ପୁରୀ: ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ୍ୱାଇଡ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପୁରୀ ଟାଉନହଲ୍ଠାରେ ପରମ ପୂଜ୍ୟପାଦ ଶ୍ରୀମଦ୍ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ, ଗୋବର୍ଦ୍ଧନ ପୀଠଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଅଛି। ଏଥିରେ ଭାରତ ବ୍ୟତୀତ ଆହୁରି ଅନେକ ଦେଶ ଯଥା ଆମେରିକା, କାନାଡା, ଆୟରଲ୍ୟାଣ୍ଡ, ଜାପାନ, କେନିଆ, ଅଷ୍ଟ୍ରେଲିଆ, ନାଇଜେରିଆ, ସାଉଥକୋରିଆ, ଇଂଲଣ୍ଡ ଇତ୍ୟାଦିରୁ ଅନେକ ଆଧ୍ୟାତ୍ମିକ ଜିଜ୍ଞାସୁ ଏବଂ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯୋଗଦାନ କରିଥିଲେ। ଏହା ଆହୁରି ଦୁଇ ଦିନ ଚାଲିବ ଏବଂ ଆସନ୍ତା ୬ ତାରିଖରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ ଉଦ୍ଯାପନ ହେବ।
ଆଜିର ଅଧିବେଶନରେ ଶ୍ରୀମଦ୍ ଜଗଦଗୁରୁ ଭକ୍ତମାନଙ୍କୁ ଆଶ୍ରୀବଚନ ପ୍ରଦାନ କରି କହିଥିଲେ ଯେ ଆମର ଆତ୍ମା ହେଉଛି ଚୈତନ୍ୟଯୁକ୍ତ। ଆମକୁ ସର୍ବଦା ନିଜର କର୍ମ ଉପରେ ଧ୍ୟାନ ରଖିବାକୁ ହେବ। ଏବଂ ନିଜର ଉଦ୍ଦିଷ୍ଟ କର୍ମକୁ ଠିକ୍ ଭାବରେ ନକରିଲେ ଆମକୁ ବାରମ୍ବାର ଏହି ଧରାପୃଷ୍ଠରେ ଜନ୍ମ ନେବାକୁ ହେବ। ବିନା ସ୍ବାର୍ଥରେ ନିଜର କର୍ମ କରିଲେ ହିଁ ମୋକ୍ଷପ୍ରାପ୍ତି ହୋଇପାରିବ। କର୍ମ ଦ୍ୱାରା ହିଁ ଆମର ଜୀବନ ସାର୍ଥକ ହେବ ତଥା ଆମେ ରାତିରେ ଶାନ୍ତିରେ ଶୋଇପାରିବା। ଏବଂ ତାହା ଆମକୁ ସବୁ ପ୍ରକାର ନକରାତ୍ମକ ଚିନ୍ତାଠାରୁ ଦୂରେଇ ରଖିବ। ଏଥିରେ ଅନେକ ଜିଜ୍ଞାସୁ ନିଜ ନିଜର ପ୍ରଶ୍ନ ରଖିବା ବେଳେ ଜଗଦ୍ଗୁରୁ ସବୁ ପ୍ରଶ୍ନର ଉତ୍ତର ଆନନ୍ଦରେ ଦେଇଥିଲେ। ଏହି ଅଧିବେଶନରେ ସଂଗଠନର ସ୍ମରଣୀକା ଦାରୁବ୍ରହ୍ମ ଜଗଦଗୁରୁଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।
ପ୍ରାକ୍-ଉଦ୍ଘାଟନୀ ଅଧିବେଶନରେ ପୂଜ୍ୟ ସ୍ବାମୀ ସମର୍ପଣାନନ୍ଦ ଗିରି ତଥା ଡ. ହରେକୃଷ୍ଣ ଶତପଥୀ ନିଜ ଅଭିଭାଷଣରେ ଆଧ୍ୟାତ୍ମିକ ଚେତନାର ଜାଗରଣ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ସେମାନଙ୍କ ମତରେ ଆଜିର ଯୁବସମାଜ ଯେପରି ପାଶ୍ଚାତ୍ୟ ସଭ୍ୟତା ଆଡକୁ ମୁହାଁଇଛି ସେଠାରୁ ତାକୁ ଫେରାଇ ଆଣିବାକୁ ହେଲେ ପରିବାରର ଭୂମିକା ଗୁରୁତ୍ବପୂର୍ଣ୍ଣ। ରାମାୟଣ ତଥା ମହାଭାରତ ଆମ ସଂସ୍କୃତିର ଇତିହାସ ହେଲା ବେଳେ ଗୀତା ଆମକୁ ଧର୍ମ ଚେତନାର କଳା ଶିଖାଇଛି। ଦିବ୍ୟଚେତନା ଜାଗରଣର ଶୁଭାରମ୍ଭ କରିବାକୁ ହେଲେ ଯୁବପିଢ଼ୀକୁ ଏଥିରେ ଗୁରୁତ୍ବ ଦେବାକୁ ହେବ। ଅପରାହ୍ନ ଅଧିବେଶନରେ ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ତଥା ଆମେରିକା, ନେଶଭିଲେର ଡ. ପଂଚାନନ ଶତପଥୀ, କେନେଡାର ଡ. ସୁନନ୍ଦା ମିଶ୍ର, ୟୁକେ ବାଥ୍ରୁ ଶ୍ରୀମତୀ ସୁସ୍ମିତା ରାଜହଂସ ଏବଂ ପୁରୀ ଜଗନ୍ନାଥ ପୀଠରୁ ଡ. ନରେଶ ଦାଶ ପ୍ରମୁଖ ଏହି ବିଷୟ ଉପରେ ନିଜ ନିଜର ମତ ପରିବେଷଣ କରିଥିଲେ। ପୂଜ୍ୟ ବାବାଙ୍କ ମତରେ ଆମ ଭିତରେ ହିଁ ଆଧ୍ୟାତ୍ମିକତା ଭରି ରହିଛି। କିନ୍ତୁ ଏହାର ଜାଗରଣ କରିବାକୁ ହେଲେ ନିଜେ ନିଜକୁ ଅନୁଧ୍ୟାନ କରିବାକୁ ହେବ। ଅଧିବେଶନ ସଂଯୋଜନାର ଦାୟିତ୍ବ ଡ. ଗୁରୁ ପ୍ରସାଦ ମହାପାତ୍ର ତୁଲାଇଥିଲେ। ଏହି ଅଧିବେଶନରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡୱାଇଡ୍ର ଟ୍ରଷ୍ଟି ଡ. ଭଗବାନ ପଣ୍ଡା ସ୍ବାଗତ ସମ୍ଭାଷଣ ଦେଇଥିବା ବେଳେ ଟ୍ରଷ୍ଟି ଡ. ହର ପ୍ରସନ୍ନ ଦାସ ସଂଗଠନର ଲକ୍ଷ୍ୟ ତଥା ମୂଳ ଉଦ୍ଦେଶ୍ୟ ଏବଂ ସଂଗଠନ ଆଜିଯାଏ କରିଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳ ତଥା ଅନ୍ୟାନ୍ୟ ଟ୍ରଷ୍ଟି ଶ୍ରୀ ସୁକାନ୍ତ ସାହୁ ଓ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/puri-s.jpg)