ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ଅଭିଯୋଗରେ ସିବିଆଇ ନିକଟରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ଅଭିଯୋଗରେ ସିବିଆଇ ନିକଟରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା । ଏତଲା ଦେଇ ସେନା କହିଛି ଯେ, ଆଇନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ହେବା କଥା । କିନ୍ତୁ ୧୯୭୮ ମସିହା ପରେ ୪୪ ବର୍ଷ ହେଲା ରତ୍ନଭଣ୍ଡାର ଯାଞ୍ଚ ହୋଇନି । ରତ୍ନଭଣ୍ଡାର ଚାବି ଓ ଯାଞ୍ଚ ନେଇ ବିଧାନସଭାରେ ମନ୍ତ୍ରୀ, ତତ୍କାଳୀନ ଜିଲ୍ଲାପାଳ, ଟ୍ରେଜେରି ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି । ଏମିତିକି ଆରଟିଆଇରେ ଟ୍ରେଜେରି ପାଖରେ କୌଣସି ଚାବି ନଥିବା ମଧ୍ୟ କୁହାଯାଇଛି । ସରକାର ଓଡ଼ିଆ ଲୋକଙ୍କୁ କେବଳ ଭୁଆଁ ବୁଲାଉଛନ୍ତି ବୋଲି କହିଛି ଶ୍ରୀଜଗନ୍ନାଥ ସେନା  ।

ଅନ୍ୟପକ୍ଷରେ ୨୦୦୯ ମସିହା ଫେବ୍ରୁଆରି ୧୪ ତାରିଖ ରାତି ସାଢ଼େ ଗୋଟାଏ ବେଳେ ଶ୍ରୀମନ୍ଦିର ପ୍ରଶାସକ ଓ ପୁଲିସ ସମେତ ୧୦ଜଣଙ୍କ ଉପସ୍ଥିତିରେ ଭୁବନେଶ୍ୱରକୁ ମରାମତି ଲାଗି ଯାଉଥିବା ବାହାନାରେ ରତ୍ନଭଣ୍ଡାର ଲୁଟ କରାଯାଇଥିବା ନେଇ ସ୍ୱଚକ୍ଷୁରେ ଦେଖିଛି ଓ ତଦନ୍ତ ହେଲେ ପ୍ରମାଣ ଦେବି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଲୁଟ ନେଇ ଶ୍ରୀ ଜଗନ୍ନାଥ ସେନା ସିବିଆଇ ନିକଟରେ ଏତଲା ଦେଇଛି । ଯଦି ସିବିଆଇ କିଛି ନକରେ ଆଗକୁ ସେନା ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ । ମରିବା ଯାଏ ସେନା ଏ ନେଇ ଲଢେ଼ଇ କରିବ ବୋଲି ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ  ଶ୍ରୀ ଜଗନ୍ନାଥ ମନ୍ଦିର ନିୟମ, ୧୯୬୦ର ନିୟମ ୬(୧) ଅନୁଯାୟୀ କେବଳ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଦେଶ, ଧାର୍ଯ୍ୟ ସର୍ତ୍ତ ଓ ପରିସୀମା ଆଧାରରେ ଭିତର ରତ୍ନ ଭଣ୍ଡାରର ଚାବି ଖୋଲାଯାଇପାରିବ। ଭିତର ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତିର ଆବଶ୍ୟକତା ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଅନୁମତି ଅନୁଯାୟୀ ପ୍ରାଧିକୃତ ବ୍ୟକ୍ତିଙ୍କ ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବିଶେଷଜ୍ଞ ଦଳ ୪.୪.୨୦୧୮ରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ରଥଯାତ୍ରା ସମୟରେ ଠାକୁର ମନ୍ଦିରରେ ନଥିବା ବେଳେ ପୁନଶ୍ଚ ଭିତର ରତ୍ନ ଭଣ୍ଡାରର ଭିତରପଟ ପରୀକ୍ଷା ନିରୀକ୍ଷା କରିବାକୁ ଉକ୍ତ ବିଶେଷଜ୍ଞ ଦଳ ମତ ପ୍ରଦାନ କରିଥିଲେ। ତେବେ ଭିତର ଭଣ୍ଡାର ଖୋଲିବା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ୨୦୨୧ ଡିସେମ୍ବରରେ ବିଧାନସଭା ଅଧିବେଶନ ସମୟରେ  ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର