ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜାନୁଆରି ୧୨ ତାରିଖରୁ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟପଟେ ଏହି ଲୋକାର୍ପଣ ଉତ୍ସବ ସହ ରାଜ୍ୟର ପ୍ରତି ଜିଲ୍ଲାର ଗାଁଗଣ୍ଡାର ପ୍ରତି ଘରକୁ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ। ଏଥିପାଇଁ ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳରେ ବୁଲୁଛି ‘ଜୟ ଜଗନ୍ନାଥ ଅର୍ପଣ ରଥ’। ଏହି ରଥ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରି ଶ୍ରୀକ୍ଷେତ୍ର ଆଣିବ। ୧୭ ତାରିଖରେ ପ୍ରତି ଜିଲ୍ଲାରୁ ଆସିଥିବା ବଛା ବଛା ବ୍ୟକ୍ତି ଗୁଆ ଓ ଅରୁଆ ଚାଉଳ ସାଙ୍ଗରେ ନେଇ ଆସିବେ। ପରେ ଜାନୁଆରି ୧୮ ତାରିଖରୁ ପ୍ରତି ନିର୍ବାଚନମଣ୍ଡଳୀର ଲୋକେ ଅକ୍ଷତ ଓ ଗୁଆ ନେଇ ଆସିବେ। ଏହି ଗୁଆ ଓ ଅକ୍ଷତ ସଂଗ୍ରହ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଅଭ୍ୟର୍ଥନା କେନ୍ଦ୍ର ତଥା ଚାଉଳ ଓ ଗୁଆ ସଂଗ୍ରହ କେନ୍ଦ୍ର ଖୋଲାଯାଉଛି। ଜର୍ମାନ୍‌ ହ୍ୟାଙ୍ଗର୍‌ ଶୈଳୀରେ ଏହି ଅସ୍ଥାୟୀ କେନ୍ଦ୍ରର ନିର୍ମାଣ ଚାଲିଛି। ସମଙ୍ଗ ପାର୍କିଂରେ ଗାଡ଼ି ପାର୍କିଂ କରି ବ୍ୟାଟେରି ଚାଳିତ ଗାଡ଼ିରେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂଠାରେ ପହଞ୍ଚିବା ପରେ ଏହି ସଂଗ୍ରହ କେନ୍ଦ୍ରରେ ଅକ୍ଷତ ଓ ଗୁଆ ଦେବେ। ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଯିବେ।