ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି। ଇତିମଧ୍ୟରେ ଓଡ଼ିଶା ବାହାରେ ମୁମ୍ବାଇର ଅନ୍ଧେରୀ ଜଗନ୍ନାଥ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, କୋଲକାତାର କାଳୀଘାଟର କାଳୀ ମନ୍ଦିର, ଖିଦରପୁର ଜଗନ୍ନାଥ ମନ୍ଦିର, ମଦୁରାଇର ଶ୍ରୀ ରାମେଶ୍ୱରମ୍‌ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର ଓ ପଦ୍ମାବତୀ ମନ୍ଦିର, ମଧ୍ୟପ୍ରଦେଶର ଚାମୁଣ୍ଡେଶ୍ୱରୀ ମନ୍ଦିର, ମହୀଶୁର ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମଭୂମିସ୍ଥଳ, ତିରୁପତି ଜଗନ୍ନାଥ ମନ୍ଦିର, ସିରିଡ଼ି ମନ୍ଦିର, ଇନ୍ଦୋରର ଓଁକାରେଶ୍ୱର ମନ୍ଦିରର ମୁଖ୍ୟମାନଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି।

Advertisment

ସେହିପରି ରାଜ୍ୟ ମଧ୍ୟରେ ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର, ଦଧିବାମନଜିଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର ଓ ବରାହ ମନ୍ଦିର, କଟକ ଜିଲ୍ଲା ସାଲେପୁରର ରାମକୃଷ୍ଣପୁର ଦାରୁସ୍ଥଳୀ, ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ମନ୍ଦିର ଓ ବଳଦେବଜୀ ମନ୍ଦିର, କଳାହାଣ୍ଡିର ଭଣ୍ଡାର ଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦାର ଦାରୁକ୍ଷେତ୍ର, ସାକ୍ଷୀଗୋପାଳସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା’ ସମଲେଶ୍ବରୀ ମନ୍ଦିର, ରେଢ଼ାଖୋଲ ଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜିଉ ମନ୍ଦିର, ବୌଦ୍ଧର ଚନ୍ଦ୍ରଚୁଡ଼ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର, ଆଠଗଡ଼ ଶରଣ କ୍ଷେତ୍ର, ଖଲ୍ଲିକୋଟ ଚକ୍ର ତୀର୍ଥ, ଅନୁଗୁଳର ଜଗନ୍ନାଥ ମନ୍ଦିର ଓ ମା’ ହିଙ୍ଗୁଳା ମନ୍ଦିର, ଜଗତସିଂହପୁର ଅଡଙ୍ଗଗଡ଼ ଦାରୁକ୍ଷେତ୍ର, ଖଡ଼ିପଡ଼ିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା’ ତାରାତାରିଣୀ ମନ୍ଦିର, ନବରଙ୍ଗପୁରର ମା’ ଭଣ୍ଡାର ଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣୀ ମନ୍ଦିରରେ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି। ସମସ୍ତ ସ୍ଥାନରେ ନିମନ୍ତ୍ରଣ ପ୍ରଦାନ କରିବାକୁ ଯାଇଥିବା ଟିମ୍‌କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା।

ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ: ନୂଆବର୍ଷରେ ଭକ୍ତଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଆଜି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶିଷ ସିଂହ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ନୂଆ ଦର୍ଶନ ବ୍ୟବସ୍ଥା ଅନୁଯାୟୀ, ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତଙ୍କୁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ନବନିର୍ମିତ ସେଡ୍‌ରେ ଦର୍ଶନ ପାଇଁ ଛଡ଼ାଯିବ। ଅପରପକ୍ଷେ ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ଦେଇ ଆସୁଥିବା ଭକ୍ତ ଶୀତତାପ ନିୟନ୍ତ୍ରିତ ସେଡ୍‌ ଦେଇ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ। ଦୁଇପାର୍ଶ୍ବରୁ ଭକ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବା ପରେ ସାନଛତା ମଠ ଦେଇ ମେଘନାଦ ପାଚେରି କଡ଼େ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିବାକୁ ଯୋଜନା କରାଯାଉଛି। ତେବେ ଶ୍ରୀଦାଣ୍ଡ କାମ ସଂପୂର୍ଣ୍ଣ ହୋଇ ନ ଥିବାରୁ ଏହି ପାର୍ଶ୍ବରୁ ଭକ୍ତଙ୍କୁ ଛାଡ଼ିବା ବିଳମ୍ବ ହୋଇପାରେ। କିନ୍ତୁ ବଡ଼ଦାଣ୍ଡ ଶୀତତାପ ନିୟନ୍ତ୍ରିତ ସେଡ୍‌କୁ ନୂଆବର୍ଷରେ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ସିଂହ କହିଛନ୍ତି, ପର୍ବପର୍ବାଣୀ ଓ ଅନ୍ୟ ଭିଡ଼ ଦିନକୁ ଛାଡ଼ିଦେଲେ, ଅନ୍ୟ ସାଧାରଣ ଦିନରେ ସ୍ଥାନୀୟ ଭକ୍ତଙ୍କ ପାଇଁ ପଶ୍ଚିମ ଓ ଉତ୍ତରଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ। କିନ୍ତୁ ଭିଡ଼ ଦିନରେ ବାହାର ଭକ୍ତଙ୍କ ସହ ସେଡ୍‌ ଦେଇ ସ୍ଥାନୀୟ ଭକ୍ତ ଦର୍ଶନ ପାଇଁ ଯିବେ।