ଭୁବନେଶ୍ୱର: ମହାପ୍ରଭୁଙ୍କ ଦିବ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ତିନିଟି ହେତୁର ପୃଷ୍ଠଭୂମିରେ ନିର୍ମିତ। ସେହି ତିନି ହେତୁର ଆଦ୍ୟ ଅକ୍ଷର ହେଉଛି ‘ସଂ- ବା- ଦ’। ‘ସଂ’ ହେଉଛି ସଂସ୍କାର, ‘ବା’ ବାକ୍ୟ ବା ଘୋଷଣା ଓ ‘ଦ’ ହେଉଛି ଦୟାବନ୍ତ। ମହାପ୍ରଭୁ ତିନିଟି ତତ୍ତ୍ୱ ସତ୍, ଚିତ୍, ଆନନ୍ଦକୁ ଗୁଣ୍ଡିଚାଯାତ୍ରାରେ ପରିପୃଷ୍ଟ କରନ୍ତି। ଭକ୍ତର ଆବେଗ, ଆତ୍ମସମର୍ପଣ ଓ ଭାବକୁ ଗୁଣ୍ଡିଚାଯାତ୍ରା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପହଞ୍ଚାଏ। ‘ସମ୍ୱାଦ ଡିଜିଟାଲ୍’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଶ୍ରୀଜଗନ୍ନାଥ ଅଭିଭାଷଣ’ର ଦ୍ୱିତୀୟ ସଂସ୍କରଣରେ ‘ଶ୍ରୀଗୁଣ୍ଡିଚା ରଥଯାତ୍ରାର ଶାସ୍ତ୍ରୀୟ ହେତୁ’ ଶୀର୍ଷକରେ ଏଭଳି ଅଭିଭାଷଣ ପ୍ରଦାନ କରିଛନ୍ତି ଶ୍ରୀଜଗନ୍ନାଥ କଥାବାଚକ କୃଷ୍ଣକେଶବ ଷଡ଼ଙ୍ଗୀ। ବେଦ, ପୁରାଣ, ଉପନିଷଦର ଉଦାହରଣ ଦେଇ ସେ ଘୋଷଯାତ୍ରାର ମହତ୍ତ୍ୱ ଓ ରହସ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ପ୍ରବଚକ କଥାବାଚକ ଶରଣାରବିନ୍ଦ ଓଝା ‘ରଥ ଦଉଡ଼ି: ଅନ୍ଧ ଲଉଡ଼ି’ ଶୀର୍ଷକରେ ଅଭିଭାଷଣ ଦେଇଥିଲେ। ଆମ ଜୀବନ ଗର୍ଭ, ବ୍ରହ୍ମ, ଫୁଲ ଓ ଯମ ଦଉଡ଼ିକୁ ନେଇ ଗଠିତ ବୋଲି ସେ କହିଥିଲେ। ଜୀବନର ଚାରିଟି ପର୍ଯ୍ୟାୟକୁ ନେଇ ଗଠିତ ଏହି ଦଉଡ଼ି ମଧ୍ୟରୁ ରଥ ଦଉଡ଼ି ହେଉଛି ଶ୍ରେଷ୍ଠ। କାରଣ ଏହା ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସହଯୋଗ କରେ ବୋଲି ସେ କହିଥିଲେ। ରଥ ଦଉଡ଼ି ଆମ ଶ୍ରଦ୍ଧା ଓ ସମର୍ପଣର ସେତୁ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇଥିଲେ। ଜଗନ୍ନାଥ ଓଡ଼ିଆମାନଙ୍କର ସବୁଠାରୁ ଶ୍ରେଷ୍ଠ ସମ୍ପତ୍ତି ବୋଲି ସେ କହିଥିଲେ। ବିଶ୍ୱରେ ଘଟୁଥିବା ସମସ୍ତ ଦୁର୍ଘଟଣା, ବିପର୍ଯ୍ୟୟ ଓ ଅସ୍ଥିରତାର ଔଷଧ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇଥିଲେ। ଓଡ଼ିଆ ଜାତିର ପରିଚୟ ପ୍ରଭୁ ଜଗନ୍ନାଥଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଟି ଲୋକ ପାଖରେ ପହଞ୍ଚାଇବା ପାଇଁ ଆମେ ଗୁଣ୍ଡୁଚି ମୂଷା ଭଳି ଚେଷ୍ଟା ଜାରି ରଖିଛୁ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି କଳିଙ୍ଗ ହସ୍ପିଟାଲ୍ର ଅଧୀକ୍ଷକ ସୀତାକାନ୍ତ ଦାଶ, ପ୍ରଭୁ ଜଗନ୍ନାଥ ସବୁଠାରେ ଉପସ୍ଥିତ ବୋଲି କହିଥିଲେ। ମିନିଆପଲିସ୍ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ସେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ‘ଭାରତ ମସଲା’ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭାରତ ମସଲା ପ୍ରାୟୋଜିତ ‘ଭାରତ କୁଇଜ୍’ର ବିଜେତାମାନଙ୍କ ମଧ୍ୟରେ ଲକି ଡ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭେନ୍ଦ୍ର କୁମାର ମହାପାତ୍ର, ତନୟା ଆଚାର୍ଯ୍ୟ, ସଂସ୍କାର ମୁଖୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର ଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ ନିହାରିକା ଓ ମୃତ୍ୟୁଞ୍ଜୟ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ।