କୃତ୍ରିମ ହ୍ରଦର ମଜା ନେବେ ପର୍ଯ୍ୟଟକ
ସହରରେ ମିଳିବ ହ୍ରଦର ଅନୁଭୂତି। କୃତ୍ରିମ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ ସହ ବୋଟିଂର ମଜା ନେ‌ବେ ପର୍ଯ୍ୟଟକ। ଶ୍ରୀକ୍ଷେତ୍ରର ପର୍ଯ୍ୟଟନ ସମ୍ଭାରରେ ଯୋଡ଼ି ହେବ ଆଉ ଏକ ଅଧ୍ୟାୟ। ମୂଷା ନଦୀର ପୁନରୁଦ୍ଧାର ସହ ପୁରୀ ହ୍ରଦ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଅଠରନଳାରୁ ଖଣ୍ଡିଆବନ୍ଧକୁ ଯାଇଥିବା ରାସ୍ତାର ବାମ ପାର୍ଶ୍ବରେ ପ୍ରାୟ ୨୪ ଏକର ଜାଗାରେ ଏହି କୃତ୍ରିମ ହ୍ରଦର କାମ ଆରମ୍ଭ ହୋଇଛି। ମୂଷା ନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୨ ସଂପ୍ରସାରଣ କାମ ସହ ଏହି ପୁରୀ ହ୍ରଦ ପ୍ରକଳ୍ପ ପାଇଁ ୮୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏବେ ହ୍ରଦ ପାଇଁ ସ୍ଥିରୀକୃତ ୨୪ ଏକର ଜାଗା ପୂର୍ବରୁ ମତ୍ସ୍ୟ ବିଭାଗର ଯାଆଁଳ ଉତ୍ପାଦନ କେନ୍ଦ୍ର ଥିଲା। ବହୁ ବର୍ଷ ହେଲା ଏହା ବ୍ୟବହାର ହେଉନଥିବାରୁ ପରିତ୍ୟକ୍ତ ହୋଇ ପଡ଼ିରହିଥିଲା। ତେଣୁ ଅବଢ଼ା ଯୋଜନାରେ ଏହି ସ୍ଥାନରେ ‘ହ୍ରଦ ପ୍ରକଳ୍ପ’ ପରିକଳ୍ପନା କରାଯାଇଥିଲା। ମୂଷା ନଦୀ ପୁନରୁଦ୍ଧାର ଯୋଜନା ମଧ୍ୟରେ ଏହାକୁ ସାମିଲ କରାଯାଇଛି। ଏହି ସ୍ଥାନରେ ଥିବା ଛୋଟଛୋଟ ପୁଷ୍କରିଣୀଗୁଡ଼ିକୁ ପୁନରୁଦ୍ଧାର କରାଯାଉଛି। ସମସ୍ତ ଛୋଟଛୋଟ ପୁଷ୍କରିଣୀକୁ ମିଶାଇ ଏକ ହ୍ରଦର ରୂପ ଦିଆଯିବ। ହ୍ରଦ ମଧ୍ୟରେ ବୋଟିଂରୁ ସୁବିଧା ପାଇବେ ପର୍ଯ୍ୟଟକ। ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରାଯିବ। ୱାକିଂ ଟ୍ରାକ୍‌, ସାଇକେଲ୍‌ ଟ୍ରାକ୍‌ ସହ ଘାସ ଗାଲିଚା ଓ ଉଦ୍ୟାନ ଆଚ୍ଛାଦିତ ହେବ ଏହି ହ୍ରଦ। ପୁରୀରେ ବହୁ ପ୍ରାଚୀନ ଜଳାଶୟ ଆଧୁନିକତାର ‌ସ୍ରୋତରେ ପୋତି ହୋଇଯାଇଥିବା ବେଳେ ଜଳଉତ୍ସର ସୁରକ୍ଷା ଓ ଭୂତଳ ଜଳ ରିଚାର୍ଜରେ ମଧ୍ୟ ଏହା ସହାୟକ ହେବ ବୋଲି କୁହାଯାଇଛି।

Advertisment

publive-image

ଚିତ୍ର ଓ ପରଦାରେ ମହାପ୍ରଭୁଙ୍କ କାହାଣୀ, ଭକ୍ତ ଦେଖିବେ ପରିକ୍ରମା ପ୍ରକଳ୍ପର ପ୍ରତିକୃତି

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବର ନୂଆ ରୂପ ସଂଦର୍ଶନ କରିବେ ଭକ୍ତ। ପରିକ୍ରମା ମାର୍ଗର ସମ୍ପୂର୍ଣ୍ଣ ରୂପରେଖ ମଡେଲକୁ ପାଖରୁ ଦେଖିବେ ଶ୍ରଦ୍ଧାଳୁ। ଜଗନ୍ନାଥବଲ୍ଲଭ ପରିସରରେ ପ୍ରଦକ୍ଷିଣ ମାର୍ଗର ସଂକ୍ଷିପ୍ତ ପ୍ରତିରୂପ ପ୍ରଦର୍ଶିତ ହେବ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଆସୁଥିବା ତୀର୍ଥଯାତ୍ରୀମାନେ ଯେପରି ପରିକ୍ରମା ମାର୍ଗର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ଉପଲବ୍ଧି କରିବେ ସେନେଇ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି। ପ୍ରାୟ ୧୫ ଫୁଟ ବ୍ୟାସାର୍ଦ୍ଧର ଏକ ମଣ୍ଡପରେ ପ୍ରକଳ୍ପର ମିନି ମଡେଲ ପ୍ରସ୍ତୁତ କରାଯାଉଛି। ମୁମ୍ବାଇରୁ ଆସିଥିବା ଶିଳ୍ପୀମାନେ କାର୍ଡବୋର୍ଡରେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗର କୋଣ ଅନୁକୋଣରେ ଉପଲବ୍ଧ ଥିବା ବ୍ୟବସ୍ଥାକୁ ଏହି ମଡେଲରୁ ଉପଲବ୍ଧି କରିପାରିବେ। ସବୁଜ ବଳୟରେ ପ୍ରଦକ୍ଷିଣ ମାର୍ଗ ନୀଳ ଶାଢ଼ି ପରିଧାନ କରିଥିବାର ଦୃଶ୍ୟ ହେଉ ଅବା ରଙ୍ଗବେରଙ୍ଗ ଫୁଲ କୁଣ୍ଡରେ ମଥାରେ ଫୁଲ ଖୋସିଥିବା ଭଳି ହୃଦୟଗ୍ରାହୀ ଦୃଶ୍ୟ ପ୍ରତିକୃତିରେ ପ୍ରତିଫଳିତ ହେବ। ସେହିଭଳି ଖଣ୍ଡୋଲାଇଟ୍‌ ପଥରରେ ସୁସଜ୍ଜିତ ପରିକ୍ରମା ମାର୍ଗ ହେଉ ଅବା ନୂଆ ରୂପ ନେଇଥିବା ମଠ ମନ୍ଦିରର ଅପରୂପ ବିଭବ ମଧ୍ୟ ଦେଖିବାକୁ ମିଳିବ। ବିଶ୍ରାମ କକ୍ଷଠାରୁ ନେଇ ଭଜନ ଓ ସମ୍ମିଳନୀ ଆୟୋଜନ ପାଇଁ ନିର୍ମିତ ହୋଇଥିବା କ୍ଷୁଦ୍ର ଅଡିଟୋରିୟମ୍‌, ଶ୍ରୀମନ୍ଦିରର ଚତୁଃପାର୍ଶ୍ବରେ ବିଭିନ୍ନ ବ୍ୟବସ୍ଥାବଳୀ ଓ ପ୍ରକଳ୍ପର ସୌନ୍ଦର୍ଯ୍ୟକୁ କ୍ଷୁଦ୍ର ମଡେଲରେ ଦେଖିପାରିବେ ଭକ୍ତ। ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ବଲ୍ଲଭ ପରିସର ପ୍ରଦର୍ଶନୀ କକ୍ଷରେ ଏହି ପ୍ରତିକୃତି ଦେଖିବେ ଭକ୍ତ।

ସମ୍ମିଳନୀ କକ୍ଷରେ ପ୍ରତିକୃତି ସହ ବୃହତ୍‌ ଏଲ୍‌ଇଡି ପରଦାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣର ଯାତ୍ରା, ଭକ୍ତଶୂନ୍ୟ ରଥଯାତ୍ରାର ଇତିବୃତ୍ତ, ମହାପ୍ରଭୁଙ୍କ ସହ ସଂଶ୍ଳିଷ୍ଟ କଥାବସ୍ତୁ ପ୍ରଦର୍ଶିତ ହେବ। ଏଲ୍‌ଇଡି ସୋ ପାଇଁ ପ୍ରସ୍ତୁତି ଚଳାଇଥିବା ଏଜେନ୍ସିର ଗୌରବ ଗିରିଙ୍କ କହିବା ମୁତାବକ, ୬୦ ଫୁଟ୍‌ ଲମ୍ବ ଓ ୧୨ ଫୁଟ୍‌ ଓସାରର ପରଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥାବସ୍ତୁର ଭିଡିଓ ପ୍ରଦର୍ଶିତ ହେବ। ବୃତ୍ତାକାରରେ ଏହି ସ୍କ୍ରିନିଂ ଦେଖିବାକୁ ମିଳିବ। ଏହି ପ୍ରଦର୍ଶନୀ ମଧ୍ୟ ୧୭ରୁ ଆରମ୍ଭ ହୋଇ ୬ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗିରି କହିଛନ୍ତି। ମହାପ୍ରଭୁଙ୍କ ଏହି ଐତିହାସିକ ପ୍ରକଳ୍ପର ଲୋକାର୍ପଣକୁ ଅବିସ୍ମୃତ ରଖିବା ପାଇଁ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପରାମର୍ଶରେ ଭକ୍ତଙ୍କୁ ନୂଆ ଅନୁଭୂତି ଭେଟି ଦେବା ପାଇଁ ହୋଇଥିବା ଏଭଳି ନିଆରା ପରିକଳ୍ପନା କରାଯାଇଛି। ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମ୍ବଳିତ ଚିତ୍ର ପ୍ରଦର୍ଶନ କରାଯିବ। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଭକ୍ତିବିଭୋର ବଡ଼ଦାଣ୍ଡରେ ସଂକୀର୍ତ୍ତନରେ ଝୁମୁଥିବାର ଦୃଶ୍ୟ, ବଡ଼ଦାଣ୍ଡରେ ରଥ ଗଡ଼ୁଥିବାର ଦୃଶ୍ୟ, ପରିକ୍ରମା ପ୍ରକଳ୍ପ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶିତ ହେବ। ଭକ୍ତମାନେ ଗୋଟିଏ ସମ୍ମିଳନୀ କକ୍ଷରେ ପରିକ୍ରମା ପ୍ରକଳ୍ପର ପ୍ରତିକୃତି, ପରଦାରେ କଥାଚିତ୍ର ପ୍ରଦର୍ଶନ ଏବଂ ଚିତ୍ର ପ୍ରଦର୍ଶନ ଦେଖିବାକୁ ପାଇବେ। ଏହାଠାରୁ ଅଳ୍ପ ଦୂରରେ ବେଣ୍ଟ ପୋଖରୀରେ ଚତୁର୍ଦ୍ଧା ବିଗ୍ରହଙ୍କ ପଚିଶି ବେଶ, ଶଙ୍ଖରେ ଶଙ୍ଖକ୍ଷେତ୍ର ଓ ତିନି ରଥର ଅବିକଳ କ୍ଷୁଦ୍ର ପ୍ରତିକୃତି ଶୋଭା ପାଇବ। ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ସହ ସମଗ୍ର ଶ୍ରୀକ୍ଷେତ୍ରରୁ ଯେପରି ଭକ୍ତ ନିଆରା ଅନୁଭୂତି ନେଇ ଫେରିବେ ସେନେଇ ସରକାରଙ୍କ ପକ୍ଷରୁ କାନ୍ଥବାଡ଼ଠୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି। ପ୍ରକଳ୍ପ ଲୋକାର୍ପଣ ସରିଲା ପରେ ମଧ୍ୟ ଭକ୍ତ କଳାକୃତିରେ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ତଲ୍ଲୀନ ହେବାର ସୁଯୋଗ ପାଇବେ।

publive-image

ଶିଷ୍ୟଙ୍କ ଗହଣରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି

ପୁରୀ: ବଡ଼ଦାଣ୍ଡର ଚାପ କମାଇବା ପାଇଁ ପ୍ରସ୍ତୁତ ହୋଇଛି ଶ୍ରୀଦାଣ୍ଡ। ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଶ୍ରଦ୍ଧାଳୁମାନେ ଅଳ୍ପ ସମୟ ମଧ୍ୟରେ ଦୋଳବେଦି କୋଣରେ ଯାଇ ପହଞ୍ଚିବେ। ଏଥିପାଇଁ ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଛି। ତେବେ ଭକ୍ତମାନେ ଶ୍ରୀଦାଣ୍ଡରେ ଗଲାବେଳେ ସନାତନ ସଂସ୍କୃତିକୁ ଉପଲବ୍ଧି କରିବେ। ଏଥିପାଇଁ ଶ୍ରୀଦାଣ୍ଡ ପାର୍ଶ୍ବରେ ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପଥର ପ୍ରତିମୂର୍ତ୍ତି ରଖାଯାଇଛି। ଶିଷ୍ୟଙ୍କ ଗହଣରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ଏକ ଧାର୍ମିକ ବାତାବରଣ ସୃଷ୍ଟି କରୁଛି। ଆଦି ଶଙ୍କରାଚାର୍ଯ୍ୟ ଧର୍ମଚର୍ଯ୍ୟା କରୁଥିବା ମୁଦ୍ରାରେ ଏହି ପ୍ରତିକୃତି ଶ୍ରୀଦାଣ୍ଡରେ ସ୍ଥାନିତ କରାଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ପାର୍କିଂ କରି ଶ୍ରୀମନ୍ଦିର ଅଭିମୁଖେ ଯିବାବେଳେ ଭକ୍ତମାନେ ଏହି ପ୍ରତିମୂର୍ତ୍ତି ଦେଖି ସନାତନ ସଂସ୍କୃତିର ଅନୁଭବ କରିବେ। ପ୍ରାୟ ୫ ଫୁଟ ଉଚ୍ଚତା ବିଶିଷ୍ଟ ୫ଟି ମୂର୍ତ୍ତି ଏଠାରେ ସ୍ଥାନିତ ହୋଇଛି।

ଫନି ବିଗାଡ଼ିଲା ମୁଖ୍ୟମନ୍ତ୍ରୀ ସଜାଡ଼ିଲେ, ପ୍ରକଳ୍ପ ପାଇଁ ୧୦୨ ଥର ବୈଠକ

ପୁରୀ: ୨୦୧୯ ମେ ୩ ତାରିଖ। ପୁରୀରେ ତାଣ୍ଡବ ରଚିଥିଲା ‘ଫନି’ ବାତ୍ୟା। ଉଜାଡ଼ିଦେଲା ଶ୍ରୀକ୍ଷେତ୍ର। ଧନଜୀବନ ନଷ୍ଟ ହେଲା। ଦୁଃଖ, ଦୁର୍ଦ୍ଦଶା, ନିରାଶାର କଳା ଅନ୍ଧାର ଭିତରେ ଗୁମୁରି କାନ୍ଦୁଥିବା ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼ାଇଥିଲେ ଭରସାର ହାତ। ପୁରୀ ଗସ୍ତ କରି ସୁବିଧା ଅସୁବିଧା ବୁଝିଲେ, ସହାୟତା ଯୋଗାଇଲେ। ଭୁବନେଶ୍ବରରୁ ପୁରୀ ଯାଉଥିବା ବେଳେ ମହାପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି ମୁଖ୍ୟମନ୍ତ୍ରୀ। ବାଟରେ ଲାଗିଥିବା ହୋର୍ଡିଂରେ ମହାପ୍ରଭୁଙ୍କୁ ଦେଖି ହାତଯୋଡ଼ି ପ୍ରଣାମ କରୁଥା’ନ୍ତି। ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ଶହଶହ ବର୍ଷ ଧରି ସହର ଓ ଦୋକାନ ବଜାର ମନ୍ଦିର ଆଡ଼କୁ ମାଡ଼ି ଆସି ମନ୍ଦିରରେ ବାଧା ସୃଷ୍ଟି କରୁଥିଲା। ତୀର୍ଥ ଯାତ୍ରୀଙ୍କ ପାଇଁ ସମସ୍ୟା ଉପୁଜୁଥିଲା। ହିନ୍ଦୁ ଧର୍ମରେ ମନ୍ଦିର ପରିକ୍ରମାର ଏକ ଗୁରୁତ୍ବପୂର୍ଣ୍ଣ ମହତ୍ବ ରହିଛି। କିନ୍ତୁ ସେ ସମୟରେ ମନ୍ଦିର ଚାରିପାଖର ପରିବେଶ ଦେଖି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞା ହେଲା। ସେଇଠୁ ଆରମ୍ଭ ହେଲା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ପରିକଳ୍ପନା। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଏହି ପ୍ରକଳ୍ପକୁ ସାକାର ରୂପ ଦେବାକୁ ସାରଥି ସାଜିଲେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟକୁ କେମିତି ଗୁରୁତ୍ବ ଦେବା କଥା, କେତେ ନିଷ୍ଠା ରହିବା କଥା, କେତେ ସମର୍ପଣ ଭାବ ରହିବା କଥା, ତାହା ଶ୍ରୀ ପାଣ୍ଡିଆନଙ୍କ ନିକଟରେ ଦେଖିବାକୁ ମିଳିଥିଲା। ପ୍ରକଳ୍ପର ମାଷ୍ଟର୍‌ପ୍ଲାନ୍ ଆରମ୍ଭ ହେବା ପୂର୍ବରୁ ୫୧ଥର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନ୍ ବୈଠକ ଡାକି ଆଲୋଚନା କରିଥିଲେ। ଏଥିସହ ସାଂସ୍କୃତିକ ପରାମର୍ଶଦାତାଙ୍କ ସହ ୮ଥର, ବୈଷୟିକ ପରାମର୍ଶଦାତାଙ୍କ ସହ ୬ଥର, ବିଭିନ୍ନ ବିଭାଗ ସହ ୨୨ଥର, ଡିଜାଇନ୍ କମିଟି ସହ ୧୫ଥର ବୈଠକ ପରେ ପ୍ରକଳ୍ପର ରୂପରେଖ ସ୍ଥିର ହୋଇଥିଲା। ମୋଟ୍‌ ୧୦୨ ଥର ବୈଠକ ହୋଇଥିଲା।

publive-image

ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ମନ୍ଦିର ଚାରିପାଖର ସରକାରୀ ଓ ବେସରକାରୀ ପ୍ରାୟ ୧୫ ଏକର ଜମିକୁ ଖାଲି କରାଯାଇଥିଲା। ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ କରାଗଲା। ନାନା ପ୍ରତିବନ୍ଧକ ଆସିଲା କିନ୍ତୁ ହାର୍ ନମାନି ଆଗକୁ ବଢ଼ିଥିଲେ ମୁଖ୍ୟମନ୍ତ୍ରୀ। ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନର ପ୍ରକଳ୍ପକୁ ବାସ୍ତବରୂପ ଦେବାକୁ ପ୍ରଥମ ଦିନରୁ ଲାଗି ପଡ଼ିଥିଲେ ଶ୍ରୀ ପାଣ୍ଡିଆନ। ଦିନରାତି ଏକ କରି ଦେଇଥିଲେ। ୨୦୧୯ ମସିହାରୁ ପ୍ରତି ସପ୍ତାହରେ ଅତି କମ୍‌ରେ ଦୁଇରୁ ତିନିଥର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ଗରୁତ୍ବପୂର୍ଣ୍ଣ କଥା ହେଲା, ସେ ଭୋର୍ ୪ଟାରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚୁଥିଲେ। ପୁରୀ ଜିଲ୍ଲାପାଳ, ଏସ୍‌ପି, ଓବିସିସି ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରୁଥିଲେ। ଗତ ୪ ବର୍ଷରେ ସେ ୫ଶହରୁ ଅଧିକଥର ଭୋର୍ ୪ଟାରୁ ଯାଇ ସମୀକ୍ଷା କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ନିଷ୍ଠା, ସମର୍ପଣଭାବ ଓ କାର୍ଯ୍ୟଶୈଳୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, କର୍ମଚାରୀ ତଥା ଯୁବବର୍ଗଙ୍କୁ ବଡ଼ ପ୍ରେରଣା ଦେଇଛି। ଏମିତିକି ତାଙ୍କୁ ସାରା ଭାରତବର୍ଷରେ ‘ଫୋର୍ ଏଏମ୍ ଅଫିସର୍‌’ ଭାବେ ନାମିତ କରାଯାଇଛି। ପ୍ରକଳ୍ପ ପାଇଁ ଏତେ ତ୍ୟାଗ, ସମର୍ପଣ ଭାବ ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଏବେ ବିନା ଦ୍ବିଧାରେ ଅନ୍ତଃ ପରିକ୍ରମା ଓ ବାହ୍ୟ ପରିକ୍ରମା କରିପାରିବେ। ଏହି ପରିକ୍ରମା ପ୍ରକଳ୍ପ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ମନ୍ଦିରର ନିରାପତ୍ତାକୁ ସୁନିଶ୍ଚିତ କରିବାରେ ମଧ୍ୟ ସହାୟକ ହେବ। ଆସନ୍ତା ପୌଷ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଜାନୁଆରି ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ।

ଶ୍ରୀମନ୍ଦିରରେ ତିନି ସଂସ୍କାର
ପୁରୀ: ‘ଯିଏ ମୋ ସମ୍ମୁଖରେ ତାମ୍ବୁଳ ସେବନ କରେ, ସେ ମୂର୍ଖ। ଯିଏ ମନ୍ଦିରରେ ଛେପ ପକାଏ, ସେ ମୋର ଅପରାଧୀ’। ବରାହ ପୁରାଣର ଏହି ଉକ୍ତିକୁ ସାକାର ରୂପ ଦେବା ପାଇଁ ଶ୍ରୀମନ୍ଦିରରେ ତାମ୍ବୁଳ ତଥା ପାନ ଓ ଗୁଟଖା ସେବନ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ୩ଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ବରାହ ପୁରାଣର ଉକ୍ତିକୁ ମନ୍ଦିରର କୋଣ ଅନୁକୋଣରେ ଦର୍ଶାଯାଇ ପାନ ଓ ଗୁଟଖା ଖାଇ ଛେପ ପକାଇବାନେଇ ବାରଣ କରାଯାଇଛି। ପାନ ଓ ଗୁଟଖା ସେବନ କରିବା ନେଇ ପ୍ରବେଶ ପୂର୍ବରୁ ଚେକିଂ କରାଯାଉଛି। କେହି ଯଦି ଧୂମପାନ ସମ୍ବନ୍ଧୀୟ କିଛି ବି ଜିନିଷ ନେଇ ଆସୁଛି, ତାହା ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ରୋକାଯାଉଛି। ବହୁ ସେବକମାନେ ମଧ୍ୟ ଏହି ନିୟମ ପାଳନ ନେଇ ସଚେତନ ହେଉଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏ ସଂକ୍ରାନ୍ତରେ ଗୁରୁତ୍ବପୂର୍ବକ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ପୋଷାକରେ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରି ପହିଲାରୁ ଏହା ଉପରେ ଦୃଷ୍ଟି ଦିଆଯାଇଛି। ବିଶେଷତଃ କେହି ଯେପରି ଚିରାଫଟା ଜିନ୍ସ, ହାପ୍‌ ପ୍ୟାଣ୍ଟ, ଦେହ ଦିଶିବା ଭଳି ପୋଷାକ ପରିଧାନ ନ କରି, ପାରମ୍ପରିକ ପୋଷାକ ପରିଧାନ କରି ଦର୍ଶନ କରିବାକୁ ଆସିବେ ସେନେଇ ଭକ୍ତମାନଙ୍କୁ ସଚେତନ କରାଯାଇଥିଲା। ଶ୍ରୀମନ୍ଦିରରେ ଧାର୍ମିକ ବାତାବରଣକୁ ଅକ୍ଷୁଣ୍ଣ ରଖିବା ପାଇଁ ପୋଷାକ ପରିଧାନରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବାରୋପ କରିଥିଲା। ଶ୍ରୀମନ୍ଦିର ନୀତି ସବ୍‌ କମିଟିର ସହମତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଛତିଶା ନିଯୋଗକୁ ଚିଠି ଲେଖି ଏ ଦିଗରେ ସହଯୋଗ ଲୋଡ଼ିଥିଲେ। ହୋଟେଲ ସଂଘକୁ ଚିଠି କରି ଭକ୍ତଙ୍କୁ ଏ ନେଇ ସଚେତନ କରିବାକୁ କୁହାଯାଇଥିଲା। ଏହି ବ୍ୟବସ୍ଥାକୁ ପହିଲାରୁ ଆରମ୍ଭ କରାଯାଇଛି।

ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ମୁକ୍ତ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଭକ୍ତ ମାଟି କୁଡ଼ୁଆ ଓ ତାଳପତ୍ର ଭୋଗେଇ ସହାୟତାରେ ଭୋଗ ଆଣୁଥିଲେ ହେଁ ପଲିଥିନ୍‌ର ବ୍ୟବହାର ଧୀରେଧୀରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲା। ତେଣୁ ଶ୍ରୀମନ୍ଦିର ଭଳି ପ୍ରମୁଖ ଆଧ୍ୟାତ୍ମିକ ଦେବାଳୟକୁ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ ନେଇଯିବା ଉପରେ ପ୍ରତିବନ୍ଧକ ଲଗାଯାଇ ପାରମ୍ପରିକ ପଦ୍ଧତି ଆପଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରକୁ ଭୋଗ ଆଣୁଥିବା ଭକ୍ତ ପଲିଥିନ ବଦଳରେ ବର୍ତ୍ତମାନ ବାଉଁଶ ଚାଙ୍ଗୁଡ଼ି କିମ୍ବା କାଗଜ ଠୁଙ୍ଗା ବ୍ୟବହାର କରୁଛନ୍ତି। ସେବାୟତ ଓ ଶ୍ରୀମନ୍ଦିର ମଧ୍ୟରେ ଭୋଗ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ କୁହାଯାଇଛି। ଏଭଳି ସଂସ୍କାରମୂଳକ ପଦକ୍ଷେପକୁ ଦେଶ ବାହାରେ ମଧ୍ୟ ପ୍ରଶଂସା କରାଯାଇଛି।

ପ୍ରଦର୍ଶିତ ହେବ କୁଡ଼ୁଆ, ମହାପ୍ରଭୁଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀ
ଜଗନ୍ନାଥବଲ୍ଲଭରେ ଚତୁର୍ଦ୍ଧା ବିଗ୍ରହଙ୍କ ୨୫ବେଶ ଓ ତିନିରଥ ସହ ରୋଷଶାଳାରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହାଣ୍ଡି, କୁଡ଼ୁଆର ଫଟୋଚିତ୍ର ଓ ତଥ୍ୟାବଳୀ ପ୍ରଦର୍ଶିତ କରାଯିବ। ମହାପ୍ରଭୁଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ (ଯାହା ଏବେ ବ୍ୟବହାର କରାଯାଉ ନାହିଁ) ମଧ୍ୟ ପ୍ରଦର୍ଶିତ ହେବ। ଏତଦ୍‌ବ୍ୟତୀତ ଭକ୍ତ ବଳରାମ ଦାଶ, ଶ୍ରୀଜୟଦେବ, ଶ୍ରୀଚୈତନ୍ୟ, ବନ୍ଧୁ ମହାନ୍ତି, ଦାସିଆ ବାଉରୀଙ୍କ କାହାଣୀ ସହିତ ୨୦୨୦ ଐତିହାସିକ ଭକ୍ତଶୂନ୍ୟ ରଥଯାତ୍ରାର ଫଟୋଚିତ୍ର ବିବରଣୀ ମଧ୍ୟ ପ୍ରଦର୍ଶନ କରାଯିବ।

publive-image

ନୌବିହାର ହେବ ବିନୋଦନର ପ୍ରାଣକେନ୍ଦ୍ର

ପୁରୀ: ନୂଆ ଜୀବନ ପାଇବ ଐତିହ୍ୟସଂପନ୍ନ ମୂଷା ନଈ। ମୂଷା ନଈର ସୌନ୍ଦର୍ଯ୍ୟୀକରଣ ସହ ପୂର୍ଣ୍ଣ ବିକାଶ କରାଯାଉଛି। ଆରମ୍ଭରୁ ଶେଷ ଯାଏଁ ଖନନ କରି ସଂପୂର୍ଣ୍ଣ ମୂଷା ନଈର ମାର୍ଗ ଉନ୍ମୁକ୍ତ କରାଯାଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ମୂଷା ନଈର ଜଳରାଶିରେ ନୌବିହାର ସାଙ୍ଗକୁ ନଈ କୂଳେ କୂଳେ ପାର୍କିଂ, ମର୍ଣ୍ଣିଂ ୱାକ୍‌ ପାଇଁ ବିସ୍ତୃତ ଜାଗା ବି ବାହାର କରାଯାଉଛି। ବ୍ୟାପକ ଜାଗାରେ ଲ୍ୟାଣ୍ଡ୍‌ସ୍କେପିଂ କରାଯିବ। ଯାହା ପର୍ଯ୍ୟଟକଙ୍କ ସହ ସହରାଞ୍ଚଳବାସୀଙ୍କ ଅବସର ବିନୋଦର ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଏଥିପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ପ୍ରାୟ ୧୦୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୂଷା ନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୧ ଓ ମୂଷା ନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୨, ଏଭଳି ଦୁଇଟି ପର୍ଯ୍ୟାୟରେ ମୂଷା ନଈର ବିକାଶ କରାଯାଉଛି। ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଜରିଆରେ ମଙ୍ଗଳା ନଈରୁ ଅଠରନଳା ବ୍ରିଜ୍‌ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ ଜରିଆରେ ଅଠରନଳା ବ୍ରିଜ୍‌ଠାରୁ କାଞ୍ଚି ନଈ ପର୍ଯ୍ୟନ୍ତ ବିକାଶ କାର୍ଯ୍ୟ କରାଯାଉଛି। ପର୍ଯ୍ୟଟକଙ୍କ ପାଇଁ ନୌଚାଳନା କ୍ଲବ୍‌, ବଗିଚା, ଗାଡ଼ି ରଖିବା ସ୍ଥାନ, ସୂଚନା କେନ୍ଦ୍ର ସହ ବିଭିନ୍ନ ଖାଦ୍ୟ ଦୋକାନ ଖୋଲିବାକୁ ଯୋଜନା କରାଯାଇଛି।

publive-image

ଏସମ୍ପର୍କରେ ଓବିସିସି ଡିଭିଜନ୍‌-୨ ପ୍ରକଳ୍ପ ପରିଚାଳକ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଦୁଇଟି ପର୍ଯ୍ୟାୟରେ ମୂଷା ନଈର ବିକାଶ କାର୍ଯ୍ୟ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ୍‌ ରାସ୍ତା ପାଖ ମଙ୍ଗଳା ନଈରୁ ଖଣ୍ଡିଆବନ୍ଧ ଦେଇ କୁମ୍ଭାରପଡ଼ା ଥାନା ପର୍ଯ୍ୟନ୍ତ ବିକାଶ କରାଯାଉଛି। ଖନନ ଓ ସୌନ୍ଦର୍ଯ୍ୟୀକରଣ ଯୋଜନା ଏଥିରେ ରହିଛି। ଏ ବାବଦକୁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରାୟ ୩.୨୦ କିଲୋମିଟରର କାମ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ରହିଛି। ଇତିମଧ୍ୟରେ ପ୍ରାୟ ୨ କିଲୋମିଟର କାମ ଶେଷ ହୋଇଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଅଠରନଳା ବ୍ରିଜ୍‌ଠାରୁ ହୁଳୁହୁଳିଆ ପୋଲ, ସମଗରା ଦେଇ କାଞ୍ଚି ନଈ ପର୍ଯ୍ୟନ୍ତ ବିକାଶ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ୮.୭୦୦ କିଲୋମିଟରର ଏହି କାମ ପାଇଁ ପ୍ରାୟ ୮୦ କୋଟି ଟଙ୍କାର ପ୍ୟାକେଜ୍‌ ରହିଛି। ଏ ଭିତରେ ଖନନ ଓ ଦଳ ସଫା କାର୍ଯ୍ୟ ଜାରି ରହିଛି। ମୂଷା ନଈ ଦେଇ ଯେଉଁ ସ୍ବେରେଜ୍‌ ଚାମ୍ବର ରହିଛି, ତାର ଆବର୍ଜନା ଜଳ ବିଶୋଧନ ପାଇଁ ଏକ ବଡ଼ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା କରାଯାଇଛି।