ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ। ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ବାସର ପ୍ରତିଫଳନ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ। ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ତାଙ୍କ କାମ କରିବା ପାଇଁ ଯେଉଁ ନିଷ୍ଠା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଇଛନ୍ତି ତାହା ଅନନ୍ୟ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବାଧାବିଘ୍ନକୁ ଦୂର କରି ପ୍ରକଳ୍ପର ‌ଲୋକାର୍ପଣ ଉତ୍ସବ ଆୟୋଜନ କରିବାଲାଗି ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଏହି ପ୍ରକଳ୍ପ ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ, ଶ୍ରମିକଙ୍କୁ ଉତ୍ସାହିତ କରିଛି। ପୁରୀବାସୀଙ୍କ ତ୍ୟାଗ, ସେବାୟତଙ୍କ ଆଗ୍ରହ ଏପରି ଏକ ମହତ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଯାଉଛି।

Advertisment

୨୦୨୧ ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ କରିଥିଲେ ଶିଳାନ୍ୟାସ

୨୦୨୧ ନଭେମ୍ବର ୨୪ ତାରିଖ ଥିଲା ଏକ ଐତିହାସିକ ଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜାଙ୍କ ଉପସ୍ଥିତିରେ ବହୁ ପ୍ରତୀକ୍ଷିତ ତଥା ଅଦ୍ବିତୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିପାଇଁ ତିନିଦିନ ଧରି ଚାଲିଥିଲା ମହାଯଜ୍ଞ। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ଜମି ଦେଇଥିବା ୧୮ଟି ମଠର ମହନ୍ତ ଓ ୧୦୮ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ବି ସମ୍ବର୍ଦ୍ଧିତ କରାଯାଇଥିଲା। ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସର ରୁପା ସ୍ମୃତିଫଳକ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଶିରି କପଡ଼ା, ଫୁଲ, ତୁଳସୀ, ନିର୍ମାଲ୍ୟ, ରଥ କାଠ, ରଥ ଦଉଡ଼ି, ଶରଧାବାଲିର ବାଲି ଆଦି ଦେଇ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ ପାଇଁ ଅବଢ଼ା ଯୋଜନାରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୯ ଅକ୍ଟୋବର ୧୯ରେ ଏହା ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଲାଭ କରିଥିଲା। ଏଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉନ୍ନତୀକରଣ ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା।

publive-image

ରୂପରେଖ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ୯ ଭାଗରେ ବିଭକ୍ତ କରାଯାଇ ପୂର୍ଣ୍ଣରୂପ ଦିଆଯାଇଛି। ଏଥିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗ ରହିଛି। ସେହିଭଳି ଭକ୍ତ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବାସିନ୍ଦା ଯା’ଆସ ଭିନ୍ନ ମାର୍ଗ ପ୍ରସ୍ତୁତ କରାଯାଇଛି।
8ମେଘନାଦ ପାଚେରିଠାରୁ ୭ ମିଟର ବଫର୍‌ ଜୋନ୍‌ ହୋଇଛି। ଏହା ମଧ୍ୟରୁ ୨ ମିଟର ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ପାଇଁ ରହିଛି। ଅବଶିଷ୍ଟ ୫ ମିଟର୍‌ରେ ୧ ଫୁଟ ଉଚ୍ଚ ବିଶିଷ୍ଟ ପିଣ୍ଡି ଓ ସବୁଜ ବଳୟ ସୃଷ୍ଟି କରାଯାଇଛି।
ପରବର୍ତ୍ତୀ ୧୦ ମିଟର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ଉଦ୍ଦେଶ୍ୟର ଖୋଲା ରଖାଯାଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏହି ମାର୍ଗ ଦେଇ ଯିବାର ବ୍ୟବସ୍ଥା ହୋଇଛି।
୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡ୍‌ ସ୍କେପ୍‌ ଜୋନ୍‌ ରହିବ। ଏହା ମଧ୍ୟରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ବୃକ୍ଷରାଜି ରୋପଣ କରାଯାଇଛି।
ପରବର୍ତ୍ତୀ ୮ ମିଟର ବାହ୍ୟ ପରିକ୍ରମା ମାର୍ଗ କରାଯାଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ଏହାର ଦୁଇ ପାର୍ଶ୍ବରେ ଗଛ ଲଗାଯାଇଛି।
ଏହା ପରବର୍ତ୍ତୀ ୧୦ ମିଟର ଅଞ୍ଚଳରେ ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର ଆଦି ରହିଛି।
ପରବର୍ତ୍ତୀ ୫ ମିଟରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯାଇଛି।
୪.୫ ମିଟର ମଧ୍ୟରେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାପାଇଁ ବ୍ୟବସ୍ଥା କରାଯାଇଛି।
୭.୫ ମିଟର ମଧ୍ୟରେ ଟ୍ରାଫିକ୍‌ ଲେନ୍‌ ରହିଛି। ଏହା ଯାନବାହନ ପ୍ରସ୍ଥାନ ସହ ପ୍ରକଳ୍ପ ସଂଲଗ୍ନ ସାହିକୁ ସଂଯୋଗ କରିବ।
୭ ମିଟର ମଧ୍ୟରେ ପାର୍ଶ୍ବବର୍ତ୍ତୀ ସାହିବାସିନ୍ଦାଙ୍କ ସୁବିଧା ପାଇଁ ବ୍ୟବହୃତ ହେବ। ଏଥିସହ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଗାଡ଼ି ପାର୍କିଂ, ଆବର୍ଜନା କୁଣ୍ଡ, ଭକ୍ତଙ୍କ ବସିବା ବ୍ୟବସ୍ଥା ରହିବ।

ବହୁ ପ୍ରତୀକ୍ଷିତ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଅଗଣିତ ଓଡ଼ିଆଙ୍କର ପ୍ରାଣର ପ୍ରିୟତମ ହେଉଛନ୍ତି କୋଟିବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କରି ଦର୍ଶନ ସକାଶେ ବିଶ୍ୱର କୋଣଅନୁକୋଣରୁ ବର୍ଷ ତମାମ ଶ୍ରୀମନ୍ଦିରକୁ ଭକ୍ତଙ୍କର ଭିଡ଼ ଲାଗିଥାଏ। ଅଗଣିତ ଭକ୍ତ ଯେମିତି ବିନା ବାଧାବିଘ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୁଲଭ ଦର୍ଶନ ପାଇପାରିବେ ସେହି ମହତ ଲକ୍ଷ୍ୟ ନେଇ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା ଯାହା ଏବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି। ଅନେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଥିରେ ବାଧା ପହଞ୍ଚାଇବାର ଚେଷ୍ଟା କରିଥିବା ସତ୍ତ୍ବେ ମହାପ୍ରଭୁଙ୍କର ଅପାର କରୁଣାରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପ୍ରତିଷ୍ଠା ହେବାକୁ ଯାଉଛି। ଲୀଳାମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ନାଗାର୍ଜୁନ ବେଶ, ନବକଳେବର ଭଳି ସ୍ୱତନ୍ତ୍ର ଉତ୍ସବରେ ଲୋକାରଣ୍ୟ ପାଲଟି ଥାଏ ଶ୍ରୀକ୍ଷେତ୍ର ପୁରୀ। ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ବିଭିନ୍ନ ମାନବୀୟ ଲୀଳାଖେଳା କରନ୍ତି ନୀଳାଦ୍ରୀଶ । ଦୁଃଖର ବିଷୟ ଅନେକ ଥର ଅନିୟନ୍ତ୍ରିତ ଭିଡ଼ ଯୋଗୁ ସୃଷ୍ଟି ହେଉଥିବା ଦଳାଚକଟା ଶ୍ରୀମନ୍ଦିରର ପବିତ୍ର ଭକ୍ତିମୟ ପରିବେଶକୁ କରିଛି ଶୋକାକୁଳ। ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ସୁବ୍ୟବସ୍ଥିତ କରିବା ଏବଂ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଜଷ୍ଟିସ୍‌ ବିମଳପ୍ରସାଦ ଦାସ କମିଶନ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ମୃଣାଳିନୀ ପାଢ଼ୀ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କର ତିନିଜଣିଆ ଖଣ୍ଡପୀଠ ମନ୍ଦିର ସୁରକ୍ଷା ଓ ସଂସ୍କାର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଦେଇଥିଲେ। ସେହି ପରାମର୍ଶକୁ ଆଉ ଦୁଇ ପାଦ ଆଗେଇ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହା ଅଗଷ୍ଟ ମାସ ୧୬ ତାରିଖ ଦିନ ଏକ ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରିଥିଲେ। ସେହି ଐତିହାସିକ ନିଷ୍ପତ୍ତିର ନାମ ଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଯେହେତୁ ସମୟ ଅନୁକ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଅସଂଖ୍ୟ ଭିଡ଼ ବଢ଼ି ଚାଲିଥିଲା, ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହେଉଥିଲା। ତେଣୁ ଭକ୍ତ ଯେଭଳି ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ପାଇପାରିବେ, ତାଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସହ ମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ନିଷ୍ପତ୍ତି ନେଇଥିଲେ। ଯେମିତି ପ୍ରତିଟି ସାମୂହିକ ସ୍ୱାର୍ଥକୁ ସାକାର କରିବା ପାଇଁ ଅନେକ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ହୁଏ, ସେହିକ୍ରମରେ ପୁରୀବାସୀ ଅକୁଣ୍ଠ ଚିତ୍ତରେ ମୁଖ୍ୟମନ୍ତ୍ରୀଙ୍କ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପ ପାଇଁ ସମର୍ଥନ ଜଣାଇଥିଲେ। ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ସ୍ଥାନରେ ଅନେକ ବ୍ୟକ୍ତିଗତ ଓ ବ୍ୟାବସାୟିକ ସମ୍ପତ୍ତି ପୂର୍ବରୁ ଥିଲା। ପରିକ୍ରମା ପ୍ରକଳ୍ପ ନିର୍ମାଣ ହେବା ପାଇଁ ପ୍ରାୟ ୧୩୨ ବାସଗୃହରେ ବସବାସ କରୁଥିବା ୨୮୦ ପରିବାରର ୬୬୩ ଜଣଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା। ସେଇଠି ମଧ୍ୟ ୨୮ଟି ଲଜ୍‌, ୪୪୦ ଦୋକାନଘର ଥିଲା। ଏହି ସମସ୍ତଙ୍କୁ ସରକାର ଥଇଥାନ ପାଇଁ ୪୦୩ କୋଟି ଟଙ୍କା ଖର୍ଚ୍ଚ କରି ଉଚିତ କ୍ଷତିପୂରଣ ପ୍ରଦାନ କରିଥିଲେ।

publive-image

କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ଚାରିପାଖରେ ଥିବା ମଠମାନଙ୍କର ଗାଦିଘର, ପୂଜା ସ୍ଥାନ ଓ ଆସ୍ଥାନକୁ ଅକ୍ଷୁଣ୍ଣ ରଖାଯାଇ କେବଳ ସେମାନଙ୍କ ମାଲିକାନାରେ ଥିବା ବ୍ୟବସାୟିକ ସମ୍ପତ୍ତିକୁ ଅଧିଗ୍ରହଣ କରାଯାଇ ସେମାନଙ୍କୁ ଉଚିତ କ୍ଷତିପୂରଣ ଦିଆଯାଇଥିଲା। ସେମାନଙ୍କ ଆୟର ଉତ୍ସ ଯେପରି ଅବ୍ୟାହତ ରହିବ ସେଥିପାଇଁ ସରକାର ବିଶେଷ କ୍ଷତିପୂରଣ ଦେଇଥିଲେ। ପ୍ରତିଟି ବିସ୍ଥାପିତ ବ୍ୟକ୍ତିର ରହିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା ଓ ବ୍ୟବସାୟୀମାନଙ୍କର ବ୍ୟାବସାୟିକ ଅନୁଷ୍ଠାନ ପୁନଃକାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଥିଲେ। ସେହି ଆୟ ଉପରେ ଲାଗୁ ହେଉଥିବା ଆୟକରକୁ ମଧ୍ୟ ସରକାର ଭରଣା କରୁଥିଲେ। ପ୍ରତିଟି ବିସ୍ଥାପିତ ବ୍ୟକ୍ତିର ସମସ୍ୟାର ସମାଧାନ ପାଇଁ ଏକ ହେଲ୍ପଡେସ୍କ ନିରନ୍ତର କାର୍ଯ୍ୟକ୍ଷମ ଥିଲା। ଏହି ଅଞ୍ଚଳରେ ଥିବା ବଜାରଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟରେ ଜଗନ୍ନାଥଙ୍କ ପ୍ରତି ପୁରୀବାସୀଙ୍କର ଥିବା ଅନାବିଳ ଶ୍ରଦ୍ଧା ଓ ଭକ୍ତି ସମର୍ଥନ ରୂପରେ ପରିକ୍ରମା ପ୍ରକଳ୍ପର ପରିକଳ୍ପନା ଦିନରୁ ହିଁ ରହିଆସିଥିଲା। ତେଣୁ ଏକ ରେକର୍ଡ ସମୟ ମଧ୍ୟରେ ଜମି ଅଧିଗ୍ରହଣ ହୋଇପାରିଥିଲା। ଏହି ସମସ୍ତ ବ୍ୟକ୍ତିଙ୍କ ତ୍ୟାଗ ଓ ଜଗନ୍ନାଥ ଭକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ ଏବଂ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇଥିଲା। ୨୪ ନଭେମ୍ବର ୨୦୨୧ ଦିନ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେହିଦିନ ସମଗ୍ର ବିଶ୍ୱ ଜଗନ୍ନାଥ ଭକ୍ତିରେ ପୁଲକିତ ହୋଇଉଠିଥିଲା। ପ୍ରକଳ୍ପକୁ ବିରୋଧ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅଦାଲତଙ୍କ ଦ୍ୱାରସ୍ଥ ହେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା, ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷଙ୍କ ବିଭିନ୍ନ ବୟାନକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ପ୍ରୟାସକୁ କଡ଼ା ଭାଷାରେ ଭର୍ତ୍ସନା କରିବା ସହ ଏକ ଆର୍ଥିକ ଦଣ୍ଡ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଓ ପ୍ରତିବନ୍ଧକକୁ ଅତିକ୍ରମ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବାକୁ ଯାଉଛି। କୋଟିକୋଟି ଓଡ଼ିଆ ଆସନ୍ତା ୧୭ ତାରିଖର ଲୋକାର୍ପଣ ଉତ୍ସବକୁ ଚାହିଁ ରହିଛନ୍ତି।ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ପ୍ରକଳ୍ପ ଦେବ ଅନନ୍ୟ ଆଧ୍ୟାତ୍ମିକ ଉପଲବ୍ଧି ଓ ଦିବ୍ୟ ଅନୁଭବ। ଓଡ଼ିଆ ଅସ୍ମିତାର ଆଦ୍ୟ ଉତ୍ସ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏପରି ଭକ୍ତି ନୈବେଦ୍ୟ ଏକ ଐତିହାସିକ ଅବସର ପ୍ରଦାନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଓ ମାର୍ଗଦର୍ଶନ ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଏକ ମହତ୍ତ୍ୱପୂର୍ଣ ପ୍ରୟାସ ଫଳବତୀ ହେବାକୁ ଯାଉଛି। ଓଡ଼ିଆଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୁନଃଜାଗରଣ ଦିଗରେ ଏହା ହେବ ଏକ ମାଇଲଖୁଣ୍ଟ।