ପୁରୀ: ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାବିଷୁବ ପଣା ସଂକ୍ରାନ୍ତି, ଅଣସର, ନେତ୍ରୋତ୍ସବ, ପଞ୍ଚକ ଓ ଅନ୍ୟାନ୍ୟ ପର୍ବପର୍ବାଣିର ତିଥିକୁ ନେଇ ବିବାଦ ଦେଖାଦେଇଛି। ବିଭିନ୍ନ ପଞ୍ଜିକାରେ ପଞ୍ଜିକାରମାନେ ଭିନ୍ନ ଭିନ୍ନ କଥା ଉପସ୍ଥାପନ କରିଛନ୍ତି। କିଏ ପଣା ସଂକ୍ରାନ୍ତି ଏପ୍ରିଲ ୧୩ ତ କିଏ ଏପ୍ରିଲ ୧୪ ତାରିଖରେ ପଡ଼ୁଥିବା ଦର୍ଶାଇଛନ୍ତି। ତିଥିକୁ ନେଇ ଏଭଳି ଦ୍ବନ୍ଦ୍ବ ଉପୁଜିବାରୁ ଶ୍ରୀମନ୍ଦିର ପ୍ରଶାସନ ଚଳିତ ମାସ ୧୨ ତାରିଖରେ ପୁନର୍ବାର ପାଞ୍ଜି ସମନ୍ବୟ ବୈଠକ ଡାକିଛି।

Advertisment

୨୦୨୪-୨୫ ପାଇଁ ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି କେଉଁ ତିଥିରେ ପାଳନ ହେବ, ତାହା ଉପରେ ସାମଞ୍ଜସ୍ୟ ଆଣିବାକୁ ରାଜ୍ୟର ବିଭିନ୍ନ ପଞ୍ଜିକାରଙ୍କୁ ଡକାଯାଇଥିଲା। ବୈଠକରେ ପୂଜାପଣ୍ଡା ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତସଭାର ସଭ୍ୟ, ଦଇତାପତି ନିଯୋଗ, ପରିଚାଳନା କମିଟି ସଦସ୍ୟଙ୍କ ସମେତ ସାମନ୍ତ ଚନ୍ଦ୍ରଶେଖର, କୋହିନୂର, ବିରଜା, ରାଧାରମଣ ଆଦି ପଞ୍ଜିକାର ଗଣକ ଓ ପ୍ରକାଶକମାନେ ଉପସ୍ଥିତ ଥିଲେ। ପ୍ରତିବର୍ଷ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳିତ ହୋଇଆସୁଛି। କିନ୍ତୁ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଓ ଅନ୍ୟ ପଞ୍ଜିକାର ଗଣନାକାରୀମାନେ ଯୁକ୍ତି ଦର୍ଶାଇଥିଲେ, ସିଦ୍ଧାନ୍ତ ଦର୍ପଣ ଗଣନା ଅନୁସାରେ ଏପ୍ରିଲ ୧୩ ଶନିବାର ନିଶାନ୍ତ ୪ଟା ୪୯ ମିନିଟ୍‌ ୩୧ ସେକେଣ୍ଡରେ ରବି ଚଳନ ହେଉଛି। ତେଣୁ ୧୩ ତାରିଖରେ ପଣା ସଂକ୍ରାନ୍ତି ହେବ। ଦୃକ୍‌ସିଦ୍ଧ ଗଣନା ଅନୁସାରେ ମଧ୍ୟ ରାତି ୯ଟା ୪ ମିନିଟ୍‌ ୧୧ ସେକେଣ୍ଡେରେ ରବି ଚଳନ ହେଉଥିବାରୁ ସେହି ୧୩ ତାରିଖରେ ହିଁ ସଂକ୍ରାନ୍ତି ହେବ। କିନ୍ତୁ ରାଧାରମଣ ପଞ୍ଜିକା ସହିତ ଅନ୍ୟ କିଛି ପଞ୍ଜିକାର ଗଣନାକାରୀ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ସେପଟେ ଚଳିତବର୍ଷ ମହାପ୍ରଭୁଙ୍କ ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି ବୋଲି କିଛି ପଞ୍ଜିକାର ଗଣନାକାରୀ ଦାବି କରିଥିଲେ। ଏଣୁ କ୍ଷୟ ତିଥି ଯୋଗୁ ଏଭଳି ଦ୍ବନ୍ଦ୍ବ ଉପୁଜିଥିବା ଗଣନାକାରୀମାନେ କହିଛନ୍ତି। ଏଣୁ ମହାପ୍ରଭୁଙ୍କ ଅଣସର ନୀତି କେତେ ଦିନ ଚାଲିବ, ନେତ୍ରୋତ୍ସବ ହେବ କି ନାହିଁ, ତାକୁ ନେଇ ବି ଦ୍ବନ୍ଦ୍ବ ଉପୁଜିଛି।

ତେବେ ପଞ୍ଜିକାର ଓ ଗଣନାକାରୀଙ୍କ ମତାମତ ନିଆଯାଇ ଆସନ୍ତା ୧୨ର ବୈଠକ ପରେ ମହାପ୍ରଭୁଙ୍କ ଅଣସର ନୀତି, ନେତ୍ରୋତ୍ସବ, ପଣା ସଂକ୍ରାନ୍ତି ସହ ଅନ୍ୟାନ୍ୟ ପର୍ବପର୍ବାଣି ପାଳନ ନେଇ ଲୋକଙ୍କୁ ସ୍ପଷ୍ଟ କରାଯିବ। ପୂର୍ବରୁ ୧୯୫୯ ଓ ୧୯୭୧-୭୨ ମସିହାରେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା। ସେ ସମୟରେ ଶ୍ରୀମନ୍ଦିରର ପୂର୍ବ ପଞ୍ଜିକା ଓ ରେକର୍ଡକୁ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ଆଜିର ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତ, ଦୁର୍ଗାପ୍ରସାଦ ଦାସମହାପାତ୍ର, ରାଧାରମଣ ପଞ୍ଜିକାର ମୁଖ୍ୟ ଗଣନାକାରୀ ସଂଜୟ ଶତପଥୀ, କୋହିନୂର ପଞ୍ଜିକାର ମୁଖ୍ୟ ଗଣନାକାରୀ କୃଷ୍ଣପ୍ରସାଦ ମହାପାତ୍ର, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ବୈକୁଣ୍ଠନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।