ଝାରସୁଗୁଡ଼ା: ପ୍ରଥମ ଭାରତୀୟ ଭାବେ ଓଡ଼ିଶା ଝାରସୁଗୁଡାର ଝିଅ ଶ୍ରେୟା ଲେଙ୍କା(୧୮)  କେ-ପପ୍‌ ଗ୍ରୁପ୍‌ରେ ସ୍ଥାନ ପାଇବା ପ‌ାଇଁ ଅନୁଷ୍ଠିତ ହୋଇଥିବା ଶେ‌ଷ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଶ୍ରେୟା ସାରା ବିଶ୍ବର ଚାରି ହଜାର ପ୍ରତିଯୋଗୀଙ୍କୁ  ପଛରେ ପକାଇ ଦେଇଛନ୍ତି। ପ୍ରତିଯୋଗିତାରେ ବିଜୟୀ ହୋଇ ସେ କେ ପପ୍‌ ଗ୍ରୁପ୍‌ର ବ୍ଲାକ ସ୍ୱାନର ପଂଚମ ସଦସ୍ୟ ହୋଇଛନ୍ତି। ଶ୍ରେୟା ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କ ସହିତ ପ୍ରତିଦ୍ବିନ୍ଦିତା କରୁଥିଲେ। ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ, ଗାୟକ ଏବଂ ଯୋଗ ଅଭ୍ୟାସକାରୀ ଶ୍ରେୟାଙ୍କୁ ଦକ୍ଷିଣ କୋରିଆର କୋରିଆ ମ୍ୟୁଜିକ୍ ଲେବଲ୍ ଡିଆର୍ ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ତାଲିମ ଦିଆଯାଉଥିଲା।

Advertisment

କୋରିଆ ମ୍ୟୁଜିକ୍ ଲେବଲ ଡିଆର୍ ମ୍ୟୁଜିକ୍ ଦ୍ୱାରା ଶ୍ରେୟା ଏକମାତ୍ର ଏସୀୟ। ଗତ ବର୍ଷ ଡିସେମ୍ବରରୁ ଦୁଇ ମାସର ତାଲିମ୍ ଅବଧି ଆରମ୍ଭ କରିବା ପାଇଁ ଭାରତୀୟ ପ୍ରଶିକ୍ଷକ ଭାବେ ଶ୍ରେୟା ଏବଂ ବ୍ରାଜିଲର ପ୍ରଶିକ୍ଷକ ଭାବେ ଗାବ୍ରିଏଲା ଡାଲସିନ୍‌‌ଙ୍କୁ ମନୋନୀତ କରାଯାଇଥିଲା। ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି। ଏହି ସଫଳତା ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ତାଙ୍କ ପିତା ଅବିନାଶ ଲେଙ୍କା ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ମା’ ପ୍ରିୟା ଲେଙ୍କା ଜଣେ ଗୃହିଣୀ।  ଶ୍ରେୟା ଝାରସୁଗୁଡ଼ା ଡିଏଭି ସ୍କୁଲରୁ ୨୦୨୦ରେ ମାଟ୍ରିକ ପାସ କରିଛନ୍ତି। ତେବେ କୋଭିଡ ସମସ୍ୟା ଓ ତାଲିମ ଯୋଗୁଁ କଲେଜରେ ତାଙ୍କର ଗୋଟିଏ ବର୍ଷ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିଲା।

ଗତ ବର୍ଷ ସେ ଝାରସୁଗୁଡ଼ା ମହିଳା କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିବା ଜଣାଯାଇଛି। ଶ୍ରେୟା ନୃତ୍ୟ ଏବଂ ଯୋଗରେ ପାରଙ୍ଗମ। ସେଥିପାଇଁ ସେ ଜାତୀୟ ତଥା ଆଞ୍ଚଳିକସ୍ତରର ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଶାସ୍ତ୍ରୀୟ ଓଡ଼ିଶୀରୁ ନୃତ୍ୟ ଆରମ୍ଭ କରିଥିବା ଶ୍ରେୟା ୫ବର୍ଷ ପୂର୍ବେ ରାଉରକେଲାରେ ନୃତ୍ୟ ଶିକ୍ଷା ପାଇଁ ନାମ ଲେଖାଇଥିଲେ। ପରେ ବିଭିନ୍ନ ଗୁରୁଙ୍କ ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ। ଏହି ପ୍ରତିଯୋଗିତାରେ କଣ୍ଠସ୍ୱରକୁ ମାର୍ଜିତ କରିବା ଲାଗି ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି। ଏହି ସଫଳରତା ପାଇଁ ତାଙ୍କ ପରିବାର ସଦସ୍ୟ ତଥା ଶିକ୍ଷକ ପ୍ରବୀଣ ବାର୍ଲା ବହୁ ପରିଶ୍ରମ କରିଥିବା ଶ୍ରେୟାଙ୍କ ପିତା ପ୍ରକାଶ କରିଛନ୍ତି।