ଶହେଟି ଗଙ୍ଗାର ମିଳନ ଯେଉଁଠି, ନରେନ୍ଦ୍ର ପୋଖରୀ ସିଏ… ଗୀତର ସାରମର୍ମ ହିଁ ଶ୍ରୀକ୍ଷେତ୍ର ପୁଷ୍କରିଣୀର ମହତ୍ତ୍ବକୁ ପ୍ରତିପାଦିତ କରେ। ଅର୍ଥାତ୍ ଆଧ୍ୟାତ୍ମିକ ରାଜଧାନୀ ପୁରୀ କେବଳ ଶ୍ରୀମନ୍ଦିର କିମ୍ବା ମହୋଦଧିର ସହର ନୁହେଁ, ତୀର୍ଥ ପୁଷ୍କରିଣୀର ସହର ଭାବେ ବିଶ୍ବବିଦିତ। ଶ୍ରୀକ୍ଷେତ୍ରର ପ୍ରତ୍ୟେକ ତୀର୍ଥ ପୁଷ୍କରିଣୀର ଐତିହାସିକ ଓ ପୌରାଣିକ ମହତ୍ତ୍ବ ରହିଛି। ଦେଶବିଦେଶର ବହୁ ସାଧୁସନ୍ଥ ଓ ମହାମନୀଷୀଙ୍କର ପାଦ ପଡ଼ିଛି ଏହି ପବିତ୍ର ପାବନ ଭୂମିରେ। ଶ୍ରୀକ୍ଷେତ୍ରରେ ରହିଛି ବହୁ ପ୍ରାଚୀନ ପୁରାଣ ଆଧାରିତ ତୀର୍ଥ ପୁଷ୍କରିଣୀ। ତୀର୍ଥ ପୁଷ୍କରିଣୀଗୁଡ଼ିକ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ଦେବଦେବୀଙ୍କ ନୀତି ସହ ଜଡ଼ିତ। ସମୟକ୍ରମେ ଏହି ପୁଷ୍କରିଣୀଗୁଡ଼ିକ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିଲା। ଆଉ ଏହା ଉପରେ ନଜର ପଡ଼ିଥିଲା ରାଜ୍ୟ ସରକାରଙ୍କର। ଯେଉଁଥିପାଇଁ ଶ୍ରୀକ୍ଷେତ୍ରର ୪ଟି ତୀର୍ଥ ପୁଷ୍କରିଣୀକୁ ନୂଆ ରୂପ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିଥାନ୍ତି। ଶ୍ରୀମନ୍ଦିର ଓ ବେଳାଭୂମି ପରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀକୁ ବୁଲି ଦେଖିଥା’ନ୍ତି। କେହି କେହି ମାନସିକ ରଖି ତୀର୍ଥ ପୁଷ୍କରିଣୀ କୂଳରେ ତିଳତର୍ପଣ କରନ୍ତି, ଚୁଟି ପକାଇଥା’ନ୍ତି। ତୀର୍ଥ ପୁଷ୍କରିଣୀ ସହ ଭକ୍ତି ଓ ବିଶ୍ୱାସ ଯୋଡ଼ି ହୋଇରହିଛି। ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ଉଦ୍ୟମ ଜାରି ରଖିଥିବା ବେଳେ ଏଥିରେ ତୀର୍ଥ ପୁଷ୍କରିଣୀକୁ ସାମିଲ କରିଛନ୍ତି। ପଞ୍ଚତୀର୍ଥ ମଧ୍ୟରୁ ଶ୍ୱେତଗଙ୍ଗା, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ ଏବଂ ପୁନରୁଦ୍ଧାର କରାଯାଉଛି। ଏଥିପାଇଁ ‘ଅବଢ଼ା’ ଯୋଜନାରେ ୬୬ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏଠାରେ ଦଶାହ କାର୍ଯ୍ୟ, ଚୁଟି ପକାଇବା ଓ ପିଣ୍ଡଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଖରା, ବର୍ଷା ହେଲେ ବି ଶ୍ରଦ୍ଧାଳୁମାନେ କୌଣସି ପ୍ରକାର ସମସ୍ୟାରେ ପଡ଼ିବେ ନାହିଁ। ପୁଷ୍କରିଣୀଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମ୍ପ୍ରସାରଣ ସହ ଚାରିପାଖରେ ଉଜ୍ଜ୍ବଳ ଆଲୋକୀକରଣ ବ୍ୟବସ୍ଥା ହେବ। ସେହିପରି ଚତୁଃପାର୍ଶ୍ବରେ ବିଭିନ୍ନ ପ୍ରକାର ଫୁଲ କୁଣ୍ଡ ଶୋଭାବର୍ଦ୍ଧନ କରିବ। ଏଭଳି ପରିକଳ୍ପନାକୁ ନେଇ ୨୦୨୨ ଜୁନ୍ରୁ କାମ ଆରମ୍ଭ କରାଯାଇଥିଲା। ଦ୍ରୁତଗତିରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ। ଆଉ ୩/୪ ମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ରୂପ ନେଲେ ତୀର୍ଥଯାତ୍ରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପରିକ୍ରମା ପ୍ରକଳ୍ପ ସହ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧିରେ ପ୍ରମୁଖ ଯୋଗଦାନ ରଖିବ ଏହି ତୀର୍ଥ ପୁଷ୍କରିଣୀ। ମଝିରେ ଖୋଣ୍ଡଲାଇଟ୍ ପଥରର ଅଭାବ ଯୋଗୁ କାମ ସାମାନ୍ୟ ବିଳମ୍ବ ହୋଇଥିବା ବେଳେ ଏବେ କାମକୁ ତ୍ୱରାନ୍ୱିତ କରିଛି ଓବିସିସି।
ତିନିଟି ପୁଷ୍କରିଣୀ ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ୱେତଗଙ୍ଗା ଜଳକୁ ବିଶୋଧନ କରାଯାଇଥିବା ବେଳେ ମାର୍କଣ୍ଡେୟ ପୁଷ୍କରିଣୀକୁ ସମ୍ପୂର୍ଣ୍ଣ ଭାବେ ଶୁଖାଯାଇଥିଲା। ଏଥିରୁ ପଙ୍କ ଓ ବାଲି ପ୍ରାୟ ୨ ମିଟର ବାହାର କରାଯାଇଛି। ସେହିପରି ତୀର୍ଥ ପୁଷ୍କରିଣୀଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ପାଚେରି ଗାତ୍ରରେ ସେଇ ପୁଷ୍କରିଣୀର ଐତିହ୍ୟକୁ ସ୍ଥାନିତ କରାଯାଉଛି। କୁଶଳୀ କାରିଗରମାନଙ୍କ ଦ୍ୱାରା ପଥରରେ ବିଭିନ୍ନ ଐତିହ୍ୟକୁ ଖୋଦେଇ କରି ବସାଯାଉଛି। ଏହାଦ୍ୱାରା ତୀର୍ଥଯାତ୍ରୀମାନେ ପୁଷ୍କରିଣୀ ବୁଲିବା ସମୟରେ ପାଚେରିରୁ ହିଁ ଏହି ସରୋବରର କାହାଣୀ ଓ ମାହାତ୍ମ୍ୟ ବିଷୟରେ ଜାଣିପାରିବେ। ଏହା ବ୍ୟତୀତ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ କଳାକୃତି ପ୍ରସ୍ତୁତ କରାଯାଇ ପାଚେରିରେ ଲଗାଯାଉଛି। ନରେନ୍ଦ୍ର ପୁଷ୍କରିଣୀ ପାଚେରିରେ ଠାକୁରଙ୍କ ବିଭିନ୍ନ ବେଶ, ଦଶାବତାର ମୂର୍ତ୍ତି, ସାହିଯାତ ଆଦି ସ୍ଥାପତ୍ୟର ଚିତ୍ର ଶୋଭାପାଉଛି। ରଥଯାତ୍ରାର କାଠ ଅନୁକୂଳଠାରୁ ଆରମ୍ଭ କରି ରଥଖଳା, କମାରଶାଳ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି, ମହାପ୍ରଭୁଙ୍କ ବିଭିନ୍ନ ଲୀଳାକୁ ମଧ୍ୟ ସ୍ଥାନ ଦିଆଯାଉଛି। ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଯେପରି ପୁଷ୍କରିଣୀ ଚତୁଃପାର୍ଶ୍ୱ ବୁଲିପାରିବେ, ସେଥିପାଇଁ ୨ମିଟର ଓସାରର ପରିକ୍ରମା ରାସ୍ତା କରାଯାଉଛି। ବସିବା ପାଇଁ ବେଞ୍ଚ୍ ସ୍ଥାପନ କରାଯାଉଛି। ଫୁଲକୁଣ୍ଡ, ଆଲୋକୀକରଣ (ହାଇମାଷ୍ଟ ଓ ଏଲ୍ଇଡି) ସାଙ୍ଗକୁ ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ଉପଲବ୍ଧ ହେବାକୁ ଯାଉଛି। ଅନ୍ୟପକ୍ଷରେ ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଭକ୍ତ ଓ ପର୍ଯ୍ୟଟକ। ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାମ ଖୁବଶୀଘ୍ର ସରିବ ବୋଲି ଓବିସିସିର ଅଧିକାରୀ ଶ୍ରୀଧର ରାଉତ କହିଛନ୍ତି।
ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ
ପୁରୁଷୋତ୍ତମ କ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରି କୋଟି କୋଟି ଗୋ-ଦାନ କରିଥିଲେ। ଯଜ୍ଞ ପାଇଁ ଆସିଥିବା ଗୋରୁଙ୍କ ଖୁରାରୁ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଗୋମୂତ୍ର ବା ଗୋମୟର ପବିତ୍ର ଏହି ଗର୍ତ୍ତ ତୀର୍ଥ ପୁଷ୍କରିଣୀ ରୂପେ ରୂପାନ୍ତରିତ ହୋଇଥିଲା। ଏହାର ପୂର୍ବରେ ଶ୍ରୀନୀଳକଣ୍ଠେଶ୍ୱର ମନ୍ଦିର ଓ ଆଉ କିଛି ମନ୍ଦିର ଶୋଭାପାଉଛି। ଏହି ତୀର୍ଥରେ ସ୍ନାନ, ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଉଚିତ ବିଧି ବିଧାନରେ ସମ୍ପାଦିତ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ ହେଉଥିବା ବିଶ୍ୱାସ ରହିଛି। କାର୍ତ୍ତିକ ମାସରେ ବ୍ରତଧାରୀମାନେ ଏହି ପୁଷ୍କରିଣୀରେ ସ୍ନାନ କରି ଦାନ ଦକ୍ଷିଣା ଦେବା ପରେ ଯଜ୍ଞ ନୃସିଂହଙ୍କୁ ଦର୍ଶନ କରିଥାନ୍ତି। ସେହିପରି ପ୍ରତିବର୍ଷ ରଥଯାତ୍ରା ସମୟରେ ନବଦିନାତ୍ମକ ବ୍ରତଧାରୀ ମଧ୍ୟ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ଯଜ୍ଞ ନୃସିଂହଙ୍କ ଦର୍ଶନ କରିବାକୁ ଭିଡ଼ ଜମାନ୍ତି।
ମାର୍କଣ୍ଡେୟ ପୁଷ୍କରିଣୀ
ମାର୍କଣ୍ଡେୟ ପୁଷ୍କରିଣୀ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବରେ ଅବସ୍ଥିତ। ଏହାର କେନ୍ଦ୍ରସ୍ଥଳରେ ଯଜ୍ଞବେଦି ରହିଛି। ଅନ୍ୟ ତୀର୍ଥ ଅପେକ୍ଷା ଏଠାରେ ସର୍ବାଧିକ ତୀର୍ଥଯାତ୍ରୀ ସ୍ନାନ, ଦାନ, ତର୍ପଣ, ଶ୍ରାଦ୍ଧ ଓ ଦଶାହକ୍ରିୟା କରନ୍ତି। ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ କାଳୀୟଦଳନ ନୀତି ଏହି ପୁଷ୍କରିଣୀରେ ଅନୁଷ୍ଠିତ ହୁଏ। ନେତପିଲାମାନେ ଏଠାରେ ବାଲୁକା ଲିଙ୍ଗ ସ୍ଥାପନା କରି ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜା କରିଥା’ନ୍ତି। ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଅଛି, ସୀତାଙ୍କୁ ଠାବ କରିବା ପାଇଁ ହନୁମାନ ଲଙ୍କାରେ ପହଞ୍ଚିଥିଲେ। ସନ୍ଧ୍ୟା ହୋଇ ନଥିବାରୁ ସେ ବିରାଡ଼ି ରୂପ ଧାରଣ କରି ଲଙ୍କାନଗରରେ ପ୍ରବେଶ କରିଥିଲେ। ତେଣୁ ହନୁମାନଙ୍କ ସେହି ବିରାଡ଼ି ରୂପ ପୁଷ୍କରିଣୀ କୂଳରେ ଅବସ୍ଥିତ ଶ୍ରୀମାର୍କଣ୍ଡେଶ୍ୱର ମନ୍ଦିରରେ ପୂଜା ପାଉଛନ୍ତି।
ନରେନ୍ଦ୍ର ପୁଷ୍କରିଣୀ
ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚାପ ଖେଳିଥାଆନ୍ତି। ସେଥିପାଇଁ ଏହି ଜଳାଶୟକୁ ଭକ୍ତ ପବିତ୍ର ମଣନ୍ତି। ଏହାର ପୂର୍ବରେ ବାୟାବାବା ମଠ, ପଶ୍ଚିମରେ ବିଶ୍ୱେଶ୍ୱରୀ ଠାକୁରାଣୀ ଓ ଚୁଡ଼ଙ୍ଗ ପୋଖରୀ, ଉତ୍ତରରେ ଜଟିଆ ବାବା ମଠ ଓ ଦକ୍ଷିଣରେ ଜଗନ୍ନାଥ ବଲ୍ଲଭ ମଠ ରହିଛି। ପୁଷ୍କରିଣୀ ମଧ୍ୟଭାଗରେ ଦୀପିଦାଣ୍ଡି ରହିଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ ବଳରାମ ଓ ପଞ୍ଚମହାଦେବ ପ୍ରତିବର୍ଷ ଚନ୍ଦନଯାତ୍ରାରେ ଏଠାକୁ ଆସି ଚାପ ଖେଳନ୍ତି। ଏହି ପବିତ୍ର ଜଳାଶୟରେ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହା ଚନ୍ଦନ ସରୋବର ନାମରେ ଖ୍ୟାତ।
ବିଶ୍ବ ଦେଖିବ ବିକଶିତ ଶ୍ରୀକ୍ଷେତ୍ର, ନବୀନଙ୍କ ଆହ୍ୱାନରେ ସମସ୍ତେ ଏକାଠି ହେଲେ
ବିଶ୍ବ ଦେଖିବ ବିକଶିତ ଶ୍ରୀକ୍ଷେତ୍ର
ପୁରୀ: ବିଶ୍ବ ଦେଖିବ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଶ୍ବସ୍ତରୀୟ ରୂପାନ୍ତର। ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପୂର୍ଣ୍ଣରୂପ ନେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ୩୨ଶହ କୋଟିର ସ୍ବପ୍ନର ପ୍ରକଳ୍ପ। ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କଳିଙ୍ଗର ନିଖୁଣ କଳା ଓ ସ୍ଥାପତ୍ୟରେ ଝଲସୁଛି ସମ୍ପୂର୍ଣ୍ଣ ପରିପାଟୀ। ସ୍ବତନ୍ତ୍ର ଖୋଣ୍ଡଲାଇଟ୍ ପଥରରେ ବିକଶିତ ହୋଇଛି ଭକ୍ତଙ୍କ ଶ୍ରୀମନ୍ଦିର ପରିକ୍ରମା, ବିଶ୍ରାମଗୃହ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧାସୁଯୋଗ। ମୁକ୍ତ ବିଚରଣ ପାଇଁ ଛଡ଼ାଯାଇଛି ବିସ୍ତୃତ ଖୋଲା ଜାଗା। ଛାୟାପ୍ରଦ ଆସ୍ଥାନ ପାଇଁ ସୃଷ୍ଟି କରାଯାଇଛି ସବୁଜ ବଳୟ। ଅନ୍ୟପଟେ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସିବା ପାଇଁ ନିର୍ମାଣ ହୋଇଛି ଆଖି ଲାଖିଲା ଭଳି ରାସ୍ତାଘାଟ। ସେ ଶ୍ରୀସେତୁ କଥା ହେଉ କି ଶ୍ରୀଦାଣ୍ଡ, ଏତେ ବଡ଼ ବଡ଼ ପ୍ରକଳ୍ପ ଏତେ ଶ୍ରୀଘ୍ର ସମ୍ପୂର୍ଣ୍ଣ ରୂପ ନେବା ଅବିଶ୍ବସନୀୟ ଭଳି ଲାଗୁଛି। ସେ ରାଜନେତା ହୁଅନ୍ତୁ କି ଅଧିକାରୀ ଅବା ଭକ୍ତ, ସମସ୍ତଙ୍କ ମୁହଁରେ ଗୋଟିଏ କଥା ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା। ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ।
ଶ୍ରୀଜଗନ୍ନାଥ ବିଶ୍ୱ ଦେବତା। କୌଣସି ଜାତି, ଧର୍ମ, ଗୋଷ୍ଠୀ, ଅଞ୍ଚଳ, ରାଜ୍ୟ କିମ୍ବା ଦେଶର ସେ ପ୍ରତୀକ ନୁହନ୍ତି। ଏହି ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ ‘ଶ୍ରୀମନ୍ଦିର’ ସାରା ବିଶ୍ୱରେ ଖ୍ୟାତ। ଏହା ଓଡ଼ିଆ ଜାତିର ପ୍ରାଣ, ଗୌରବ ଓ ସ୍ୱାଭିମାନର ପ୍ରତୀକ। ଭାରତର ପୂର୍ବରେ ପୁରୀ, ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରିନାଥ ଏବଂ ଦକ୍ଷିଣରେ ରାମେଶ୍ୱର। ଏହି ଚାରିଧାମ ମଧ୍ୟରୁ ପୁରୀ ହିନ୍ଦୁମାନଙ୍କର ଶ୍ରେଷ୍ଠ ଧାମ। ଏହି ଧାମ ମୁକ୍ତିର ଧାମ, ବୈକୁଣ୍ଠଧାମ। ଯେତେବେଳେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ପ୍ରସଙ୍ଗ ଉଠେ , ସେତେବେଳେ ସମସ୍ତେ ବଢ଼ାଇ ଦିଅନ୍ତି ସହଯୋଗର ହାତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି ଏହାର ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ। ମହାପ୍ରଭୁଙ୍କ କାମରେ ସମସ୍ତେ ସହଭାଗିତା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏପରି ଏକ ମହତ୍ଆକାଂକ୍ଷୀ ପ୍ରକଳ୍ପ ପାଇଁ ବିରୋଧୀ ବି ବଢ଼ାଇଥିଲେ ସହଭାଗିତାର ହାତ। କେବଳ ବିରୋଧୀ ନୁହନ୍ତି, ପୂର୍ବତନ ରାଷ୍ଟ୍ରପତି ବି ପ୍ରକଳ୍ପକୁ ଭୁରିଭୁରି ପ୍ରଶଂସା କରି ନିଜ ଦରମାରୁ ବଢ଼ାଇ ଦେଇଥିଲେ ୧ ଲକ୍ଷ ଟଙ୍କାର ଚେକ୍। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରର ଚତୁଃପାଶ୍ୱର୍କୁ ନୂଆରୂପ ଦେବା ପାଇଁ ସ୍ଥିର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ କେବଳ ବଡ଼ଦେଉଳର ସୁରକ୍ଷା କିମ୍ବା ଏହାର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନୁହେଁ, ମହାପ୍ରଭୁଙ୍କ ପ୍ରତି ଗଭୀର ଭକ୍ତି ଓ ବିଶ୍ୱାସ ରଖି ଶ୍ରୀକ୍ଷେତ୍ର ଆସୁଥିବା ପ୍ରତିଟି ଲୋକ ଯେପରି ସମସ୍ତ ପ୍ରକାର ମୌଳିକ ସୁବିଧା ପାଇବେ, ତାହା ବି ନଜରରେ ରଖି ଆରମ୍ଭ କରାଯାଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।
ନବୀନଙ୍କ ଆହ୍ୱାନରେ ସମସ୍ତେ ଏକାଠି ହେଲେ
ବିରୋଧୀ ବି ବଢ଼ାଇଛନ୍ତି ସହଭାଗିତାର ହାତ
ପ୍ରାକ୍ତନ ରାଷ୍ଟ୍ରପତି ଦେଇଛନ୍ତି ୧ ଲକ୍ଷ ଟଙ୍କା
ସମସ୍ତେ କରୁଛନ୍ତି ଭୁରିଭୁରି ପ୍ରଶଂସା
୨୦୨୧ ଫେବ୍ରୁଆରି ୨୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଧାନସଭାରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ କେମିତି ଦେଖାଯିବ ବଡ଼ଦେଉଳ ଚତୁଃପାର୍ଶ୍ବ, ଦର୍ଶନାର୍ଥୀଙ୍କ ପାଇଁ କ’ଣ ରହିବ ସୁବିଧା ସୁଯୋଗ ସେନେଇ ବିସ୍ତୃତ ଭାବେ ଏହି ଯୋଜନାର ରୂପରେଖ ସ୍ପଷ୍ଟ କରିଥିଲେ। କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ଏହି ବିକାଶ ଯୋଜନାକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିଲେ। ତେବେ ସେହିଦିନ ଏଥିରେ ପ୍ରତିଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଏହା ପରଠାରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଲମ୍ବିଥିଲା ସହଯୋଗର ହାତ। ୨୦୨୧ ମାର୍ଚ୍ଚ ୨୨ ତାରିଖରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେବାକୁ ଥିବା ବିକାଶ ସମ୍ପର୍କରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଡ. କ୍ରିଷନ କୁମାରଙ୍କଠାରୁ ବୁଝିବା ସହ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ନିଜ ଦରମାରୁ ୧ଲକ୍ଷ ଟଙ୍କାର ଚେକ୍ ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର। ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ହୃଦୟର ସ୍ପନ୍ଦନ ସହ ଯୋଡ଼ି ହୋଇରହିଛନ୍ତି। ସମାଜର ଦାୟିତ୍ୱରେ ହିଁ ବଡ଼ଦେଉଳର କାମ ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢ଼ାନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ମଧ୍ୟ ଆହ୍ୱାନ କରିଥିଲେ। ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରତ୍ୟେକେ ଏହି ପ୍ରକଳ୍ପ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହଯୋଗ ଅର୍ଥ ରାଶି ପ୍ରଦାନ କରିଛନ୍ତି। କେବଳ ବ୍ୟକ୍ତିବିଶେଷ ନୁହନ୍ତି, ବିଭିନ୍ନ ଅନୁଷ୍ଠାନ ବି ଶ୍ରୀମନ୍ଦିର ବିକାଶରେ ସହଭାଗୀ ହେବା ପାଇଁ ଆଗେଇ ଆସିଛନ୍ତି। ୨୦୨୧ ମାର୍ଚ୍ଚ ୧୮ ତାରିଖରେ କଳିଙ୍ଗ କମର୍ସିଆଲ କର୍ପୋରେସନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଡ. ସୌମ୍ୟରଞ୍ଜନ ସାମଲ ଶ୍ରୀମନ୍ଦିରକୁ ୧କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେହିପରି ୨୦୨୧ ମାର୍ଚ୍ଚ ୨୫ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ଶ୍ରୀମନ୍ଦିରକୁ ୧ କୋଟି ଟଙ୍କାର ଚେକ୍ ଦେଇଥିଲେ। ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ, ଅଭିନେତା ଗୋବିନ୍ଦାଙ୍କ ସମେତ ଦେଶ ବିଦେଶର ଅନେକ ରାଜନେତା, ଅଭିନେତା, ଅଭିନେତ୍ରୀ, ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପର ଭୁରିଭୁରି ପ୍ରଶଂସା କରିଛନ୍ତି। ସିଂହଦ୍ୱାର ଅଞ୍ଚଳରେ ଠିଆ ହୋଇ ନୀଳଚକ୍ରଙ୍କୁ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଫଟୋଚିତ୍ର ଏବଂ କରପଲ୍ଲବ ଧରି ଶ୍ରୀମନ୍ଦିର ସହ ଫଟୋ ଉଠାଇ ସାଥିରେ ନେଇଥିଲେ ଅଭିନେତ୍ରୀ କଙ୍ଗନା।
ବଦଳିଛି ସ୍ବର୍ଗଦ୍ବାର ସ୍ବରୂପ
ବିଶ୍ବାସ ରହିଛି ସ୍ବର୍ଗକୁ ଦ୍ବାର ବୋଲି, ନାଁ ତା’ ସ୍ବର୍ଗଦ୍ବାର। ଏହି ଆସ୍ଥା ନେଇ ବଞ୍ଚି ଥାଉଥାଉ ଅନେକ କୁହନ୍ତି, ମଲା ପରେ ମୋତେ ସ୍ବର୍ଗଦ୍ବାର ନେବୁ। ଆସ୍ଥାର ଏହି ଆଧ୍ୟାତ୍ମିକ ସ୍ଥଳୀକୁ ଅତ୍ୟାଧୁନିକ ଭିତ୍ତିଭୂମି ସହ କାୟା ପରିବର୍ତ୍ତନ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ମରଣ ଉପରାନ୍ତେ ପଞ୍ଚଭୂତରେ ଲୀନ ହେବା ଅନେକଙ୍କ ଜୀବନର ଚରମତମ ଲକ୍ଷ୍ୟ। ପୁରୀ ସ୍ୱର୍ଗଦ୍ୱାରରେ ଦାହସଂସ୍କାର ହେଲେ ମନୁଷ୍ୟ ସମସ୍ତ ପାପରୁ ମୁକ୍ତି ପାଇ ସ୍ୱର୍ଗପ୍ରାପ୍ତି ଲାଭ କରିଥାଏ ବୋଲି ବିଶ୍ବାସ ରହିଛି। ବିଶ୍ବାସ ରହିଛି, ଦେବୀମାନେ ପୃଥିବୀପୃଷ୍ଠକୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି। ଏହି ସ୍ୱର୍ଗଦ୍ୱାର ଦେଇ ପୁନର୍ବାର ସ୍ୱର୍ଗଲୋକକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସୁତରାଂ ସ୍ୱର୍ଗଦ୍ୱାର ହେଉଛି ବୈକୁଣ୍ଠକୁ ରାସ୍ତା ବୋଲି ବିଧିତ। ପ୍ରତି ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରଜଗନ୍ନାଥ ନିଜ ଶ୍ୱଶୁରାଳୟ ସମୁଦ୍ରକୁ ଏହି ବାଟ ଦେଇ ଯାଇଥାନ୍ତି ବୋଲି କୁହାଯାଏ। ତେଣୁ ସ୍ୱର୍ଗଦ୍ୱାରରେ ଦାହସଂସ୍କାର ଫଳରେ ବୈକୁଣ୍ଠ ପ୍ରାପ୍ତିର ବିଶ୍ୱାସ ରହିଛି। ତେବେ ହୋଇଯାଉଥିବା ସ୍ବର୍ଗଦ୍ବାରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଏହାର କଲେବର ବଳଳିଛି। ୨୦୧୯ ମସିହାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ବଜନକୁ ହରାଇ ସ୍ବର୍ଗଦ୍ବାର ଆସିଥିବା ପରିବାର ଯେପରି କୌଣସି ଦୃଷ୍ଟିରୁ ନିରାଶ ନହୁଏ ସେନେଇ ବିଶେଷ ଗୁରୁତ୍ବାରୋପ କରାଯାଇଥିଲା। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜେ ସ୍ବର୍ଗଦ୍ବାରର ରୂପାନ୍ତରଣକୁ ଅଗ୍ରାଧିକାର ଦେଇଥିଲେ। ଅନେକଥର ପ୍ରତ୍ୟୁଷରୁ ପୁରୀ ଆସି କ୍ଷେତ୍ର ପରିଦର୍ଶନ ସହ ସ୍ବର୍ଗଦ୍ବାର ରୂପାନ୍ତରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଆସିଛନ୍ତି। ନିୟମିତ ସମୀକ୍ଷା କରିଛନ୍ତି। ଯେପରି ଦାହସଂସ୍କାର କାର୍ଯ୍ୟରେ ସାମାନ୍ୟତମ ଅସୁବିଧା ନ ଉପୁଜେ ସେଥିପ୍ରତି ଶ୍ରୀ ପଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ଗୁରୁତ୍ବ ଦିଆଯାଇଆସିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦାରତା ହେତୁ ସ୍ୱର୍ଗଦ୍ୱାର ପରିସରରେ ଥିବା ପ୍ରବାଦପୁରୁଷ ତଥା ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସମାଧି ପୀଠକୁ ମଧ୍ୟ ଉଚ୍ଛେଦ କରଯାଇଥିଲା। ବର୍ଷକ ମଧ୍ୟରେ ସ୍ୱର୍ଗଦ୍ୱାରର ଆମୂଳଚୁଳ ପରିବର୍ତ୍ତନ ହୋଇଛି । ସ୍ୱର୍ଗଦ୍ୱାର ପରିଚାଳନା ନିମନ୍ତେ ସ୍ୱର୍ଗଦ୍ୱାର ସେବା ସମିତି ଗଠିତ ହୋଇ କାର୍ଯ୍ୟ କରୁଛି।
୨୮ ପିଣ୍ଡିରେ ୨୪ ଘଣ୍ଟିଆ ଦାହସଂସ୍କାର
ସ୍ବର୍ଗଦ୍ବାରରେ ୨୪ ଘଣ୍ଟିଆ ଦାହସଂସ୍କାର କାର୍ଯ୍ୟ ଅବ୍ୟାହତ ରହିଛି। ସେଥିପାଇଁ ଏକ ଏସ୍ଓପି (ମାନକ ପରିଚାଳନା ବ୍ୟବସ୍ଥା) ପ୍ରବର୍ତ୍ତିତ ହୋଇଛି। ଏବେ ସ୍ୱର୍ଗଦ୍ୱାରରେ ୨୮ଟି ପିଣ୍ଡିରେ ଦାହସଂସ୍କାର କରାଯାଉଛି। ମୃତଦେହ ପହଞ୍ଚିବାଠାରୁ ଦାହସଂସ୍କାର ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିମନ୍ତେ ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍ ବ୍ୟବସ୍ଥା ହୋଇଛି। ବିଶ୍ରାମ ସ୍ଥାନ, ଶୌଚାଳୟ, ଶ୍ରାଦ୍ଧ କ୍ରିୟା ପିଣ୍ଡି ପାଇଁ ସ୍ବତନ୍ତ୍ର ନିର୍ମାଣ କାର୍ଯ୍ୟ କରାଯାଇଛି। ପାନୀୟଜଳ ବ୍ୟବସ୍ଥା ରହିଛି। ମୃତଦେହ ରଖିବା ଲାଗି ସ୍ୱତନ୍ତ୍ର ଭାବେ ଅନ୍ତିମ ବିଶ୍ରାମ ଗୃହ ନିର୍ମାଣ କରାଯାଇଛି।
ସ୍ବର୍ଗଦ୍ବାରରେ ଶବଦାହ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ମାତ୍ର ଏବେ ଶବ ସଂସ୍କାର ପାଇଁ ମାତ୍ର ୪ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଶବସଂସ୍କାର ପାଇଁ ୨୦୨୧ ମସିହା ମେ ମାସ ୧୫ ତାରିଖରୁ ୨୦୨୩ ମସିହା ଡିସେମ୍ବର ୩୧ ତାରିଖ ମଧ୍ୟରେ ହରିଶ୍ଚନ୍ଦ୍ର ଯୋଜନାରେ ପ୍ରାୟ ୧୨କୋଟି ୭ଲକ୍ଷ ଟଙ୍କା ବ୍ୟୟ ହୋଇଛି।
୧୦୦ ସେବକ ଦେଉଛନ୍ତି ସେବା
ହରିଶ୍ଚନ୍ଦ୍ର ଯୋଜନାରେ ଖର୍ଚ୍ଚ ୧୨କୋଟି
ସ୍ବର୍ଗଦ୍ବାରକୁ ମୃତ ସ୍ବଜନଙ୍କୁ ନେଇ ଦାହ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବା ପାଇଁ ୧୦୦ରୁ ଅଧିକ ସେବକ ନିଯୁକ୍ତ ହୋଇ ସୂଚାରୁ ରୂପେ ଦାୟିତ୍ବ ନିର୍ବାହ କରୁଛନ୍ତି। ସମସ୍ତ ଦେୟ କ୍ୟାସଲେସ୍ ମାଧ୍ୟମରେ ପୈଠ ହେଉଛି । ୱେବ୍ସାଇଟ୍ ଓ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ବିନା କାଗଜପତ୍ରରେ କାର୍ଯ୍ୟ ସମ୍ପାଦିତ ହେଉଛି। ଓଡ଼ିଶା ରାଜ୍ୟ ବନ ଉନ୍ନୟନ ନିଗମ ପକ୍ଷରୁ ଦାହସଂସ୍କାର ନିମନ୍ତେ ଆବଶ୍ୟକ କାଠ ଯୋଗାଇ ଦିଆଯାଉଛି। ସ୍ବର୍ଗଦ୍ବାର ସେବା କେନ୍ଦ୍ରକୁ ସମସ୍ତ ଦାହସଂସ୍କାର ସାମଗ୍ରୀ ଯୋଗାଇବା ଦାୟିତ୍ବ ଓର୍ମାସ୍ ତଥା ସ୍ବୟଂ ସହାୟକ ଗୋଷ୍ଠୀକୁ ଅର୍ପଣ କରାଯାଇଛି। ଶୃଙ୍ଖଳା ଉପରେ ଦୃଷ୍ଟି ରଖିବା ଲାଗି ସିସିଟିଭି କ୍ୟାମେରା ଖଞ୍ଜାଯାଇ ନୀରିକ୍ଷଣ କରାଯାଉଛି।