ଜମି ଚିହ୍ନଟରେ ସୀମିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ନିର୍ମାଣ କାର୍ଯ୍ୟ ଇଞ୍ଚେ ବି ଆଗେଇଲାନି
୨୦୧୯ରୁ ୫ କୋଟି ମଞ୍ଜୁର କଲେଣି ସୁପ୍ରି‌ମକୋର୍ଟ
ସୋସାଇଟି ଗଠନ ହୋଇନି , ବାଇ-ଲ’ ବି ପ୍ରସ୍ତୁତ ହୋଇନି
ବିର୍ଲା ଚଳାଇବ ବିଦ୍ୟାଳୟ, ଦେବ ୧ କୋଟି

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ଖୋଲ। ୨୦୧୯ ନଭେମ୍ବର ୪ରେ ପ୍ରକାଶିତ ରାୟରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଅଗ୍ରିମ ୫ କୋଟି ଟଙ୍କା ମଞ୍ଜୁର ବି କରିଥିଲେ। ଏହି ଆଦେଶ ପରେ ତତ୍କାଳ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ଅଧ୍ୟୟନ ଆରମ୍ଭ କରିବାକୁ ବି ଲକ୍ଷ୍ୟ ରଖାଯାଇଥିଲା। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଗଲାଣି, କିନ୍ତୁ ଏହି ପ୍ରକଳ୍ପରେ ସେଭଳି ଅଗ୍ରଗତି ଦେଖିବାକୁ ମିଳିନି। ଗୁରୁକୁଳ ଗୃହ ନିର୍ମାଣ ତ ଦୂରର କଥା ଏବେ ସୁଦ୍ଧା ଏହାର ବାଇ-ଲ’ ବି ପ୍ରସ୍ତୁତ ହୋଇନି। କେବଳ ଜମି ଚିହ୍ନଟରେ ସୀମିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ। ଫଳରେ ଚଳିତବର୍ଷ ବି ଏହି ଗୁରୁକୁଳ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ମାମଲାର ଶୁଣାଣି କରି ୨୦୧୯ ମସିହାରେ ସୁପ୍ରିମକୋର୍ଟ ରାୟର ୩ ନମ୍ବର ପଏଣ୍ଟରେ ସେବାୟତଙ୍କ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗ ଉଠାଇଥିଲେ। ରାୟରେ କହିଥିଲେ ଯେ ସେବାୟତ ପିଲାଙ୍କ ପଢ଼ିବା ପାଇଁ ଏହା ଅତ୍ୟନ୍ତ ଜରୁରୀ। ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇ ଦେବାକୁ କୁହାଯାଇଥିଲା। କେବଳ ସେବାୟତଙ୍କ ପିଲାମାନେ ନୁହଁନ୍ତି, ବାହାର ପିଲାମାନେ ବି ଏଥିରେ ପଢ଼ି ପାରିବାର ବ୍ୟବସ୍ଥା ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ୍‌ ମେଡିକାଲ୍‌ ସାଇନ୍ସ କୋର୍ଟଙ୍କୁ ଦେବାକୁ ଥିବା ୫ କୋଟି ଟଙ୍କା ଓ ଏହାର ସୁଧ ଟଙ୍କା ବିଦ୍ୟାଳୟ ଖୋଲିବାରେ ଖର୍ଚ୍ଚ କରାଯିବ ବୋଲି କୋର୍ଟ କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ‌ବହୁ ବାର ଆଦର୍ଶ ଗୁରୁକୁଳ ପାଇଁ ବୈଠକ ବସିଲାଣି। ଗତବର୍ଷ ଅଗଷ୍ଟ ୨୬ରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ଉପରେ ବିସ୍ତୃତ ଆଲୋଚନା ବି ହୋଇଥିଲା। ବୈଠକ ପରେ ତତ୍କାଳୀନ ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଥିଲେ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ଆଦର୍ଶ ସେବାୟତ ଗୁରୁକୁଳରେ ଅଧ୍ୟୟନ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି। ପୁରୀ ପୌରାଞ୍ଚଳ ଅଧୀନ ମାଟିତୋଟାରେ ଏଥିପାଇଁ ୧୭ ଏକର ଜାଗା ଚିହ୍ନଟ ହୋଇଥିବାବେଳେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏହି ସେବାୟତ ଗୁରୁକୁଳ କୋଠା ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ରୂପ ନେବ। ଏହାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହେବ। ଏହି ସୋସାଇଟିର ସଭାପତି ଗଜପତି ମହାରାଜ ରହିବେ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ସେବାୟତ ପ୍ରତିନିଧି ଭାବେ ମାଧବଚନ୍ଦ୍ର ପୂଜାପଣ୍ଡାଙ୍କ ସହ କିଛି ଶିକ୍ଷାବିତ୍‌ ଏହି ସୋସାଇଟିର ସଦସ୍ୟ ରହିବେ।

ଗୁରୁକୁଳର ବିକାଶ ତଥା ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ଗୁରୁକୁଳ ପାଣ୍ଠି ଗଠନ ହେବ। ସେବାୟତ ଗୁରୁକୁଳ ପାଇଁ ସୁପ୍ରିମକୋର୍ଟ ଯେଉଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ତାହା ଶ୍ରୀମନ୍ଦିର ଗୁରୁକୁଳ ପାଣ୍ଠିରେ ଜମା ରହିବ। ଇତିମଧ୍ୟରେ ୨୦୨୨-୨୩ ଆର୍ଥିକ ବଜେଟ୍‌ରେ ବି ପୁଣି ୫ କୋଟି ଟଙ୍କାର ଅନୁଦାନ ଆଦର୍ଶ ଗୁରୁକୁଳ ପାଇଁ ମଞ୍ଜୁର ହୋଇଛି। ଗୁରୁକୁଳ ପାଇଁ ଆବଶ୍ୟକ ଜାଗା ଏବେ ୧୭ ଏକରରୁ ବଢ଼ି ୨୨ ଏକରକୁ ବୃଦ୍ଧି ପାଇଛି। ମାଟିତୋଟାରେ ହିଁ ଏହି ଜାଗା ଚିହ୍ନଟ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକୁ ଇତିମଧ୍ୟରେ ୧୦ ମାସ ବିତିଥିଲେ ବି ବର୍ତ୍ତମାନ ସୁଦ୍ଧା ଗୁରୁକୁଳ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ସେପଟେ ସୋସାଇଟି ଗଠନ ପାଇଁ ପ୍ରତି ବୈଠକରେ ଆଲୋଚନା ହେଉଥିଲେ ବି ଏ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ବି ଆରମ୍ଭ ହୋଇନି। ଅନ୍ୟପଟେ ବିର୍ଲା ମେଡିକାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌ ଏହି ଗୁରୁକୁଳ ଚଳାଇବ ବୋଲି ନିଷ୍ପତ୍ତି ହୋଇଛି। ସିବିଏସ୍‌ଇ ଢ଼ାଞ୍ଚାରେ ବିଦ୍ୟାଳୟ ଚଳାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଖୁବଶୀଘ୍ର ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ସହ ବିର୍ଲା ଫାଉଣ୍ଡେସନ୍‌ର ଏମ୍‌ଓୟୁ ସ୍ବାକ୍ଷର ହେବ ବୋଲି ଜଣାପଡ଼ିଛି। ଗୁରୁକୁଳ ଚଳାଇବା ପାଇଁ ବିର୍ଲା ମେଡିକାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌ ୧ କୋଟି ଟଙ୍କାର ଆର୍ଥିକ ସହାୟତା ପର୍ଯ୍ୟାୟକ୍ରମେ ପ୍ରଦାନ କରିବ ବୋଲି ସର୍ତ୍ତ ରଖାଯାଇଛି। ଆହୁରି ସର୍ତ୍ତ ରଖାଯାଇଛି କି ଜାଗା, ଗୁରୁକୁଳର ପାଠ୍ୟ ଉପରକରଣ, ଆସବାବପତ୍ର ଆଦି ସୋସାଇଟି ନାଁରେ ରହିବ। ଯେଉଁ ଏମ୍‌ଓୟୁ ସ୍ବାକ୍ଷର ହେବ, ତାହା ୧୦ ବର୍ଷ ପାଇଁ ବୈଧ ରହିବ। କିନ୍ତୁ ଗୁରୁକୁଳ ବାଇ-ଲ’ କି ସୋସାଇଟି ଗଠନ ପ୍ରକ୍ରିୟା ଆଜି ସୁଦ୍ଧା ଆରମ୍ଭ ହୋଇନଥିବାରୁ ବିର୍ଲା ସହ ଏମ୍‌ଓୟୁ ବି ଝୁଲି ରହିଛି।

ସମ୍ବନ୍ଧିତ ଖବର