ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଭକ୍ତ, ସେବାୟତ, ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଏହା ବିରୋଧରେ ପ୍ରତିବାଦ ଚଳାଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏଭଳି ଖନନ ଓ ନିର୍ମାଣ ମନ୍ଦିର ପ୍ରତି ବିପଦ ସାଜିଥିବାରୁ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ପୂର୍ବଭଳି ଖନନ ଓ ନିର୍ମାଣ ଜାରି ରହିଛି। ଏଭଳି ସ୍ଥଳେ ଏବେ ପ୍ରଶାସନିକ ଅଧିକାରୀ ଓ ଠିକା ସଂସ୍ଥାଙ୍କ କାର୍ଯ୍ୟକଳାପ ସାଧାରଣରେ ସନ୍ଦେହ ସୃଷ୍ଟି କଲାଣି। ନିର୍ମାଣସ୍ଥଳରେ ନିର୍ମାଣ କାର୍ଯ୍ୟର ଯେଉଁ ଫଳକ ଲାଗିଥିଲା, ତାକୁ ଗତକାଲି ହଠାତ୍ କାଢ଼ି ନିଆଯାଇଥିଲା। ଏହି ସ୍ଥାନରେ ଆଜି ସକାଳେ ପୁଣିଥରେ କିଛି ନୂଆ ଫଳକ ଲଗାଇ ଦିଆଯାଇଛି। ଯାହା ସାଧାରଣରେ ସନ୍ଦେହ ଜାତ କରିବା ସହ ଅଗଣିତ ଭକ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଓ ବିଧାନସଭା ଗୃହ କମିଟିକୁ ଭୁତାଇବା ପାଇଁ ଏଭଳି କରାଯାଉଥିବା ସାଂଘାତିକ ଅଭିଯୋଗ ହୋଇଛି।
ଅଧିକାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ବଢ଼ାଉଛି
କାଲି ଫଳକ କାଢ଼ିଲେ, ଆଜି ଲଗେଇଦେଲେ
ସୂଚନା କିଓସ୍କୋ ଉଡ଼ିଗଲା, ସେଲ୍ଟର ପାଭିଲିୟନ୍ ସଂଖ୍ୟା ବଢ଼ିଗଲା
ନିର୍ମାଣ ନକ୍ସା ଡିଜାଇନ୍ ବି ବଦଳାଇଦେଲେ
ପୂର୍ବରୁ ଶ୍ରୀମନ୍ଦିର ପଶ୍ଚିମଦ୍ବାର, ଦକ୍ଷିଣଦ୍ବାରରେ ଯେଉଁ ଖନନ ଓ ନିର୍ମାଣ ଚାଲିଛି, ବିରୋଧ ପରେ ସେଠାରେ ଠିକା ସଂସ୍ଥା ପକ୍ଷରୁ ବିଭିନ୍ନ ଫଳକ ଲଗାଯାଇଥିଲା। ଯେଉଁଥିରେ ପ୍ରକଳ୍ପର ନକ୍ସା ଓ କାମର ବିବରଣୀ ଉଲ୍ଲେଖ ରହିଥିଲା। ସବୁ ପ୍ରକଳ୍ପର ମାଟି ଖନନ ଦେଢ଼ ମିଟର ବୋଲି ଉଲ୍ଲେଖ ରହିଥିଲା। କିନ୍ତୁ ଏହାଠାରୁ ଢ଼େର ଅଧିକ ଅର୍ଥାତ୍ ୩୦ରୁ ୪୦ ଫୁଟ ଗର୍ତ୍ତ ଖୋଳି ନିର୍ମାଣ ଚାଲିଛି। ଯେଉଁ ଫଳକ ସବୁ ପୂର୍ବରୁ ଲାଗିଥିଲା, ସେଥିରେ ମିନି କ୍ଲୋକ, ଇନ୍ଫର୍ମେସନ୍ କିଓସ୍କୋ(ସୂଚନା କେନ୍ଦ୍ର), ଶୌଚାଳୟ, ଇଲେକ୍ଟ୍ରିକାଲ୍ ରୁମ୍, ସେଲ୍ଟର ପାଭେଲିୟନ୍ର ଫଳକ ଲଗାଯାଇଥିଲା। ଏଥିରେ ପରିକ୍ରମା ପ୍ରକଳ୍ପ ନାଁ ସ୍ପଷ୍ଟ ଉଲ୍ଲେଖ ରହିଥିଲା। ଗତକାଲି କ’ଣ ହେଲା କେଜାଣି ହଠାତ୍ ଏହାକୁ କାଢ଼ି ଦିଆଯାଇଥିଲା। ପ୍ରତିବଦଳରେ ଆଜି ସକାଳୁ ପୁଣି ନୂଆ ଫଳକ ତରବରିଆ ଭାବେ ଲଗାଇ ଦିଆଯାଇଛି। ଯେଉଁଥିରୁ ପରିକ୍ରମା ପ୍ରକଳ୍ପ ନାଁ ସଂପୂର୍ଣ୍ଣ ହଟାଇ ଦିଆଯାଇଛି। କେବଳ ପ୍ରକଳ୍ପର ନାମ ଉଲ୍ଲେଖ ରହିଛି। ପ୍ରକଳ୍ପ ଭିତରୁ ଅନେକ ଫଳକ ବି ହଟାଇ ଦିଆଯାଇଛି। ଇନ୍ଫର୍ମେସନ୍ କିଓସ୍କୋ ଫଳକ ଏଠାରେ ଆଉ ନାହିଁ। ଏହି ସ୍ଥାନରେ ମହିଳା ଶୌଚାଳୟ ନିର୍ମାଣ ହେଉଥିବା ନେଇ ଫଳକ ଲାଗିଛି। ସେପଟେ ଯେଉଁଠି ସେଲ୍ଟର ପାଭିଲିୟନ୍ର ହାତଗଣତି ଫଳକ ଥିଲା, ସେଠି ଆଜି ଏହାର ୫ଟି ଫଳକ ଲଗାଯାଇଛି। ଯେଉଁଠି ସେଲ୍ଟର ପାଭିଲିୟନ୍-୧ ଓ ସେଲ୍ଟର ପାଭିଲିୟନ୍-୨, ଏଭଳି ଦୁଇପ୍ରକାରର ସେଲ୍ଟର ପାଭିଲିୟନ୍ କରାଯାଉଥିବା ଦର୍ଶାଯାଇଛି। ତିନୋଟି ସେଲ୍ଟର ପାଭିଲିୟନ୍-୧ ଓ ଦୁଇଟି ସେଲ୍ଟର ପାଭିଲିୟନ୍-୨ର ନିର୍ମାଣ ଫଳକ ଖନନସ୍ଥଳରେ ଲଗାଯାଇଛି। ସେପଟେ ଯେଉଁ ଡିଜାଇନ୍ର ନକ୍ସା ସବୁ ନିର୍ମାଣସ୍ଥଳରେ ଲଗାଯାଇଥିଲା, ସେଠି ଅନ୍ୟ ନକ୍ସା ତଥା ପ୍ରକଳ୍ପ ପାଇଁ ବଦଳା ଯାଇଥିବା ଡିଜାଇନ୍ ଲଗାଯାଇଛି। ଯାହା ଭକ୍ତଙ୍କୁ ପୁଣିଥରେ ଦ୍ବନ୍ଦ୍ବରେ ପକାଇଛି। ଏପରି କରି ପ୍ରଶାସନ ଓ ଠିକାସଂସ୍ଥା କ’ଣ ଲୁଚାଇବାକୁ ଚାହୁଁଛି ବୋଲି ପ୍ରଶ୍ନ ଉଠିଛି।
ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଓ ବିଧାନସଭା ଗୃହ କମିଟି ଖୁବଶୀଘ୍ର ଘଟଣାର ଅନୁଧ୍ୟାନ ପାଇଁ ଆସୁଛନ୍ତି। ସେମାନଙ୍କୁ ତଥ୍ୟ ଲୁଚାଇବା ତଥା ଭୂତାଇବା ପାଇଁ ଗତକାଲି ଫଳକ କାଢ଼ି ଦିଆଯାଇ ଆଜି ନୂଆ ଫଳକ ଲଗାଇଛି ପ୍ରଶାସନ ଓ ଠିକାସଂସ୍ଥା। ଯେଉଁ ନୂଆ ଫଳକରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁ ସଂପୂର୍ଣ୍ଣ ହଟାଇ ଦିଆଯାଇଛି। ନିଜ ବେଆଇନ୍ କାର୍ଯ୍ୟ ଉପରେ ଘଣ୍ଟ ଘୋଡ଼ାଇବା ପାଇଁ ଏଭଳି ଚକ୍ରାନ୍ତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/xf5h46fh465hhfhfhxh.jpg)