ପୁରୀ: ଶ୍ରୀମନ୍ଦିର ପାଣ୍ଠି ବାବଦକୁ ପ୍ରାୟ ୩୯ କୋଟି ୨୨ଲକ୍ଷ ଟଙ୍କା ଆଜି ଦୁଇଟି ବ୍ୟାଙ୍କରେ ଜମା ଦିଆଯାଇଛି। ନିଲାମ ପ୍ରକ୍ରିୟାରେ ଭାଗନେଇଥିବା ୪ଟିରୁ ବ୍ୟାଙ୍କ ମଧ୍ୟରୁ ୨ଟି ବ୍ୟାଙ୍କ ଅଧିକ ସୁଧରେ ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ୍ରେ ଜମା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନଠାରୁ ନେଇଛନ୍ତି। ଏହି ଟଙ୍କାକୁ ବର୍ଷକ ପାଇଁ ଦୁଇ ବ୍ୟାଙ୍କରେ ସ୍ଥାୟୀ ଜମା ରଖାଯାଇଛି।
ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ପାଣ୍ଠି ବାବଦରେ ପ୍ରାୟ ୩୯ କୋଟି ୨୨ଲକ୍ଷ ଟଙ୍କାକୁ ସ୍ଥାୟୀ ଜମା ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଥିଲା। ଏଥିପାଇଁ ଅଧିକ ସୁଧ ଯିଏ ଦେବ ସେହି ବ୍ୟାଙ୍କ୍ରେ ଜମା ରଖିବାକୁ ବ୍ୟାଙ୍କମାନଙ୍କ ଜରିଆରେ ନିଲାମ ଡକାଯାଇଥିଲା। ଜାତୀୟ ବ୍ୟାଙ୍କମାନଙ୍କୁ ଏଥିରେ ଅଂଶଗ୍ରହଣର ସୁଯୋଗ ଦିଆଯାଇଥିଲା। କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁକୋ ବ୍ୟାଙ୍କ ଓ ୟୁନିୟନ୍ ବ୍ୟାଙ୍କ, ଏଭଳି ୪ଟି ବ୍ୟାଙ୍କ ଏଥିରେ ଅଂଶଗ୍ରହଣ କରିଥିଲେ। ଶ୍ରୀମନ୍ଦିର ଅର୍ଥ ସବ୍କମିଟି ଅନୁମୋଦନକ୍ରମେ ବ୍ୟାଙ୍କ ଅଫ୍ ବରୋଦାରେ ୭.୫୫ ପ୍ରତିଶତ ସୁଧରେ ୩ କୋଟି ୧୮ ଲକ୍ଷ ଟଙ୍କା ଓ କାନାଡ଼ା ବ୍ୟାଙ୍କରେ ୭.୮୦ ପ୍ରତିଶତ ସୁଧରେ ୩୬ କୋଟି ୩ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଆକାରରେ ରଖାଯାଇଛି।