ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କଂକ୍ରିଟର ସୁଦୀର୍ଘ ପାଚେରି ଠିଆ କରାଯାଉଛି। ମେଘନାଦ ପାଚେରି ଭଳି ଭବିଷ୍ୟତରେ ଏହାକୁ ସୁରକ୍ଷା ପ୍ରାଚୀର ଭାବେ ବ୍ୟବହାର କରାଯିବ ବୋଲି ଆଲୋଚନା ହେଉଛି। କିନ୍ତୁ ଏହି ପାଚେରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁମତି ବର୍ହିଭୂତ ହୋଇଥିବାରୁ ଗବେଷକ, ଭକ୍ତମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। କେଉଁ ଅନୁମତି ବଳରେ ଓ ନିର୍ଦିଷ୍ଟ କି ଉଦ୍ଦେଶ୍ୟ ରଖି ଏହି ପାଚେରି ନିର୍ମାଣ କରାଯାଉଛି ସେ ନେଇ ଶ୍ରଦ୍ଧାଳୁ ଓ ଶ୍ରୀଜଗନ୍ନାଥ ପ୍ରେମୀ ପ୍ରଶ୍ନ କଲେଣି।
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ତିଆରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀରୁ ନୂଆଦିଲ୍ଲୀ ଯାଏ ସବୁଠି ଚର୍ଚ୍ଚା ଆଲୋଚନା ଜାରି ରହିଛି। ନିକଟରେ ଏନ୍ଏମ୍ଏ ନିଷିଦ୍ଧାଞ୍ଚଳ ଭିତରେ କେଉଁ ପ୍ରକଳ୍ପ ନିର୍ମାଣ ହେବ ଓ ନିଷିଦ୍ଧାଞ୍ଚଳ ବାହାରେ କେଉଁ ପ୍ରକଳ୍ପ ନିର୍ମାଣ ହେବ, ତାହା ସ୍ପଷ୍ଟ କରିଛନ୍ତି। ଅନେକ ପ୍ରକଳ୍ପ ପାଇଁ ପୁନଃଆବେଦନ କରିବାକୁ ବି କୁହାଯାଇଛି। ପ୍ରକଳ୍ପ ସମ୍ପର୍କରେ ଯାହା କିଛି ସ୍ପଷ୍ଟ କରାଯାଇଛି ଅବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନ୍ଏମ୍ଏକୁ ଚିଠି ଲେଖି ଅନୁମତି ମଗାଯାଇଛି, ସେଥିରେ ପାଚେରି କଥା ଆଦୌ ଉଲ୍ଲେଖ ନାହିଁ। ଏଣୁ ଏହି ପାଚେରି କେଉଁ ଅନୁମତି ବଳରେ ନିର୍ମାଣ କରାଯାଉଛି ବୋଲି ଗବେଷକ, ଭକ୍ତମାନେ ସନ୍ଦେହ କରୁଛନ୍ତି।
ନିର୍ମାଣ ଶୈଳୀ ଦେଖିଲେ, ପାଚେରିର ମଝିରେ ଏକାଧିକ ପିଲାର(ଖୁଣ୍ଟି) ଠିଆ କରାଯାଉଛି। ଏହି ପିଲାରରେ ୧୬ଟି ଲେଖାଏଁ ରଡ୍ ଦିଆଯାଇଛି। କାନ୍ଥର ଓସାର ପ୍ରାୟ ଦେଢ଼ ଫୁଟ୍ ରହିଛି। ୩ରୁ ୪ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏଁ ଖୁଣ୍ଟି ଉଠିଛି। ପଶ୍ଚିମଦ୍ବାରରେ ପାଚେରି ନିର୍ମାଣ ଅଧାଅଧି ସରିଥିବା ବେଳେ ଉତ୍ତରଦ୍ବାରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ଓବିସିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ କାମ ଚାଲିଛି, ତାହା ଭକ୍ତଙ୍କ ସୁବିଧା ପାଇଁ ଚାଲିଛି। ଗାଡ଼ିମୋଟର ଓ ଭକ୍ତଙ୍କ ଯା’ଆସରେ ଯେଭଳି ବାଧା ସୃଷ୍ଟି ନ ହେବ ଓ କୌଣସି ଅଘଟଣ ନ ଘଟିବ, ସେହି ଦୃଷ୍ଟିରୁ ଏହି ପାଚେରି ତିଆରି ହେଉଛି। ଏହା ୫୫ ମିଟର ପରିଧିରେ ରହିବ। ପାଚେରିର ଉଚ୍ଚତା ମାତ୍ର ଦେଢ଼ ମିଟର ଅର୍ଥାତ୍ ୫ ଫୁଟ ରହିବ। କିନ୍ତୁ ବିଭିନ୍ନ ସାହିରୁ ପ୍ରବେଶ ପାଇଁ ବିଭିନ୍ନ ସ୍ଥାନରେ ଜେବ୍ରା କ୍ରସିଂ ରହିବ। ଏହି ବାଟ ଦେଇ ଯେଉଁମାନେ ଭିତରକୁ ଯିବାକୁ ଚାହିବେ, ଯାଇପାରିବେ ବୋଲି ସେ କହିଛନ୍ତି। ସେହି ଅନୁଯାୟୀ ବିକାଶ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ସୁରକ୍ଷା ଓ ଅନୁପ୍ରବେଶ ଦୃଷ୍ଟିରୁ ଏହି ପାଚେରି ତିଆରି ହେଉଛି। ଯଦ୍ବାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ବିନା ବାଧାରେ ଏହା ଭିତରେ ବିଚରଣ କରିପାରିବେ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।