ବ୍ରହ୍ମଗିରି : ରବିବାର ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀ ଅଲାରନାଥଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଦ୍ବିପ୍ରହର ଧୂପ ପରେ ଶ୍ରୀଜିଉଙ୍କ ବିଜୟ ବିଗ୍ରହ ମଦନମୋହନ, ଲକ୍ଷ୍ମୀ ଓ ସରସ୍ବତୀ, ରାମକୃଷ୍ଣଙ୍କ ବନକ ଲାଗି ହୋଇଛି। ଚାପ ପୋଖରୀରେ ନନ୍ଦା ଓ ଭଦ୍ରା ନାମକ ଦୁଇଟି ଡଙ୍ଗାକୁ ଯୋଡା ଯାଇ ପ୍ରସ୍ତୁତ କରାଯାଇଥିଲା। ଓଲଟା ହଂସକୁ ଡଙ୍ଗା ଆଗରେ ଯୋଡ଼ା ଯାଇଛି। ଏହା ପରେ ଚନ୍ଦନ ଚକଡାରେ ମନ୍ଦିର ପୁରୋହିତଙ୍କ ଦ୍ବାର ହୋମଯଜ୍ଞ ସମ୍ପାଦିତ ହୋଇଛି। ଏହା ପରେ ବିଜେ କାହାଳୀ ବାଜିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଅନ୍ୟ ଦେବଦେବୀ ବିମାନରେ ଓ ପାଲିଙ୍କିରେ ବିଜେ ହୋଇ ମୁଖ୍ୟ ମନ୍ଦିରରେ ଥରେ ପରିକ୍ରମା କରିଥିଲେ।
ବିମାନଗଡୁ ସେବାୟତ ବିମାନ ଓ ପାଲିଙ୍କିଙ୍କୁ ସିଂହଦ୍ବାର ଦେଇ ବ୍ରହ୍ମଗିରି ବଜାର ଓ ଚାପ ପୋଖରୀ ରାସ୍ତାରେ ନେଇ ଚନ୍ଦନ ଚକଡାରେ ପହଞ୍ଚି ଥିଲେ। ଦିନ ଚାପ ଖେଳି ଫେରି ଚନ୍ଦନ କୁଣ୍ତରେ ବିଜୟ ବିଗ୍ରହଙ୍କ ସ୍ନାନ ପରେ ବନକ ଲାଗି ହୋଇଛନ୍ତି। ଏହା ପରେ ଚନ୍ଦନ ଚକଡାରେ ପ୍ରସ୍ତୁତ ହୋଇଥିବା ପିଠା, ଖଇ, କାକରା, ସର, ଖିର, ଲହୁଣୀ ଧୂପ ଉଠିଛି। ଧୂପ ଉଠିବା ପରେ ରାତି ଚାପକୁ ବିଜୟ ବିଗ୍ରହ ବିଜେ କରିଛନ୍ତି। ରାତି ଚାପ ଶେଷ ହେବା ପରେ ବିମାନ ଓ ପାଲିଙ୍କିରେ ବିଜେ କରି ଅଲାରପୁର ଗାଁ ଦେଇ ମୁଖ୍ୟ ମନ୍ଦିରକୁ ବିଜେ କରିଛନ୍ତି। ପରେ ଶ୍ରୀଜିଉଙ୍କ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ିଛି। ଏହା ପରେ ପହଡ ନୀତି ବଢିଛି। ଶ୍ରୀଜିଉଙ୍କ ଚାପ ଖେଳ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି।