ଘନଶ୍ୟାମ ମହାପାତ୍ରଙ୍କୁ ‘ଶ୍ରୀ ଜୟଦେବ ସମ୍ମାନ’

୩୧ତମ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର

‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର
ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ
ସରୋଜ ଶ୍ରେଷ୍ଠ ଅଭିନେତା, କାବ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ୨୦୧୯ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ‘ଶ୍ରୀ ଜୟଦେବ ସମ୍ମାନ’ ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯିବ। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ଅବସରରେ ଏହି ସୂଚନା ଦିଆଯାଇଛି। ବିଳମ୍ବରେ ହେଲେ ବି ରାଜ୍ୟ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଥିବାରୁ ଶ୍ରୀ ମହାପାତ୍ର ଖୁସି ବ୍ୟକ୍ତ କରିଛନ୍ତି।

ଅନ୍ୟ ପ୍ରମୁଖ ପୁରସ୍କାରଗୁଡ଼ିକ ମଧ୍ୟରେ ଖ୍ୟାତନାମା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘କାଲିର ଅତୀତ’ ୨୦୧୯ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀ ପଣ୍ଡାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ।

କେବଳ ସେତିକି ନୁହେଁ; ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ମଧ୍ୟ ଶ୍ରୀ ପଣ୍ଡାଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ଭାବେ ସମ୍ମାନିତ କରାଯିବ। ସେହିଭଳି ଚଳଚ୍ଚିତ୍ର ‘ଖୁସି’ରେ ନିଜର ନିଖୁଣ ଅଭିନୟ ପାଇଁ ଅଭିନେତା ସରୋଜ ପରିଡ଼ାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଓ ଅଭିନେତ୍ରୀ କାବ୍ୟା କିରଣଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ସମ୍ବର୍ଦ୍ଧିତ କରାଯିବ।

ଆଜି ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହିସବୁ ପୁରସ୍କାର ଘୋଷଣା କରିଥିଲେ। ରାଜ୍ୟରେ ଓଡ଼ିଆ ଭାଷାରେ ଉନ୍ନତ ବୈଷୟିକ ମାନର ମୂଲ୍ୟବୋଧଭିତ୍ତିକ ସାମାଜିକ ପ୍ରାସଙ୍ଗିକତା ବିଷୟବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ତଥା ପ୍ରାମାଣିକ ଚଳଚ୍ଚିତ୍ରଗୁଡ଼ିକର ଅଧିକ ପରିମାଣରେ ନିର୍ମାଣ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ରର ୨୭ଟି ବିଭାଗରେ ମୋଟ୍ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଛି। ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରର ଜୁରି କମିଟିର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସିନେମାଟୋଗ୍ରାଫର୍ ସୁରେନ୍ଦ୍ର ସାହୁ ନିୟୋଜିତ ହୋଇଥିବା ବେଳେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ଓ ବିଶିଷ୍ଟ ଗୀତିକାର ଗୌର ପଟ୍ଟନାୟକ ପ୍ରମୁଖ ଜୁରି ସଦସ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ।

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯
ଜୟଦେବ ପୁରସ୍କାର: ପ୍ରଯୋଜକ/ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର
ଶ୍ରେଷ୍ଠ ଚଳଚ୍ଚିତ୍ର: କାଲିର ଅତୀତ (ପ୍ରଯୋଜକ ନୀଳମାଧବ ପଣ୍ଡା)
ଶ୍ରେଷ୍ଠ ନିର୍ଦ୍ଦେଶକ: ନୀଳମାଧବ ପଣ୍ଡା (କାଲିର ଅତୀତ)
ଶ୍ରେଷ୍ଠ ଅଭିନେତା: ସରୋଜ ପରିଡ଼ା (ଖୁସି)
ଶ୍ରେଷ୍ଠ ଅଭିନେତ୍ରୀ: କାବ୍ୟାକିରଣ (ଖୁସି)
ଶ୍ରେଷ୍ଠ କାହାଣୀ: କପିଳେଶ୍ବର ପ୍ରସାଦ ମହାପାତ୍ର (ଶଲାବୁଢ଼ାର ବଦଲା)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ସମ୍ମାନ): ବୈଦ୍ୟନାଥ ଦାସ (ନାୟକର ନାଁ ଦେବଦାସ)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ସ୍ବୟମ୍ ପାଢ଼ୀ (ଭିଜା ଭିଜା ପ୍ରେମ ଛିଟା…)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଦୀପ୍ତିରେଖା ପାଢ଼ୀ (ଏ କେଉଁ ଋତୁ ଏ କେଉଁ ରାସ୍ତା…)
ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ସମ୍ମାନ): ରବୀନ୍ଦ୍ର ବେହେରା(ବାବୁ ଭାଇଜାନ୍)
ଶ୍ରେଷ୍ଠ ସମ୍ପାଦନା: ରାଜେଶ ଦାସ (ଖୁସି)
ଶ୍ରେଷ୍ଠ ଗୀତିକାର: ଅରୁଣ ମନ୍ତ୍ରୀ (ଭିଜେଇ ଦେଇ ଯା’ ଥରେ…)
ଶ୍ରେଷ୍ଠ ଚିତ୍ରନାଟ୍ୟ: ସନ୍ତୋଷ ନାରାୟଣ ଦାସ (ବାବୁ ଭାଇଜାନ୍)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ବବି ମିଶ୍ର (ବାବୁ ଭାଇଜାନ୍)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ଅଞ୍ଜନା ଦାଶ (ବାପା ତୁମେ ଭାରି ଦୁଷ୍ଟ)
ଶ୍ରେଷ୍ଠ ହାସ୍ୟ କଳାକାର: ତ୍ରିଭୁବନ ପଣ୍ଡା (ଗୋଲ୍ମାଲ୍ ଲଭ୍)
ଶ୍ରେଷ୍ଠ ଶିଶୁ କଳାକାର: ଐଶ୍ବର୍ଯ୍ୟ ମିଶ୍ର (ଖୁସି)
ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (କାଲିର ଅତୀତ)
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଚନ୍ଦ୍ରଶେଖର ଶର୍ମା(ଶଲା ବଢ଼ାର ବଦ୍ଲା)
ସ୍ବତନ୍ତ୍ର ଜୁରି ପୁରସ୍କାର: ଅଭିନେତା ରୋହିତ ରାଜ୍ (କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର: ସୁବ୍ରତ କୁମାର ରଥ (ବାଜି)
ଅଭିଷେକ କୁମାର ଦାସ (ଫ୍ରମ୍ ସଞ୍ଚୁ)

ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର:
(କ) ଶ୍ରୀକ୍ଷେତ୍ରରୁ ସାହିଯାତ (ପ୍ରଯୋଜନା)
(ପ୍ରଯୋଜକ/ନିର୍ଦ୍ଦେଶକ: ଆଶୁତୋଷ ପଟ୍ଟନାୟକ)
(ଖ) ରସଗୋଲା (ନିର୍ଦ୍ଦେଶନା)
(ପ୍ରଯୋଜକ: ସ୍ବରାଜ ମିଶ୍ର, ନିର୍ଦ୍ଦେଶକ ବନମାଳୀ ରଣା)

‘ସରଗମ୍’ ଶ୍ରେଷ୍ଠ ଧାରାବାହିକ, ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର
ଦେବାଶିଷ ପାତ୍ର ଶ୍ରେଷ୍ଠ ଅଭିନେତା; ଲିପ୍ସା ମିଶ୍ର ଶ୍ରେଷ୍ଠ ଅଭିନେତ୍ରୀ

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରିଥିଲେ। ଟେଲିଭିଜନରେ ପ୍ରସାରିତ ‘ସରଗମ୍’ ଶ୍ରେଷ୍ଠ ଧାରାବାହିକ ସମେତ ୫ଟି ବର୍ଗରେ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଧାରାବାହିକର ନିର୍ଦ୍ଦେଶକ ଚଣ୍ଡୀ ପରିଜା ଶ୍ରେଷ୍ଠ ନିର୍ଦ୍ଦେଶକ ମନୋନୀତ ହୋଇଥିବା ବେଳେ ଅଭିନେତା ସୁରେଶ ମିଶ୍ର ଶ୍ରେଷ୍ଠ ସହ କଳାକାର (ନକାରାତ୍ମକ) ଓ ବିଜୟ ମଲ୍ଲ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ପୁରସ୍କୃତ ହେବାକୁ ମନୋନୀତ ହୋଇଛନ୍ତି। ସେହିପରି ଦେବାଶିଷ ପାତ୍ରଙ୍କ ପ୍ରାଯୋଜିତ ତଥା ଡି. ଅଶ୍ବିନୀ ଗଡ଼ନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ‘କାଳିଆ କରୁଛି ଲୀଳା’କୁ ‘ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର’ ଭାବେ ମନୋନୀତ କରାଯାଇଛି। ଏଥିରେ ନିଜ ନିଖୁଣ ଅଭିନୟ ପାଇଁ ଦେବାଶିଷ ପାତ୍ରଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ସମ୍ମାନିତ କରାଯିବ। ‘ରଙ୍ଗିଲା ବୋହୂ’ରେ ନିଜ ଅଭିନୟ ପାଇଁ ଅଭିନେତ୍ରୀ ଲିପ୍ସା ମିଶ୍ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ଚଳିତ ଥର ଟେଲି ଧାରାବାହିକ ‘ରଙ୍ଗିଲା ବୋହୂ’ ୫ଟି ପୁରସ୍କାର ହାତେଇ ନେଇଛି। ‘ରଙ୍ଗିଲା ବୋହୂ’ରେ ନିଜ ଅଭିନୟ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ମଧୁସ୍ମିତା ପ୍ରଧାନ, ଶ୍ରେଷ୍ଠ ସହ ଅଭିନେତ୍ରୀ(ନକାରାତ୍ମକ ଚରିତ୍ର) ପାଇଁ ଉଷଶୀ ମିଶ୍ର, ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ଶଙ୍କର୍ଷଣ ପ୍ରଧାନ ଓ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପ୍ରସିଦ୍ଧି ନାୟକ ପ୍ରମୁଖ ପୁରସ୍କୃତ ହେବେ। ତେବେ ଏ ଥର ଆଦିବାସୀ ଭାଷାରେ ‘ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର’ ପାଇଁ କୌଣସି ଟେଲି ଚଳଚ୍ଚିତ୍ରର ନାମ ଘୋଷଣା ହୋଇନାହିଁ। ଶ୍ରେଷ୍ଠ ଶୈକ୍ଷିକ/ଶିଶୁଭିତ୍ତିକ ଚଳଚ୍ଚିତ୍ର ଭାବେ ଶିବଶଙ୍କର ଦାସଙ୍କ ‘କଲମ’କୁ ସମ୍ମାନିତ କରାଯିବ।

ଅବସରପ୍ରାପ୍ତ ପ୍ରଶାସକ ରବିନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଗଦାଧର ପୁଟ୍ଟୀ, ସଙ୍ଗୀତ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର, ବିଶିଷ୍ଟ ଲେଖିକା ବିୟତପ୍ରଜ୍ଞା ତ୍ରିପାଠୀ ଓ ବିଶିଷ୍ଟ ଚଳଚ୍ଚିତ୍ର ସାମ୍ବାଦିକ ରମାକାନ୍ତ ଦାସଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଏହି ସବୁ ପୁରସ୍କାର ଚୟନ କରିଛନ୍ତି। ରାଜ୍ୟରେ ଓଡ଼ିଆ ଭାଷାରେ ଉନ୍ନତ ବୈଷୟିକ ମାନର ମୂଲ୍ୟବୋଧଭିତ୍ତିକ ସାମାଜିକ ପ୍ରାସଙ୍ଗିକତା ବିଷୟବସ୍ତୁ ଉପରେ ଆଧାରିତ ଟେଲି ଧାରାବାହିକ/ଟେଲି ଚଳଚ୍ଚିତ୍ରଗୁଡ଼ିକର ଅଧିକ ପରିମାଣରେ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ‘ରାଜ୍ୟ ଟେଲି ପୁରସ୍କାର’ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଟେଲି ଧାରାବାହିକ/ଟେଲି ଚଳଚ୍ଚିତ୍ରର ୨୦ଟି ବିଭାଗ ପାଇଁ ମୋଟ୍ ୩ ଲକ୍ଷ ୧୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଓ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ପୁରସ୍କାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରବୋଧ କୁମାର ରଥ।
୮ମ ରାଜ୍ୟ ଟେଲି ପୁରସ୍କାର

ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର: କାଳିଆ କରୁଛି ଲୀଳା
(କ) ପ୍ରଯୋଜକ:ଦେବାଶିଷ ପାତ୍ର- କାଳିଆ କରୁଛି ଲୀଳା
(ଖ) ଡ. ଅଶ୍ବିନୀ ଗଡ଼ନାୟକ
ଶ୍ରେଷ୍ଠ ଟେଲି ଧାରାବାହିକ- ସର୍ଗମ୍
ଶ୍ରେଷ୍ଠ ନିର୍ଦ୍ଦେଶକ(ଟେଲି ଧାରାବାହିକ):ଚଣ୍ଡୀ ପରିଜା (ସରଗମ୍‌)
ଶ୍ରେଷ୍ଠ ଅଭିନେତା: ଦେବାଶିଷ ପାତ୍ର (କାଳିଆ କରୁଛି ଲୀଳା
ଶ୍ରେଷ୍ଠ ଅଭିନେତ୍ରୀ: ଲିପ୍ସା ମିଶ୍ର (ରଙ୍ଗିଲା ବୋହୂ)
ଶ୍ରେଷ୍ଠ ସହ କଳାକାର: ଜୀବନ ପଣ୍ଡା (କାଳିଆ କରୁଛି ଲୀଳା)
ଶ୍ରେଷ୍ଠ ସହ ଅଭିନେତ୍ରୀ: ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୂ)
ଶ୍ରେଷ୍ଠ ସହ ଅଭିନେତା: (ନକାରାତ୍ମକ ଚରିତ୍ର) ସୁରେଶ ମିଶ୍ର (ସରଗମ୍‌)
ଶ୍ରେଷ୍ଠ ସହ ଅଭିନେତ୍ରୀ: (ନକାରାତ୍ମକ ଚରିତ୍ର) ଉଷାଶୀ ମିଶ୍ର (ରଙ୍ଗିଲା ବୋହୂ)
ଶ୍ରେଷ୍ଠ ହାସ୍ୟାଭିନେତା: ଶଙ୍କର୍ଷଣ ପ୍ରଧାନ (ରଙ୍ଗିଲା ବୋହୂ)
ଶ୍ରେଷ୍ଠ ଶିଶୁ କଳାକାର: ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୂ)
ଶ୍ରେଷ୍ଠ କାହାଣୀ ଲେଖକ: ପ୍ରସନ୍ନ ପୃଷ୍ଟି (କସ୍ତୁରୀ)
ଶ୍ରେଷ୍ଠ ସଂଳାପ ଲେଖକ: ବିଜୟ ମଲ୍ଲ (ସରଗମ୍‌)
ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ: ସୁଶାନ୍ତ ମଣି (ନିମ୍‌କି)
ଶ୍ରେଷ୍ଠ ସମ୍ପାଦନା: ଚନ୍ଦ୍ରଶେଖର ମିଶ୍ର (କଳିଆ କରୁଛି ଲୀଳା)
ଶ୍ରେଷ୍ଠ ଫୋଟୋଗ୍ରାଫର୍: ନିରଞ୍ଜନ ଦାସ (ଝିଅଟା ଅଲଗା ପ୍ରକାର)
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଅଭିମନ୍ୟୁ ବେହେରା (ସରଗମ୍‌)
ସ୍ବତନ୍ତ୍ର ଜୁରି ପୁରସ୍କାର: ପି ବିଶାଲ ପଟ୍ଟନାୟକ (ମହାନାଟକ)
ଶ୍ରେଷ୍ଠ ଶୈକ୍ଷିକ/ ଶିଶୁଭିତ୍ତିକ ଚଳଚ୍ଚିତ୍ର: ଶିବଶଙ୍କର ଦାସ (କଲମ)

ସମ୍ବନ୍ଧିତ ଖବର