ଶ୍ରୀମନ୍ଦିର ହେରିଟେଜ୍‌ କରିଡର: ଅଧା ପ୍ରକଳ୍ପକୁ ମଞ୍ଜୁରି ମିଳିଲା

ଶୌଚାଳୟ, କ୍ଲକ୍‌ ରୁମ୍‌, ଚଲାପଥକୁ ଅନୁମତି, ଅକ୍ଟୋବର ମାସରୁ ଆରମ୍ଭ ହେବ କାର୍ଯ୍ୟ

ପୁରୀ : ଶ୍ରୀମନ୍ଦିର ହେରିଟେଜ୍‌ କରିଡର ଯୋଜନାର ମାର୍ଗ ପ୍ରଶସ୍ତ ହୋଇଛି। ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ମାନସ ସନ୍ତାନ ହୋଇଥିବାବେଳେ ବହୁଦିନରୁ ନ୍ୟାସନାଲ୍‌ ମନୁ‌ମେଣ୍ଟ ଅଥରିଟି(ଏନ୍‌ଏମ୍‌ଏ)ର ଅନୁମୋଦନକୁ ଅପେକ୍ଷା କରିଥିଲେ ସରକାର। ତେବେ ଏ ଭିତରେ ହେରିଟେଜ୍‌ କରିଡର ଯୋଜନାର ଅଧା ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି ନ୍ୟାସନାଲ୍‌ ମନୁମେଣ୍ଟ ଅଥରିଟି।

ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନକୁ ବି ବିଧିବଦ୍ଧ ଚିଠି କରିଛି ଏନ‌୍ଏମ୍‌ଏ। ଯଦ୍ବାରା ହେରିଟେଜ୍‌ କରିଡର ପାଇଁ ବାଟି ଫିଟିବା ସହ ଐତିହ୍ୟ ସହରର ବିକାଶ ସ୍ବପ୍ନ ବି ସାକାର ହେବାକୁ ଯାଉଛି। ଏନ୍‌ଏମ୍‌ଏର ମଞ୍ଜୁରି ପରେ ଅକ୍ଟୋବରରୁ ଶ୍ରୀମନ୍ଦିର ହେରିଟେଜ୍‌ କରିଡର କାମ ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତରପାର୍ଶ୍ବରୁ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ଏହି ପାର୍ଶ୍ବକୁ ଆଜି ଖାଲି କରାଯାଇଛି। ସେପଟେ ୭୫ ମିଟର ପରିଧିରେ ଥିବା ବାକି କୋଠାଗୁଡ଼ିକର ଉଚ୍ଛେଦ କାମ ଯଥାଶୀଘ୍ର ସାରିବାକୁ ତତ୍ପରତା ଦେଖାଇଛି ପ୍ରଶାସନ।

ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ହୋଇଥିବା ଚିଠି ମୁତାବକ, ଏନ୍‌ଏମ୍‌ଏ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ହେରିଟେଜ୍‌ କରିଡର ଯୋଜନା ଅନ୍ତର୍ଭୁକ୍ତ କ୍ଲକ୍‌ ରୁମ୍‌ , ମିନି କ୍ଲକ୍‌ ରୁମ୍‌, ଆଶ୍ରୟ ଗୃହ, ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ଶୌଚାଳୟ, ସେବାୟତଙ୍କ ପାଇଁ ଶୌଚାଳୟ, ଇଲେକ୍ଟ୍ରି ରୁମ୍‌ କରିବାକୁ ଅନୁମତି ପ୍ରଦାନ କରିଛି। ସେହିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଭକ୍ତଙ୍କ ପାଇଁ ପାଦଚଲା ରାସ୍ତା, ଅପେକ୍ଷା ସ୍ଥାନକୁ ମଞ୍ଜୁରି ମିଳିଛି। ଏଣୁ ସରକାର ଏନ୍‌ଏମ୍‌ଏ ଅନୁମତି ମିଳିଥିବା କାମକୁ ପ୍ରଥମେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି। ଓବିସିସି ଟାଟା ପ୍ରୋଜେକ୍ଟକୁ ହେରିଟେଜ୍‌ କରିଡର କାମ ଦେଇଥିବାବେଳେ ସମ୍ପୃକ୍ତ ସଂସ୍ଥା ‌ଅକ୍ଟୋବରରୁ ଏହି କାମ ଆରମ୍ଭ କରିବ। ପିପିଲି ଉପନିର୍ବାଚନ ସରିବା ପରେ ପରେ ଏହି କାମ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ରାଜ୍ୟ ସରକାର ହେରିଟେଜ୍‌ କରିଡରର ପରିକଳ୍ପନା କରିଥିବାବେଳେ ଏହାଭିତରେ ତିନିଟି ମିନି କ୍ଲକ୍‌ରୁମ୍‌, ତିନିଟି ସୂଚନା ଓ ଦାନ କିଓସ୍କୋ, ୫ଟି ଆଶ୍ରୟ ଘର, ୬ଟି ପୁରୁଷ ଓ ମହିଳାଙ୍କ ଶୌଚାଳୟ, ୨ଟି ସେବାୟତ ଶୌଚାଳୟ, ଗୋଟିଏ ପୁଲିସ୍‌ ସେବା କେନ୍ଦ୍ର, ଗୋଟିଏ ଏଟିଏମ୍‌ କିଓସ୍କୋ, ୧୦୦ ଜଣଙ୍କ ବସିବା ଭଳି ଗୋଟିଏ ଭଜନ ମଣ୍ଡପ, ୫ଶହ ଜଣଙ୍କ ବସିବା ଭଳି ଗୋଟିଏ ସଂସ୍କୃତି ମଣ୍ଡପ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି, ଯେଉଁଠି ୮ ହଜାର ବ୍ୟକ୍ତିଙ୍କ ବସିବା ସୁବିଧା ରହିବ।

କିନ୍ତୁ ଐତିହ୍ୟ କରିଡର ପାଇଁ ଏନ୍‌ଏମ୍‌ଏର ଅନୁମତି ଆବଶ୍ୟକ ରହିଥିବାରୁ ଏ ସମ୍ପର୍କରେ ସରକାର ଚିଠି ଲେଖି ଅନୁମତି ମାଗିଥିଲେ। ଏ ଭିତରେ ଏନ୍‌ଏମ୍‌ଏ ସମ୍ପୂର୍ଣ୍ଣ ପ୍ରକଳ୍ପରୁ ଅଧା ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛି। ଅକ୍ଟୋବରରୁ ଏହି କାମ ଆରମ୍ଭ ହୋଇଯିବ। ବାକି ପ୍ରକଳ୍ପର ଅନୁମତି ବି ଖୁବଶୀଘ୍ର ମିଳିଯିବ ବୋଲି ଶ୍ରୀମନ୍ଦିରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର