ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ହେବା ଦ୍ବାରା ପୁରୀବାସୀଙ୍କ ସ୍ବପ୍ନ ସାକାର ହୋଇଛି: ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ଆୟୁଷ୍ମାନ ଭାରତ ଲାଗୁ କର: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ ୧୦୦ ଛାତ୍ରଛାତ୍ରୀ ନାମଲେଖା

ପୁରୀ: ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆଉ ଏକ ମୂଳଦୁଆ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବାଲିଗୁଆଳିଠାରେ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ଆଜି ଶୁଭାରମ୍ଭ କରିଛନ୍ତି। ଏହାସହ ପ୍ରାଥମିକ ପର୍ଯ୍ୟାୟରେ ୨୧ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଓ ଡାକ୍ତରଖାନାର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ବି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ୧୦୦ ସିଟ୍‌ ପାଇଁ ଅନୁମୋଦନ ମିଳିଥିବା ବେଳେ ୯୯ ଜଣ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌ ପ୍ରଥମ ବର୍ଷରେ ନାମ ଲେଖାଇଛନ୍ତି। ଯେଉଁଥିରେ ରାଜ୍ୟ ବାହାରର ୧୫ଜଣ ଓ ରାଜ୍ୟ ଭିତରର ୮୪ଜଣ ଛାତ୍ରଛାତ୍ରୀ ରହିଛନ୍ତି। ପରବର୍ତ୍ତୀ ସମୟରେ ଏହି ସିଟ୍‌ ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ମେଡିକାଲ୍‌ କଲେଜ ପରିସରରେ ଏହାର ଡାକ୍ତରଖାନା ନିର୍ମାଣାଧୀନ ରହିଛି। ୨୦୨୪ ଜାନୁଆରି ସୁଦ୍ଧା ଏହା ଲୋକଙ୍କ ସେବାରେ ଲାଗିବ ବୋଲି ଲକ୍ଷ୍ୟ ରଖାଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‌ ଜ୍ଞାନ ଆହରଣ ପାଇଁ ବର୍ତ୍ତମାନ ମେଡିକାଲ୍‌ କଲେଜର ଡାକ୍ତରଖାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଛି ଓ ମେଡିକାଲ୍‌ କଲେଜ ସଂଲଗ୍ନ ନିର୍ମାଣାଧୀନ ଡାକ୍ତରଖାନା କୋଠା ଶେଷ ପର୍ଯ୍ୟନ୍ତ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିବ ବୋଲି ଜଣାପଡ଼ିଛି।

ଆଜି ସଂଧ୍ୟାରେ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ପରିସରରେ ଆୟୋଜିତ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ପୁରୀରେ ଏକ ମେଡିକାଲ୍‌ କଲେଜ ପାଇଁ ପୁରୀବାସୀ ବହୁଦିନରୁ ସ୍ବପ୍ନ ଦେଖିଥିଲେ। ପୁରୀବାସୀଙ୍କ ବହୁବର୍ଷର ସ୍ବପ୍ନ ଆଜି ସାକାର ହୋଇଛି। ଆଶା ରଖୁଛି, ଯେଉଁ ଅଧ୍ୟାପକ, ଛାତ୍ରଛାତ୍ରୀ, ଶିକ୍ଷକ ଅଛନ୍ତି, ସେମାନେ ଏହି କଲେଜକୁ ଆହୁରି ଉଚ୍ଚକୁ ନେବେ ଓ ଏକ ଅନନ୍ୟ ଅନୁଷ୍ଠାନ ଭାବେ ଗଢ଼ି ତୋଳିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ମେଡିକାଲ୍‌ କଲେଜରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟତମ ଅତିଥି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ନବୀନ ବାବୁଙ୍କ ସରକାର ବି ଅନେକ ଜନହିତକର ଯୋଜନା ଆପଣେଇଛନ୍ତି। ଏହାକୁ ମୁଁ ପ୍ରଂଶସା କରୁଛି। ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଆଗାମୀ ଦିନରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ସ୍ବାସ୍ଥ୍ୟସେବା ସୁଲଭ ହେଉ ଓ ହାତପାହାନ୍ତାରେ ମିଳୁ, ଏହା ‌ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ। ଏହି ସ୍ବପ୍ନକୁ ସାକାର କରିବା ସହ ସ୍ବାସ୍ଥ୍ୟସେବାକୁ ଆହୁରି ସୁଲଭ ଓ ସୁଦୃଢ଼ କରିବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ଗରିବଙ୍କ ପାଇଁ ସେବା ମନୋବୃତ୍ତି ରଖି କାମ କରିବାକୁ ପରାମର୍ଶ ଦେଇଥିଲେ। ଗାଁ’ ହେଉ କି ସହର, ସବୁ ପ୍ରତିକୂଳ ପରିସ୍ଥିତିରେ ବି ନିଜର ସେବାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କିଛି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ପାଠପଢ଼ା ଶେଷ ପରେ ଉତ୍ସର୍ଗୀକୃତ ସେବା ମନୋବୃତ୍ତି ରଖି କାମ କରିବାକୁ ପରାମର୍ଶ ଦେଇଥିଲେ।

ଆଜିର ଏହି ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ, ପୁରୀ ସାଂସଦ ପିନାକୀ ମିଶ୍ର, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ. ବିଶାଳ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଡିନ୍‌ ମାୟା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନବକଳେବର ସମୟରେ ୨୦୧୫ ଜୁଲାଇ ୪ ତାରିଖରେ ୨୫.୬ ଏକର ପରିମିତ ଜାଗାରେ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଓ ହସପିଟାଲର ଶିଳାନ୍ୟାସ ହୋଇଥିଲା। ଏଠାରେ ଅଧ୍ୟୟନ ଆରମ୍ଭ ହୋଇଥିବାବେଳେ ଚିକିତ୍ସା ସେବା ପାଇଁ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କାର୍ଯ୍ୟ ୨୦୨୪ ମସିହା ଜାନୁଆରି ମାସ ସୁଦ୍ଧା ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ଏଠାରେ ଫିଜିଓଲୋଜି, ବାୟୋକେମେଷ୍ଟ୍ରି, ଫାର୍ମାକୋଲୋଜି, ପାଥୋଲୋଜି, ମାକ୍ରୋବାୟୋଲୋଜି, ଏଫ୍‌ଏମ୍‌ଟି, କମ୍ୟୁନିଟି ମେଡିସିନ୍‌, ଜେନେରାଲ୍‌ ମେଡିସିନ୍‌, ରେସ୍ପିରେଟୋରି ମେଡିସିନ୍‌, ସ୍କିନ୍‌ ଆଣ୍ଡ୍‌ ଭିଡି, ସାଇକିଆଟ୍ରିକ୍‌, ଜେନେରାଲ୍‌ ସର୍ଜରୀ, ଇଏନ୍‌ଟି, ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଅସ୍ଥିଶ୍ଲ୍ୟ, ନିଶ୍ଚେତକ, ରେଡିଓ ଡାଇଗ୍ନୋସିସ୍‌, ଦନ୍ତ ବିଭାଗ ଆଦି ୨୧ଟି ବିଭାଗ ଖୋଲିଛି। ଛାତ୍ରାବାସ ସହ ବଡ଼ ସମ୍ମିଳନୀ କକ୍ଷ, ଲାଇବ୍ରେରି, ଲାବେ‌ରେଟୋରି ଆଦିର ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଓ ହସପିଟାଲ୍‌ ପାଇଁ ପ୍ରାୟ ୬ଶହ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ସମ୍ବନ୍ଧିତ ଖବର