ପୁରୀ: ଆସନ୍ତା ଅକ୍ଟୋବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବ। ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ୭୫ ମିଟର ପରିଧି ଭିତରେ ଦୁଇଟି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ପ୍ରାୟ ୩ହଜାର ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା ହେବ। ଏମାର ମଠ ଜାଗାରେ ହିଁ ରଘୁନନ୍ଦନ ପାଠାଗାର ଗୃହ ନିର୍ମାଣ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପରିକ୍ରମା ପ୍ରକଳ୍ପ ଓ ଅବଢ଼ା ଯୋଜନାରେ ଓବିସିସି ନିର୍ମାଣ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଆଜି ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି, ଓବିସିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ବୈଠକ ପରେ ଶ୍ରୀ ଦାସ କହିଥିଲେ, ମାର୍କଣ୍ଡେଶ୍ବରସାହି ଶ୍ରୀମନ୍ଦିର କର୍ମଚାରୀ କ୍ବାର୍ଟର୍ସ ଓ ହରଚଣ୍ଡୀସାହି ସେବକ ଆବାସ ନିର୍ମାଣର ଅଗ୍ରଗତି, ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲାଗିବା କାମ, ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନୟନ କାର୍ଯ୍ୟ ଓ ତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ତିଆଡ଼ିସାହି ଗୋପାଳତୀର୍ଥ ମଠ ଓ ଦୋଳମଣ୍ଡପସାହି ନାରାୟଣୀ ମନ୍ଦିରର ପୁନରୁଦ୍ଧାର, କୋଠଘର ପାଇଁ କାଠ ଅଡ଼ା, ଜେଟିପି ବାରାକ, ହାଣ୍ଡି କୁଡ଼ୁଆ ଘର, ସାରଥି, ରଥ ପାର୍ଶ୍ବ ଦେବଦେବୀ, ଘୋଡ଼ା ଆଦି ରଖିବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ସ୍ବତନ୍ତ୍ର ଗୃହ, ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଗାଡ଼ି ପାର୍କିଂ ଆଦି ନିର୍ମାଣ ଅଗ୍ରଗତି ନେଇ ଓବିସିସି ତାଙ୍କ ମତ ରଖିଥିଲେ। ସେହିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୧୮ଟି ମଠ ଓ ୨ଟି ମନ୍ଦିରର ପୁନରୁଦ୍ଧାର ହେବ।

ଏହାର ଟେଣ୍ଡର୍‌ ସରିଛି, ଖୁବଶୀଘ୍ର କାମ ଆରମ୍ଭ ହେବ। ମାର୍କଣ୍ଡେଶ୍ବରସାହିରେ ରଥର ବିଭିନ୍ନ ଅଂଶ ରଖିବାକୁ ଏକ ଗୋଦାମ ଗୃହ ନିର୍ମାଣ ହେବାକୁ ସ୍ଥିର କରାଯାଇଛି। ମେଘନାଦ ପାଚେରିକୁ ଲାଗି ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ଆବର୍ଜନା ପକାଇବା ବ୍ୟବସ୍ଥା, ମାଳତୀପାଟପୁର ବସଷ୍ଟାଣ୍ଡ୍‌ ନିକଟରେ ହେଉଥିବା ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ର ପାଚେରି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ, ପଥର ପୁଷ୍କରିଣୀର ପଶ୍ଚିମପାର୍ଶ୍ବ ଭଗ୍ନ ପାଚେରିର ମରାମତି, ଶ୍ରୀମନ୍ଦିର ଆଲୋକୀକରଣ ବ୍ୟବସ୍ଥା ପାଇଁ କୁରୁମ ବେଢ଼ା ଉପରେ ଥିବା ପୋଡ଼ା କେବୁଲ୍‌ ଓ ନଷ୍ଟ ହୋଇଯାଇଥିବା ଜିଆଇ କେବୁଲ୍‌କୁ ହଟାଇବା କାର୍ଯ୍ୟ କରାଯଇବ।
ଓବିସିସି-୧ ପ୍ରକଳ୍ପ ପରିଚାଳକ ଇଂ. ପ୍ରଭାତ ପାଣିଗ୍ରାହୀ କହିଥିଲେ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଶ୍ରୀମନ୍ଦିର କାର୍ଯ୍ୟାଳୟ ପୁନରୁଦ୍ଧାର, ରଘୁନନ୍ଦନ ପାଠାଗାର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ରାଜୀବ କନ୍‌ଷ୍ଟ୍ରକସନ୍‌ ନାମକ ଠିକା ସଂସ୍ଥା ଏହି କାମ ନେଇଛି। ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଦୁଇ ମହଲା ବିଶିଷ୍ଟ ହେବ ବୋଲି ଇଂ. ପାଣିଗ୍ରାହୀ କହିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଆଜିର ବୈଠକରେ ଆମେ ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲିବାକୁ ଦାବି ରଖିଥିଲୁ। ପରିକ୍ରମା ପ୍ରକଳ୍ପ ଭିତରକୁ ପ୍ରବେଶ କରିବା ପାଇଁ ୯ଟି ପ୍ରବେଶ ପଥର ବ୍ୟବସ୍ଥା କରାଯାଉଛି। ଭକ୍ତଙ୍କୁ ଯାଞ୍ଚର ବ୍ୟବସ୍ଥା ହେବା ପରେ ଚାରିଦ୍ବାରରୁ ପ୍ରବେଶ ଅନୁମତି ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଦାସମହାପାତ୍ର କହିଛନ୍ତି।