ପୁରୀ: ଶ୍ରୀମନ୍ଦିର ପାଇଁ ୧୨ ବର୍ଷ ତଳେ ସ୍ବତନ୍ତ୍ର ଏଫ୍ଏମ୍‌ ରେଡିଓ ଷ୍ଟେସନ୍‌ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଲକ୍ଷ୍ୟ ଥିଲା, ଭକ୍ତ ଓ ପର୍ଯ୍ୟଟକଙ୍କୁ ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ସହ ଶ୍ରୀଜଗନ୍ନାଥ ସଂସ୍କୃତିର ମାହାତ୍ମ୍ୟ ଜଣାଇବା। ଏହାଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ସହ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ବେଶ ଆଦି ସମ୍ପର୍କରେ ଭକ୍ତ ଜାଣିପାରିବେ। ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶାନିଯୋଗ, ବିଶେଷ କରି ଖୁଣ୍ଟିଆ ନିଯୋଗ ଏ ଦିଗରେ ସ୍ବର ଉଠାଇବା ପରେ ପରିଚାଳନା କମିଟି ବୈଠକରେ ଏହି ପ୍ରସ୍ତାବରେ ଚୂଡ଼ାନ୍ତ ମୋହର ବାଜିଥିଲା। ମାତ୍ର ଦୁର୍ଭାଗ୍ୟ, ୧୨ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ବି ଏହି ନିଷ୍ପତ୍ତି ଶୀତଳଭଣ୍ଡାରରେ ପଡ଼ିରହିଛି। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ବି ଏହି ନିଷ୍ପତ୍ତିକୁ ଭୁଲିଗଲେଣି। ଆଜି ବିଶ୍ବବାସୀ ରେଡିଓ ଦିବସ ପାଳନ କରିଥିବାବେଳେ କ୍ଷୋଭ ଝାଡ଼ିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ। ଯେଉଁଠି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ‘ଶ୍ରୀ’ ବୃଦ୍ଧି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠି ସାମାନ୍ୟ ଆନ୍ତରିକତା ଦେଖାଇଲେ, ଏହି ମହତ ଯୋଜନା ପୂର୍ଣ୍ଣରୂପ ନେଇପାରନ୍ତା ବୋଲି ମତ ଦେଇଛନ୍ତି।

Advertisment

୨୦୧୩ ଜୁନ୍‌ ୧୮ ତାରିଖ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଏଫ୍‌ଏମ୍‌ ଷ୍ଟେସନ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଥିଲେ କି ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ସ୍ଥାପନ ହେବାକୁ ଥିବା ଏହି ଏଫ୍‌ଏମ୍‌ ଷ୍ଟେସନ୍‌ ପାଇଁ ପ୍ରାୟ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୨୦୧୩ ମସିହା ଜୁଲାଇ ମାସ ରଥଯାତ୍ରା ସରିବା ପରେ ପରେ ଏହି ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଇତିମଧ୍ୟରେ ଦଶନ୍ଧି ବିତିଗଲାଣି ଓ ଚାରି ଥର ଶ୍ରୀମନ୍ଦିର ପରିଚାଳନା କମିଟି ବଦଳି ସାରିଲେଣି। କିନ୍ତୁ କମିଟି ବଦଳିବା ସହ ଏହି ପ୍ରସଙ୍ଗ ବି ହଜିଯିବାରେ ଲାଗିଛି। ଏ ଭିତରେ ଥରୁଟିଏ ବି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିନି।

ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି କି ଏହି ପ୍ରସ୍ତାବ ପ୍ରଥମେ ଖୁଣ୍ଟିଆ ନିଯୋଗ ଦେଇଥିଲା। ସ୍ବତନ୍ତ୍ର ଏଫ୍‌ଏମ୍‌ ଷ୍ଟେସନ୍‌ ସ୍ଥାପନର ମୂଳ ଲକ୍ଷ୍ୟ ଥିଲା ଭକ୍ତଙ୍କୁ ସଚେତନ କରିବା। ଭକ୍ତଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି, ଦୈନନ୍ଦିନ ନୀତିକାନ୍ତି ସମ୍ପର୍କରେ ଅବଗତ କରାଇବା। ପଦ୍ମବେଶ, ଗଜବେଶ ଭଳି ବିଭିନ୍ନ ସମୟରେ ପଡ଼ୁଥିବା ମହାପ୍ରଭୁଙ୍କ ‌ବେଶ ସହ ବନକଲାଗି ଓ ଅନ୍ୟାନ୍ୟ ନୀତି ନେଇ ଅବଗତ କରିବା। ‌ନୀତି ପାଇଁ ଶ୍ରୀମନ୍ଦିର କେବେ ବନ୍ଦ ରହିବ, କେବେ ଖୋଲିବ ଆଦି ସୂଚନା ଦେବା ପାଇଁ ଏହି ଏଫ୍‌ଏମ୍‌ ଷ୍ଟେସନ୍‌କୁ ବିନିଯୋଗ କରିବା ପାଇଁ ସ୍ଥିର ହୋଇଥିଲା। ଶ୍ରୀ ଖୁଣ୍ଟିଆ କହିଛନ୍ତି, ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ବିଶ୍ବପ୍ରସିଦ୍ଧ ଶ୍ରୀକ୍ଷେତ୍ର। ଏଣୁ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ ସ୍ଥାପନ ଅତ୍ୟାବଶ୍ୟକ। ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଏହାର ଶୁଭାରମ୍ଭ କରିବାକୁ ଶ୍ରୀ ଖୁଣ୍ଟିଆ ଦାବି ରଖିଛନ୍ତି।