ପୁରୀ: ଐତିହ୍ୟ ସହର ପୁରୀର ଗୌରବମୟ ଅଧ୍ୟାୟରେ ଯୋଡ଼ି ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ୪ ଧାମ ମଧ୍ୟରୁ ଅନ୍ୟତମ ଶ୍ରୀଜଗନ୍ନାଥ ଧାମରେ ଦୀର୍ଘ ବର୍ଷ ପରେ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ସମଗ୍ର ଦେଶରେ ଏଭଳି ପ୍ରକଳ୍ପ ଅନନ୍ୟ ଓ ଅଭିନ୍ନ। ମହାପ୍ରଭୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ସବୁଜବଳୟର ଉପଲବ୍ଧି ଭରିଦେବ ଏହି ପରିକ୍ରମା ପ୍ରକଳ୍ପ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟୀକରଣ ପାଇଁ ମଧ୍ୟ ଅଭିନବ ପନ୍ଥା ଗ୍ରହଣ କରାଯାଇଛି। ପ୍ରକଳ୍ପରେ କଳିଙ୍ଗ କଳା ଚାତୁରୀର ସ୍ପର୍ଶ ଦେଖିବାକୁ ମିଳିବ। ଦୀର୍ଘ ବର୍ଷ ଧରି ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇସାରିଥିବା ବେଳେ ଗତ ନଭେମ୍ବରରେ ମୂଳଦୁଆ ପଡ଼ି କାମ ଆରମ୍ଭ ହୋଇଛି।

Advertisment

ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଐତିହ୍ୟ କରିଡର୍‌ର ରୂପରେଖ ବିକଶିତ ହେବ। ମେଘନାଦ ପାଚେରିଠାରୁ ୭ ମିଟର ମଧ୍ୟରେ ବଫର୍‌ ଜୋନ୍‌ ରହିବ। ଏହା ମଧ୍ୟରୁ ୨ ମିଟର ଅଞ୍ଚଳ ମେଘନାଦ ପାଚେରିର ରକ୍ଷଣାବେକ୍ଷଣ, ୫ ମିଟର ୧ ଫୁଟ ଉଚ୍ଚ ବିଶିଷ୍ଟ ପିଣ୍ଡି ଓ ସବୁଜବଳୟ ସୃଷ୍ଟି ହେବ। ଏହାର ପରବର୍ତୀ ୧୦ ମିଟରରେ ଭକ୍ତମାନଙ୍କ ପରିକ୍ରମା ଲାଗି ଖୋଲା ରହିବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧ୍ୟ ଏହି ମାର୍ଗ ଦେଇ ଯାତ୍ରା କରିବେ। ସବୁଜ ବଳୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ସହ ଜଡ଼ିତ ବୃକ୍ଷରାଜି ରୋପଣ କରାଯିବ।

ପ୍ରାୟ ୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡସ୍କେପ୍‌ ଜୋନ୍‌ ରହିବ। ପରବର୍ତୀ ୧୦ ମିଟର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସୁବିଧା ଉପଲବ୍ଧ ହେବ। ବିଶ୍ରାମ ନେବା ଲାଗି ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର ଓ ସୂଚନା କେନ୍ଦ୍ର ରହିବ।

publive-image

ପରବର୍ତୀ ୫ ମିଟରରେ କରଡର୍‌ର ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିବ। ପରବର୍ତୀ ୪.୫ ମିଟର ମଧ୍ୟରେ ଜରୁରୀକାଳୀନ ସେବା ଯୋଗାଇ ଦେବାର ବନ୍ଦୋବସ୍ତ କରାଯିବ। ୭.୫ ମିଟର ମଧ୍ୟରେ ଟ୍ରାଫିକ୍‌ ଲେନ୍‌ ରହିବ। ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂଲଗ୍ନ ସାହିକୁ ସଂ‌ଯୋଗ କରାଯିବ। ସମସ୍ତ ଯାନବାହନ ପ୍ରସ୍ଥାନ ନି‌ମନ୍ତେ ବ୍ୟବସ୍ଥା କରାଯିବ। ପରବର୍ତୀ ୭ ମିଟର ମଧ୍ୟରେ ନିକଟସ୍ଥ ସାହି ବାସିନ୍ଦାଙ୍କ ଚଳପ୍ରଚଳ ଲାଗି ରଖାଯିବ।

ଭକ୍ତଙ୍କ ବସିବା ପାଇଁ ସ୍ଥାନ ରଖାଯିବା ସହ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଗାଡ଼ି ପାର୍କିଂ, ଆବର୍ଜନା କୁଣ୍ଡ ଆଦି ରଖାଯିବ। ଦକ୍ଷିଣ-ପୂର୍ବ ପାର୍ଶ୍ବରେ ପ୍ରାୟ ୮୫ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ୮ ହଜାର ଭକ୍ତଙ୍କ ଲାଗି ଅଭ୍ୟର୍ଥନା କେନ୍ଦ୍ର ସ୍ଥାପନ ହେବ। ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଏକ ମଣ୍ଡପ ସହ ସେଠାରେ ୫ଶହ ଜଣ ବସିବାର ବନ୍ଦୋବସ୍ତ ହେବ।

ଭଜନ ମଣ୍ଡପ ପ୍ରତିଷ୍ଠା ହେବ। ଭଜନ ଉପଭୋଗ କରିବା ପାଇଁ ୧୦୦ ଜଣ ଶ୍ରୋତା ତଥା ଦର୍ଶକ ବସିବାର ବ୍ୟବସ୍ଥା ରହିବ। ୫ଟି ବିଶ୍ରାମ ଗୃହ ସହ ୩ଟି ମିନି କ୍ଲକ୍‌ରୁମ୍‌ ରହିବ। ସେବାୟତ ଓ ଭକ୍ତଙ୍କ ପାଇଁ ଭିନ୍ନଭିନ୍ନ ୮ଟି ଶୌଚାଳୟ ରହିବ। ‌ଇତିମଧ୍ୟରେ ଏହି ଐତିହ୍ୟ ପ୍ରକଳ୍ପର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଓ ଗଜପତିଙ୍କ ଦ୍ବାରା ଶିଳାନ୍ୟାସ ସହ ଆରମ୍ଭ ହୋଇଯାଇଥିବା ବେଳେ ୨ ବର୍ଷ ମଧ୍ୟରେ ଭକ୍ତମାନେ ଶ୍ରୀମନ୍ଦିର ନିକଟରେ ଏହି ଉପଲବ୍ଧି ପାଇପାରିବେ।