ବୟାନ ରେକର୍ଡ଼ କରି ସେମାନେ ବିଶାଖାପାଟଣା ଫେରି ଯାଇଥିବା ଜଣାପଡିଛି। ବିଶାଖାପାଟଣା ଶ୍ରୀ ଚୈତନ୍ୟ ଇନଷ୍ଟିଚ୍ୟୁଟ୍ରେ ସହପାଠୀଙ୍କ ର୍ୟାଗିଂରେ ଗୁରୁତର ହେବା ପରେ ଶ୍ରେୟସଙ୍କ ବାପା ତାଙ୍କୁ ଘରକୁ ନେଇ ଆସିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଗତ ୪ ତାରିଖ ରାତିରେ ଆଇଜିଏଚ୍ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତର ନଥିବାରୁ ଆଇଜିଏଚ୍ କର୍ତ୍ତୃପକ୍ଷ ତାଙ୍କୁ ଅନ୍ୟତ୍ର ନେଇଯିବାକୁ ପରାମର୍ଶ ଦେଇଥିଲେ।
ଶ୍ରେୟସଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୬ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ଶ୍ରେୟସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଶାଖାପାଟଣା ପୁଲିସର ହସ୍ତଗତ ହୋଇଛି। ହୃତପିଣ୍ଡରେ ଗଭୀର କ୍ଷତ, ଫୁସ୍ଫୁସ୍ରେ ପାଣି ଜମିବା, ରକ୍ତନଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।