ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ପାଇଁ ପୁରୀକୁ ଉତ୍ସବ ମୁଖରିତ କରାଯିବ। ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁରୀକୁ ଆସିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଧର୍ମଶାଳାକୁ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେବାକୁ ଯାଉଛି। ଆସନ୍ତା ତିନି ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଗୋଏଙ୍କା ଧର୍ମଶାଳା, ଧଞ୍ଜିମୁଞ୍ଜି ଧର୍ମଶାଳା, ଡୁଡୁୱାଲା ଧର୍ମଶାଳା ଓ ଖେମ୍‌କା ଧର୍ମଶାଳାକୁ ଜିଲ୍ଲା ପ୍ରଶାସନ ପାଇଁ ସଂରକ୍ଷିତ ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ଚିଠି କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରାଯିବା ପାଇଁ ଆୟୋଜିତ ଉତ୍ସବକୁ ସଫଳ ରୂପାୟନ କରାଇବା ନିମନ୍ତେ ବହୁ ଅଫିସର ପୁରୀରେ ଆସି ଡେରା ପକାଇବେ। ସେମାନଙ୍କ ପାଇଁ ଏହି ଧର୍ମଶାଳାର ସମସ୍ତ ରୁମ୍‌କୁ ଆସନ୍ତା ୩ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନକୁ ଦେବାପାଇଁ ଅତିରିକ୍ତ ଜିଲ୍ଲାପାଳ ଚିଠି କରିଛନ୍ତି। ଏଥିପାଇଁ ରୁମ୍‌ ଭଡ଼ା ଦିଆଯିବ ବୋଲି ଗତ ଚିଠି ହୋଇଛି।

Advertisment

ପୁରୀ: ରଥଯାତ୍ରା ସମୟରେ ଯେଉଁଭଳି ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଥିବା କୋଠାର ଛାତ ଉପରେ ବସି ଭକ୍ତମାନେ ପହଣ୍ଡି ଆଦିର ଦର୍ଶନ କରିବାକୁ ସୁଯୋଗ ପାଇଥାନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ମଧ୍ୟ ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଥିବା ସମସ୍ତ ମଠ ଓ ଧର୍ମଶାଳାର ଛାତକୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏଥିପାଇଁ ଡୁଡୁୱାଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ରାଧାବଲ୍ଲଭ ମଠ, ପ୍ରତିହାରୀ ନିଯୋଗର ପଠାଘର ଓ ସିଂହଦ୍ବାର ସୂଚନାକେନ୍ଦ୍ରର ପରିଚାଳକମାନଙ୍କୁ ଏହି ଚିଠି କରିଛନ୍ତି। ଏହି କୋଠାକୁ ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେଇଯିବ ବୋଲି ଚିଠି ହୋଇଛି। ଏହି କୋଠାମାନଙ୍କରେ ଛାମୁଣ୍ଡିଆ ବନ୍ଧାଯାଇ ଏଠାରେ ଭକ୍ତମାନଙ୍କୁ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।