ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ମାଳଦ୍ବୀପର ଅନୁଭବ
ପୁରୀ: ମୁଣ୍ଡ ଉପରେ ସୁନୀଳ ଆକାଶ, ତଳେ ସମୁଦ୍ରର ନୀଳ ଲହଡ଼ି। ଧୋବ ଫରଫର ବିସ୍ତୀର୍ଣ୍ଣ ବେଳାଭୂମିରେ ନୀଳ ରଙ୍ଗର ଆରାମ ଚେୟାର୍। କିଛି କିଛି ଦୂରତାରେ ଚାଳ ଛପରର ଛତ୍ରୀ। ସବୁଜିମା ଭରା ପରିବେଶ ସହ ଅତ୍ୟାଧୁନିକ ଓ ଅତ୍ୟାବଶ୍ୟକ ବ୍ୟବସ୍ଥାରେ ସମୃଦ୍ଧ ହୋଇଛି ବେଳାଭୂମି। ସ୍ବଚ୍ଛତା ଯେମିତି, ସବୁଜିମା ବି ସେମିତି। ବାଥିଂ ଜୋନ୍‌, ପିଲାଙ୍କ ପାଇଁ ଖେଳକୁଦ ଅଞ୍ଚଳ, ଫିଟ୍‌ନେସ୍‌ ସେଣ୍ଟର୍‌, ସମୁଦ୍ର ସ୍ନାନ ପରେ ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ ସୁବିଧା ସବୁକିଛି ଉପଲବ୍ଧ ହେଉଛି। ଏହା ମାଳଦ୍ବୀପ କିମ୍ବା ଗୋଆ ବିଚ୍‌ ନୁହେଁ, ବରଂ ପୁରୀର ବ୍ଲୁ ଫ୍ଲାଗ୍‌ ବିଚ୍‌ ଦେଉଛି ଏଭଳି ଅନୁଭବ। ୩ ବର୍ଷରେ ବ୍ଲୁ ଫ୍ଲାଗ୍‌‌ ବିଚ୍‌କୁ ୨୨ଲକ୍ଷ ୧୯ ହଜାର ୫୪୦ଜଣ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ବ୍ଲୁ ଫ୍ଲାଗ୍‌ ବେଳାଭୂମି (ବିଚ୍‌)ର ଉଚ୍ଚସ୍ତରୀୟ ଭିତ୍ତିଭୂମି ଓ ସେବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରୁଛି। ପୁରୀକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଅନନ୍ୟ ଉଦାହରଣ। ସରକାରଙ୍କ ଉଦ୍ୟମର ସଫଳ ରୂପାୟନ ସ୍ବରୂପ ଲଗାତାର ୩ବର୍ଷ ହେବ ପୁରୀ ସମୁଦ୍ର କୂଳ ‘ବ୍ଲୁ-ଫ୍ଲାଗ୍‌’ ବିଚ୍‌ର ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇ ଆସୁଛି।

Advertisment

ପ୍ରବେଶ ପଥର ଉଭୟ ପାର୍ଶ୍ବରେ ଖଣ୍ଡୋଲାଇଟ୍‌ ସ୍ଥାପତ୍ୟରେ କୋଣାର୍କ ଚକ ଓ ଭିନ୍ନ ମୁଦ୍ରାରେ ନୃତ୍ୟରତ ଦୁଇ ନର୍ତ୍ତକୀ ରହିଛନ୍ତି। ପାଦଚଲା ରାସ୍ତା, ଷ୍ଟିଲ୍ ରେଲିଂ ଓ ରଙ୍ଗ ବେରଙ୍ଗର ଫୁଲ ମନ କିଣି ନେଉଛି। ଝାଉଁ ଗଛ, ବାଉଁଶରେ ତିଆରି ଧଳା-ନୀଳ ରଙ୍ଗର ପ୍ରାଚୀର, ପାଲମିରା ପାମ୍‌ ଟ୍ରି’, ତାଳ ଓ ନଡ଼ିଆ ଗଛ ବେଳାଭୂମିର ଶୋଭାକୁ ଦ୍ବିଗୁଣିତ କରୁଛି। ୱାଚ୍ ଟାୱାରରୁ ସମୁଦ୍ରକୁ ଦେଖିବାର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସ୍ବାଦିଷ୍ଟ ଖାଦ୍ୟ ଉପଲବ୍ଧ ହେଉଛି। ମିସନ୍ ଶକ୍ତି କାଫେ ସହ ‘ନିମନ୍ତ୍ରଣ’ ରେସ୍ତୋରାଁ ରହିଛି। ଗୋଆ ଭଳି ଶତାଧିକ ନୀଳ ରଙ୍ଗର ଆରାମ ଚେୟାର ରହିଛି। ୨୦ରୁ ଅଧିକ ଅମ୍ବ୍ରେଲା ସେଡ୍ ରଖାଯାଇଛି। ୨ଟି ଆମ୍ଫିବିୟସ ହ୍ବିଲଚେୟାର ଅଷ୍ଟ୍ରେଲିଆରୁ ମଗାଯାଇଛି। ଏଥିରେ ଦିବ୍ୟାଙ୍ଗମାନେ ଲାଇଫ୍‌ଗାର୍ଡଙ୍କ ସହାୟତାରେ ସମୁଦ୍ର ଜଳରାଶିକୁ ଯାଇ ଭାସିବା ସହ ସ୍ନାନର ମଜା ନେଉଛନ୍ତି। ବିଚ୍ ପରିଚାଳନା କମିଟି (ବିଏମ୍‌ସି) ଓ ପୁରୀ ପୌରପାଳିକା ପକ୍ଷରୁ ଭିତ୍ତିଭୂମିର ବ୍ୟବସ୍ଥା ସହ ରକ୍ଷଣାବେକ୍ଷଣା କରାଯାଉଛି। ଏବେ ୫୨ଜଣ କର୍ମଚାରୀ ପରିଚାଳନା ଦାୟିତ୍ବରେ ନିୟୋଜିତ ଅଛନ୍ତି। ପର୍ଯ୍ୟଟକଙ୍କ ନିରାପତ୍ତା ଉପରେ ନଜର ରଖିବା ପାଇଁ ୧୧ଟି ସିସିଟିଭି ଲଗାଯାଇଛି।

publive-image

ସ୍ବାଗତ କରିବ ନୌକା ତୋରଣ

ନୂଆ ରୂପ ପାଇବ ନରେନ୍ଦ୍ର। ପୁଷ୍କରିଣୀର ନିଆରା ରୂପ ଦେଖିବେ ଭକ୍ତ। ସୁଦୃଶ୍ୟ ନୌକା ତୋରଣ ନରେନ୍ଦ୍ର ସରୋବରକୁ ଭକ୍ତଙ୍କୁ ସ୍ବାଗତ କରିବ। ଗ୍ରୀଷ୍ମ ଦାଉରୁ ଉପଶମ ପାଇଁ ମହାପ୍ରଭୁ ଏହି ସରୋବରରେ ୨୧ ଦିନ ଚନ୍ଦନ ଯାତ୍ରା ତଥା ଚାପ ଖେଳୁଥିବା ବେଳେ ଏହି କଥାବସ୍ତୁକୁ ତୋରଣରେ ରୂପ ଦିଆଯିବ। ପବିତ୍ର ସରୋବରର ପ୍ରବେଶ ପଥରେ ଶୋଭା ପାଇବ ସୁଦୃଶ୍ୟ ନୌକା ସଦୃଶ ତୋରଣ। ପୁଣି କାଚକେନ୍ଦୁ ଭଳି ଜଳରାଶି ଦେଖିବାକୁ ମିଳିବ। ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବ ପାଚେରି ଗାତ୍ରରେ ଖୋଣ୍ଡଲାଇଟ୍ ପଥରରେ ସୁସଜ୍ଜିତ କରାଯିବ। ପାହାଚଠୁ ନେଇ ପାଚେରି ପର୍ଯ୍ୟନ୍ତ କଳିଙ୍ଗ ସ୍ଥାପତ୍ୟର ସ୍ପର୍ଶ ଦେଖିବାକୁ ମିଳିବ। ସରୋବର ପାଚେରିକୁ ଗାତ୍ରରେ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପସ୍ଥାପନ ଲାଗି ୨୮୨ଟି ପ୍ୟାନେଲ୍‌ ନିର୍ମିତ ହେଉଛି। ପ୍ରାୟ ୧୮ କୋଟି ଟଙ୍କା ବିନିମୟରେ ନରେନ୍ଦ୍ର ପୁଷ୍କରିଣୀର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରାଯାଉଛି। ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରେ ନରେନ୍ଦ୍ର ସ୍ଥାନିତ ହୋଇ ନଥିଲେ ହେଁ ମହାପ୍ରଭୁ ଏହି ପୁଷ୍କରିଣୀରେ ୨୧ଦିନ ଚାପ ଖେଳୁଥିବାରୁ ଏହାର ପବିତ୍ର ସ୍ପର୍ଶ ପାଇଁ ବହୁ ତୀର୍ଥ ଯାତ୍ରୀଙ୍କ ସମାଗମ ହୁଏ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଚନ୍ଦନ ଲାଗି ହୋଇ ନୌକା ବିହାର କରିବାର ପରମ୍ପରା ଥିବାରୁ ଏବଂ ଏହି ଯାତ୍ରାକୁ ଚନ୍ଦନ ଯାତ୍ରା କୁହାଯାଉଥିବାରୁ ପୁଷ୍କରିଣୀର ଭିନ୍ନ ନାମ ଚନ୍ଦନ ସରୋବର। ନରେନ୍ଦ୍ର ପୁଷ୍କରିଣୀକୁ ପ୍ରବେଶ ପଥରେ ସୁଦୃଶ୍ୟ ତୋରଣରେ ପୁଷ୍କରିଣୀର ମହତ୍ତ୍ବ ଶୋଭା ପାଇବ।

ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁ ଏହି ସରୋବରରେ ନୌକା ବିହାର କରୁଥିବାରୁ ଏହାର ପ୍ରବେଶ ତୋରଣକୁ ନୌକା ରୂପ ଦିଆଯିବ। ଏହାବ୍ୟତୀତ ନରେନ୍ଦ୍ର ପୁଷ୍କରିଣୀ ପ୍ରଦକ୍ଷଣ କରିବାକୁ ୩ ମିଟରର ପାଦଚଲା ରାସ୍ତା ରହିବ। ସରୋବର କାନ୍ଥରେ ପ୍ୟାନେଲ୍‌ ମଧ୍ୟରେ ଦଶାବତାର, ମହାପ୍ରଭୁଙ୍କ ଶ୍ରୀମନ୍ଦିର, ରଥଯାତ୍ରା, ମନ୍ଦିର ତୋଳା, ଝୁଲଣ ଯାତ୍ରା, ପର୍ବପର୍ବାଣୀ, ବତିଶି ବେଶ, ମନ୍ଦିର ଭିତରର ନୀତିକାନ୍ତି, ମହାପ୍ରସାଦ ପ୍ରସ୍ତୁତି, ଶ୍ରୀକ୍ଷେତ୍ରର ସାହିଯାତ, ନରେନ୍ଦ୍ର ପୁଷ୍କରିଣୀ ଖନନର କଥାବସ୍ତୁ ଦେଖିବାକୁ ପାଇବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ। ବର୍ତ୍ତମାନ ସୁଦ୍ଧା ସରୋବର ପାଚେରିରେ ପ୍ୟାନେଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପଥର ମୂର୍ତ୍ତି ସ୍ଥାପିତ ହେଉଛି। ଗଙ୍ଗବଂଶ ସମୟର ଏହି ଐତିହ୍ୟ ପୁଷ୍କରିଣୀ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ବଖାଣିବାକୁ ଯାଉଛି। ଓବିସିସି (ଓଡ଼ିଶା ସେତୁ ନିର୍ମାଣ ନିଗମ) ପକ୍ଷରୁ ଉନ୍ନତୀକରଣ କରାଯାଉଛି। ନରେନ୍ଦ୍ର ପୁଷ୍କରିଣୀ ନବୀକରଣ ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ୩ ଫୁଟ୍‌ ପର୍ଯ୍ୟନ୍ତ ଜଳରାଶି ଶୁଖାଯାଇଛି। ପଥର କାମ ସରିବା ପରେ ପୁଷ୍କରିଣୀ ଚତୁଃପାର୍ଶ୍ବକୁ ଆଲୋକୀକରଣ କରାଯିବ। ପ୍ରବେଶ ପାଚେରି ଓ ଚତୁଃପାର୍ଶ୍ବ ପାଚେରି ଫୁଲ ଗଛରେ ସଜାଯାଉଛି। ଏହାବ୍ୟତୀତ ପୁଷ୍କରିଣୀ ନିକଟରେ ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ ଓ ପୋଷାକ ବଦଳ କକ୍ଷ ନିର୍ମାଣ କରାଯାଉଛି। ଓବିସିସି ପକ୍ଷରୁ ଏବିସିଏଲ୍‌ ତଥା ଆଚାର୍ଯ୍ୟ ବ୍ରଦର୍ସ କନଷ୍ଟ୍ରକ୍ସନ ଲିମିଟେଡ୍ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଓବିସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀଧର ରାଉତଙ୍କ କହିବା ମୁତାବକ, ଗୁଣାତ୍ମକ ଖୋଣ୍ଡଲାଇଟ୍ ପଥରରେ ସମସ୍ତ କାରୁକାର୍ଯ୍ୟ କରାଯାଉଛି। ପାହାଚଠୁ ପାଚେରି ପର୍ଯ୍ୟନ୍ତ, କଳାଚାତୁରୀ ଭରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ନରେନ୍ଦ୍ର ପୁଷ୍କରିଣୀର ରୋଚକ କିଂବଦନ୍ତି
ମାନବୀୟ ଲୀଳାଧାରୀ ମହାପ୍ରଭୁ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରନ୍ତି। କିଂବଦନ୍ତି ମୁତାବକ, ରଣପୁରର ରାଜା ନରେନ୍ଦ୍ରଦେବ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ଦିନେ ସେ ରାଜବାଟୀରେ ବୁଲୁଥିବା ବେଳେ କଖାରୁ ମଞ୍ଜି ଦେଖିଲେ। ରାଜା ସେହି ମଞ୍ଜିକୁ କୌତୂହଳବଶତଃ ନେଇ ସର୍ବରାକାରଙ୍କୁ ଦେଲେ। ତାଙ୍କୁ କହିଲେ, ଏହି କଖାରୁ ମଞ୍ଜିଟି ଶ୍ରୀଜଗନ୍ନାଥଙ୍କ ନାମରେ ପୋତିଦେବ। ଯାହା ଫଳିବ ତାହା ଠାକୁରଙ୍କୁ ଦେବ। ସର୍ବରାକାର ମଧ୍ୟ ମଞ୍ଜିଟିକୁ ଆଣି ପୋତିଦେଲେ। ମଞ୍ଜିଟି ୮ ଏକର ଜମି ପର୍ଯ୍ୟନ୍ତ ମାଡ଼ିଗଲା। ଦୀର୍ଘ ଦିନ ଗଛ ବଞ୍ଚିଲା। କଖାରୁ ଓ ଧାନରୁ ପ୍ରଚୁର ରୋଜଗାର ହେଲା। ସର୍ବରାକାର ସେ ସମସ୍ତ ଟଙ୍କା ନେଇ ଶ୍ରୀଜଗନ୍ନାଥଙ୍କୁ ଦେବା ଲାଗି ରଣପୁର ରାଜାଙ୍କ ନିକଟକୁ ଗଲେ। ରାଜା ସିନା ସେଦିନ କୌତୂହଳରେ ମଞ୍ଜିଟିକୁ ଦେଇଥିଲେ, କିନ୍ତୁ ସର୍ବରାକାରର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ। ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ରାଜା ସର୍ବରାକାରଙ୍କ ସହ ପୁରୀ ଗଜପତିଙ୍କ ପାଖକୁ ଆସିଲେ। ସେହି କଖାରୁ ବିକା ଟଙ୍କାରେ ନରେନ୍ଦ୍ର ପୁଷ୍କରିଣୀ ଖୋଳା ହେଲା। କଖାରୁ ଗଛ ଯେତେ ପର୍ଯ୍ୟନ୍ତ ମାଡ଼ିଥିଲା ସେପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀର ସୀମା ନିର୍ଦ୍ଧାରଣ ହେଲା।

ଶ୍ରୀମନ୍ଦିରର ସୁରକ୍ଷା କବଚ, ଜାଗାଘର

ପୁରୀ: ସାହି-ଭାଇ, ସଂଗୀତ-ପଙ୍ଗତର ସଂସ୍କୃତିରେ ସମୃଦ୍ଧ ଶ୍ରୀକ୍ଷେତ୍ର। ମହାପ୍ରଭୁ ଜଗତର ଅଭିଭାବକ। ପୁରୀବାସିନ୍ଦା ମଧ୍ୟ ନିଜ ପ୍ରଭୁଙ୍କ ଶ୍ରୀମନ୍ଦିରକୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ଲାଗି କାଳେକାଳେ ଅଣ୍ଟା ଭିଡ଼ିଛନ୍ତି। ଅସ୍ତ୍ର ଧରିଛନ୍ତି। ନିଜକୁ ଶକ୍ତ ଓ ଦୃଢ଼ କରିବାକୁ ଜାଗାଘର ଗଢ଼ିଛନ୍ତି। ସାହିସାହିରେ ପହିଲିମାନ ସୃଷ୍ଟି ପାଇଁ ଗଢ଼ି ଉଠିଛି ଜାଗାଘର। ଏହି ଜାଗାଘରଗୁଡ଼ିକ ଶ୍ରୀକ୍ଷେତ୍ର ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଜାଗଘରଗୁଡ଼ିକର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି ସରକାର। ଜାଗାଘର ଉତ୍କୃଷ୍ଟ ସ୍ଥାନ କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ଭକ୍ତି ସହିତ ଶକ୍ତି ଏକତ୍ର ହୋଇ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ୮ଟି ବହୁ ପୁରାତନ ସାହି ରହିଛି। ପ୍ରତି ସାହିରେ ସ୍ୱତନ୍ତ୍ର ଜାଗାଘର ରହିଛି। ପୁରୀରେ ପ୍ରାୟ ୬୦ଟି ଜାଗାଘର ରହିଛି। ଏହି ଜାଗାଘରଗୁଡ଼ିକରେ ସ୍ଥାନୀୟ ଯୁବକମାନେ ବିଭିନ୍ନ ପ୍ରକାରର ସାମରିକ ଅଭ୍ୟାସ କରିଥାନ୍ତି। ଯୁବକମାନେ ଏଠି କୁସ୍ତି-କସରତ, ବ୍ୟାୟାମ, ସନ୍ତରଣ ସମେତ ଖଡ଼୍‌ଗଚାଳନା ଓ ଲାଠିଚାଳନା ଭଳି ସାମରିକ ଅଭ୍ୟାସ କରିଥାନ୍ତି। ଜାଗାଘରଗୁଡ଼ିକ କେବଳ ଶାରୀରିକ ଶିକ୍ଷା ବା ପ୍ରଶିକ୍ଷଣ କେନ୍ଦ୍ର ନୁହେଁ। ଏଗୁଡ଼ିକୁ ମଧ୍ୟ ପାରମ୍ପରିକ ସାଂସ୍କୃତିକ ଅନୁଷ୍ଠାନ ଭାବରେ ବିବେଚନା କରାଯାଏ।

publive-image

କିଛି ଜାଗାଘର ନାଁ ସହିତ ଗଡ଼ ଜଡ଼ିତ। ଧ୍ୱଜଗଡ଼, ଲୁହାଗଡ଼, କଦମ୍ବଗଡ଼, ବଜ୍ରଗଡ଼, ଜୁବାଗଡ଼, ଜାଇଗଡ଼, ଚନ୍ଦାଗଡ଼ ଇତ୍ୟାଦି ନାମ ରହିଛିା ଗଡ଼ ଅର୍ଥ ହେଉଛି ଦୁର୍ଗ। କିଛି ଜାଗାଘର ସହିତ କୋଠ ଜଡ଼ିତ। ଯଥା: ଅର୍କକୋଠ, ଶଙ୍ଖକୋଠ, ନାଗକୋଠ, ମରିଚକୋଠ, ଯଦୁକୋଠ ଇତ୍ୟାଦି। ଅତୀତରେ ସଂଭ୍ରାନ୍ତ ଲୋକମାନେ ଜାଗାଘର ନିର୍ମାଣ ପାଇଁ ସ୍ବଇଚ୍ଛାରେ ଭୂମିଦାନ କରୁଥିଲେ। ତେଣୁ କେତେକ ଜାଗାଘରର ନାମ ସେହି ବଦାନ୍ୟ ବ୍ୟକ୍ତିମାନଙ୍କ ସ୍ମୃତିରେ ନାମିତ ହୋଇଛି। ଭଟ୍ଟଜାଗା, ଜମାଇ ଖୁଣ୍ଟିଆ ଜାଗା, ରାହାସ ମହାନ୍ତି ଜାଗା, ଅତଙ୍ଗ ତିଆଡ଼ି ଜାଗା ଓ ବାବୁ ମହାପାତ୍ର ଜାଗା ଇତ୍ୟାଦି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଜାଗାଘରଗୁଡ଼ିକର ଗୁରୁତ୍ୱ ଉପଲବ୍ଧି କରି ସେଗୁଡ଼ିକର ଉନ୍ନତୀକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ ସେଗୁଡ଼ିକର ସର୍ବବିଧ ଅଭିବୃଦ୍ଧି ନିମନ୍ତେ ହୋଇଥିବା କାର୍ଯ୍ୟଗୁଡ଼ିକ ତଦାରଖ କରି ସମୟାନୁସାରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସବୁ ଫଳବତୀ ହୋଇଥିବାରୁ ପୁରୀବାସୀ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବାରବାଟି ଜାଗାଘରର ସମ୍ପାଦକ ଶ୍ରୀ ମଦନ ମୋହନ ଖୁଣ୍ଟିଆ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପୁରୀ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଗୋପାଳଚନ୍ଦ୍ର ମହାସୁଆର କହିଛନ୍ତି ଯେ ବାରବାଟୀ ଜାଗାର ଆରାଧ୍ୟ ହେଉଛନ୍ତି ନୃସିଂହ ମହାପ୍ରଭୁ। ଅତିବଡ଼ୀ ଜଗନ୍ନାଥ ଦାସ ନୃସିଂହ ମହାପ୍ରଭୁଙ୍କୁ ପ୍ରଣିପାତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଆନ୍ତି ବୋଲି ଆମେ ପୂର୍ବ ପୁରୁଷମାନଙ୍କଠାରୁ ଶୁଣିଛୁ। ଏହି ଜାଗାଘରର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ବିଗତ ଦଶନ୍ଧି ମଧ୍ୟରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି। ନିୟମିତ ଏଠାରେ ଥିବା ମୁକ୍ତାକାଶ ବ୍ୟାୟାମଶାଳା, ଉଦ୍ୟାନ, ମନ୍ଦିରକୁ ବ୍ୟାୟାମ ଓ ପୂଜାର୍ଚ୍ଚନା ପାଇଁ ସାହି ଲୋକେ ଆସୁଛନ୍ତି। ଏଠାରେ ଯୁବକମାନେ କୁସ୍ତି, କସରତ, ଶରୀର ଚର୍ଚ୍ଚା ପ୍ରଶିକ୍ଷଣ ଲାଭ କରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସୁନାମ ଆଣିଛନ୍ତି।

ବିକାଶ ପଥରେ ଶ୍ରୀକ୍ଷେତ୍ର

ପୁରୀ: ବଦଳୁଛି ପୁରୀର ଚିତ୍ର। ବିକାଶର ପୁସ୍ତକରେ ଯୋଡ଼ି ହେଉଛି ଶ୍ରୀକ୍ଷେତ୍ରର ଉନ୍ନତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ପରିକ୍ରମା ପ୍ରକଳ୍ପର ପରିକଳ୍ପନା ସହ ବ୍ୟାବସାୟିକ ପ୍ରତିଷ୍ଠାନକୁ ମଜ୍‌ଭୁତ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବାସ୍ତବତାର ରୂପ ନେଇଛି। ପୁରୀ ସହରରେ ଠିଆ ହୋଇଛି, ତିନି ମାର୍କେଟ୍‌ କମ୍ପ୍ଲେକ୍ସ। ଆସନ୍ତା ଜାନୁଆରି ୧୭ ତାରିଖରେ ଏହି ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଲୋକାର୍ପିତ ହେବ।

୨୦୧୯ ମସିହାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିରର ଚାରିପାଖରୁ ୭୫ ମିଟର ଜମି ଅଧିଗ୍ରହଣ କରିଥିଲେ ରାଜ୍ୟ ସରକାର। ଅନେକ ବ୍ୟବସାୟୀ ସେମାନଙ୍କ ଜୀବିକା ହରାଇଥିଲେ। କିନ୍ତୁ ସେମାନଙ୍କୁ ଥଇଥାନ ଲାଗି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ଏଥିପାଇଁ ପୁରୀର ଦୁଇ ବହୁ ପୁରୁଣା ମୋଚିସାହି ମହୋଦଧି ମାର୍କେଟ୍‌ ଓ ମାର୍କେଟ୍‌ ଛକ ମ୍ୟୁନିସିପାଲଟି ମାର୍କେଟ୍‌କୁ ଭାଙ୍ଗି ନୂଆ ନିର୍ମାଣ କରାଯାଇଛି। ୧୦ହଜାର ୫୫୬ ବର୍ଗମିଟର ଜାଗାରେ ମୋଚିସାହି ମହୋଦଧି ମାର୍କେଟ୍‌ କମ୍ପ୍ଲେକ୍ସର ନିର୍ମାଣ କରାଯାଇଥିବା ବେଳେ ଏଥିରେ ୧୫୧ଟି ଦୋକାନ ଘର ରହିଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୪୧ କୋଟି ୨୫ ଲକ୍ଷ ଟଙ୍କା। କମ୍ପ୍ଲେକ୍ସ ଭିତରେ ରହିଛି ଅତ୍ୟାଧୁନିକ ସୁବିଧା ସହ ଲିଫ୍ଟ, ଅଗ୍ନିନିର୍ବାପକ ବ୍ୟବସ୍ଥା। ଏହି କମ୍ପ୍ଲେକ୍ସରେ ଅତି ଆରାମରେ ବିକ୍ରିବଟା କରିପାରିବେ ବ୍ୟବସାୟୀ ଓ ଗ୍ରାହକ। ସେହିପରି ୪୪ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ମାର୍କେଟ୍‌ ଛକ ମ୍ୟୁନିସିପାଲିଟି ମାର୍କେଟ୍‌ କମ୍ପ୍ଲେକ୍ସ। ୩ ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ରହିଛି ୫ଶହଟି ଦୋକାନ ଘର। ଗାଡ଼ି ପାର୍କିଂର ବ୍ୟବସ୍ଥା ସହ ସହଜ ହେବ କିଣାବିକା। କମ୍ପ୍ଲେକ୍ସ ଭିତରେ ଉନ୍ନତ ମାନର ଶୌଚାଳୟର ସୁବିଧା ମଧ୍ୟ କରାଯାଇଛି। ଏହା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ଲାଗି ଉଦ୍ଦିଷ୍ଟ। ବ୍ୟବସାୟୀଙ୍କୁ ଦୋକାନ ବି ବଣ୍ଟାସରିଛି। ଏ ନେଇ ପୁରୀ ପୌରପାଳିକା ପକ୍ଷରୁ ତାଲିକା ମଧ୍ୟ ପ୍ରସ୍ତୁତି ସରିଛି। ଅତ୍ୟାଧୁନିକ ଉପାୟରେ ଠିଆ ହୋଇଥିବା ଏହି କମ୍ପ୍ଲେକ୍ସଗୁଡ଼ିକ ଦେଖିବାକୁ ଖୁବ୍‌‌ ସୁନ୍ଦର। ଏହାର ପ୍ରଥମ ମହଲାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ ବ୍ୟବସାୟୀ ସେମାନଙ୍କ ଜୀବିକା ହରାଇଥିଲେ, ସେମାନଙ୍କୁ ଥଇଥାନ କରାଯିବ। ଏନେଇ ନିର୍ଦ୍ଧାରିତ ଏସ‌୍ଓପି ଆଧାରରେ ସେମାନଙ୍କୁ ଦିଆଯାଇଛି ଦୋକାନଘର। ବଡ଼ଠାକୁରଙ୍କ ବଡ଼ଦାଣ୍ଡରେ ଖୁବ୍‌‌ ଜମେ କିଣାବିକା। ଏହି କମ୍ପ୍ଲେକ୍ସ ବ୍ୟବସାୟର ଏକ ଉତ୍ତମ ମାଧ୍ୟମ ସାଜିବ ବୋଲି ଆଶା କରାଯାଉଛି। ପୁରୀ ଓ ବାହାର ପର୍ଯ୍ୟଟକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି।

publive-image

ଗରିବ ତୀର୍ଥଯାତ୍ରୀଙ୍କୁ ମିଳିବ ଆତିଥେୟତା
ପୁରୀ: ଅର୍ଥାଭାବ ଆଉ ଶ୍ରୀକ୍ଷେତ୍ର ରହଣିରେ ବାଧକ ହେବ ନାହିଁ। ଢୁଢୁ ବର୍ଷାରେ ଆଉ ଖୋଲା ଆକାଶ ତଳେ ରାତି କାଟିବାକୁ ପଡ଼ିବ ନାହିଁ। ଗରିବଙ୍କ ପକେଟକୁ ସୁହାଇବା ଭଳି ନିର୍ମିତ ହେଉଛି ଧର୍ମଶାଳା। ରଥଯାତ୍ରା ଓ ଅନ୍ୟ ଯାନିଯାତ୍ରା ବେଳେ ଶ୍ରୀକ୍ଷେତ୍ରକୁ ଆସୁଥିବା ଗରିବ ତୀର୍ଥଯାତ୍ରୀମାନେ ଅର୍ଥାଭାବରୁ ବଡ଼ଦାଣ୍ଡରେ କିମ୍ବା କାହା ପିଣ୍ଡାରେ ରାତି କାଟୁଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ନୂଆ ଧର୍ମଶାଳା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଗରିବଙ୍କ ରହଣି ସମସ୍ୟାର ସମାଧାନ ଲାଗି ଏବେ ବାସେଳି ସାହି ଥାନା ପଛ ପାର୍ଶ୍ବରେ ପ୍ରାୟ ୧୧ ଏକର ଜମିରେ ୩ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ ହେଉଛି।ହୋଟେଲ ଓ ଲଜ୍‌ରେ ରହଣି ପାଇଁ ଯେପରି ଗରିବ ଭକ୍ତମାନେ ଚଢ଼ା ଦରର ଶିକାର ନହେବେ ସେଇ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ସ୍ବତନ୍ତ୍ର ଧର୍ମଶାଳା ନିର୍ମିତ ହେଉଛି। ବଡ଼ଦାଣ୍ଡରେ ଶୀତ କାକରରେ ଖୋଲା ଆକାଶ ତଳେ ଯେପରି କେହି ରାତି ନକାଟିବେ ସେନେଇ ଗୁରୁତ୍ବ ଦିଆଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ସାଧାରଣ ଗରିବ ତୀର୍ଥଯାତ୍ରୀଙ୍କୁ ଆତିଥେୟତା ଦେବା ପାଇଁ ନିର୍ମାଣ କରୁଛନ୍ତି ଶସ୍ତା ଧର୍ମଶାଳା। ମାତ୍ର ୨ଶହରୁ ୪ଶହ ଟଙ୍କା ଦେଇ ଭକ୍ତମାନେ ଶ୍ରୀକ୍ଷେତ୍ରରେ ରାତି ବିତାଇପାରିବେ। ଏହି ଧର୍ମଶାଳା ମଧ୍ୟରେ ପ୍ରାୟ ୩ ହଜାର ତୀର୍ଥଯାତ୍ରୀ ତଥା ଭକ୍ତ ଏକକାଳୀନ ରହିବାର ସୁବିଧା ପାଇବେ। ଭକ୍ତଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ କ୍ୟାଣ୍ଟିନ୍‌ର ବ୍ୟବସ୍ଥା ରହିବା ନେଇ ପରିକଳ୍ପନା କରାଯାଇଛି। ବିଶେଷକରି ଗରିବ ଓ ବରିଷ୍ଠ ନାଗରିକମାନେ ଯେପରି ପୁରୀରେ ରହିବାକୁ ଅର୍ଥର ବୋଝ ନମୁଣ୍ଡାନ୍ତି, ସେଥିପାଇଁ ସରକାର ଏହି ମହତ୍‌ ପ୍ରକଳ୍ପର ପରିକଳ୍ପନା କରିଛନ୍ତି।

ପ୍ରଦକ୍ଷିଣ ମାର୍ଗ ସ୍ପର୍ଶ କରିବନି ଅଳିଆ:ଲାଗିଲା ଦୁଇଟି ଗାର୍ବେଜ୍‌ ଚୁଟ୍

ପୁରୀ: ମେଘନାଦ ପାଚେରି କଡ଼ରେ ଆଉ ଗଦା ହେବନାହିଁ ଆବର୍ଜନା। ପ୍ରଦକ୍ଷିଣ ମାର୍ଗ ସ୍ପର୍ଶ କରିବ ନାହିଁ ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟ। ଶ୍ରୀମନ୍ଦିର ପାଚେରି କଡ଼ରେ ଫିଙ୍ଗା ଯାଉଥିବା ଅଳିଆ ଏଣିକି ଗାର୍ବେଜ ଚୁଟ୍‌ ମାଧ୍ୟମରେ ବାହାରକୁ ଆସିବ। ବହୁ ସମୟ ଧରି ଖୋଲାମେଲାରେ ଜମା ହୋଇ ରହିବ ନାହିଁ କିଂବା ଦୁର୍ଗନ୍ଧ ହେବ ନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୋଭାରେ ଯେପରି ଅଳିଆ ବାଧକ ନସାଜେ ସେଥିପାଇଁ ସ୍ଥାପିତ ଉତ୍ତର ଓ ଦକ୍ଷିଣ ଦ୍ବାର ପାର୍ଶ୍ବରେ ପ୍ରତିଷ୍ଠା ହୋଇଛି ଦୁଇଟି ଗାର୍ବେଜ୍‌ ଚୁଟ୍‌। ଗାର୍ବେଜ ଚୁଟ୍‌ ଦ୍ବାରା ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ହେବା ପରେ ପରିକ୍ରମା ମାର୍ଗ ପ୍ରଦକ୍ଷିଣ ବେଳେ ଆଉ ଦୁର୍ଗନ୍ଧ ହେବ ନାହିଁ କି ଅଳିଆ ଆବର୍ଜନା ପରିକ୍ରମା କ୍ଷେତ୍ରକୁ ଅଶୋଭନୀୟ କରିବ ନାହିଁ। ଅତ୍ୟାଧୁନିକ ଉପାୟରେ ଏଗୁଡ଼ିକ ଗାର୍ବେଜ୍‌ ଚୁଟ୍‌ ମାଧ୍ୟମରେ ବାହାରକୁ ଆସିବ। ଆଧୁନିକ ଜ୍ଞାନକୌଶଳର ଉପଯୋଗ ସହ ମେଘନାଦ ପାଚେରି କଡ଼ରେ ଦୁଇଟି ଗାର୍ବେଜ୍‌ ଚୁଟ୍‌ ସ୍ଥାପିତ ହୋଇଛି। ଏଣିକି ଶ୍ରୀମନ୍ଦିର ମଧ୍ୟରେ ନିୟୋଜିତ କର୍ମଚାରୀମାନେ ସମସ୍ତ ବର୍ଜ୍ୟ ଆଣି ସିଧାସଳଖ ଗାର୍ବେଜ୍‌ ଚୁଟ୍‌ରେ ପକାଇବେ।

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅବଢ଼ା ଖାଇବା ପାଇଁ ବ୍ୟବହୃତ ପତ୍ର, ଦୈନନ୍ଦିନ ବାହାରୁଥିବା ପୂଜା ସାମଗ୍ରୀ, ଅବଢ଼ା କୁଡ଼ୁଆ ଆଦି ଉତ୍ତର ଓ ଦକ୍ଷିଣ ଦ୍ବାର ପାର୍ଶ୍ବ ମେଘନାଦ ପାଚେରି କଡ଼ରେ ପକାଯାଉଥିଲା। ପରେ ସେଗୁଡ଼ିକ କୈବଲ୍ୟ ଯାନରେ ସେଠାରୁ ଖାଲି କରିବାର ବ୍ୟବସ୍ଥା ହେଉଥିଲା। ତେବେ ବହୁ ସମୟ ଧରି ପାହାଡ଼ ଆକାରର ଆବର୍ଜନା ଗଦା ହୋଇ ରହୁଥିବାରୁ ଦୁର୍ଗନ୍ଧ ହେଉଥିଲା। ମେଘନାଦ ପାଚେରି ପାର୍ଶ୍ବ ଦେଇ ଯାଉଥିବା ଭକ୍ତମାନେ ଦୁର୍ଗନ୍ଧ ଯୋଗୁ ଅତିଷ୍ଠ ହୁଅନ୍ତି। ଏବେ ପ୍ରଦକ୍ଷିଣ ମାର୍ଗ କାର୍ଯ୍ୟ ଚାଲୁଥିବା ବେଳେ ଭକ୍ତମାନଙ୍କ ପାଇଁ ମାର୍ଗକୁ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ଯେପରି ଏହି ଶୋଭା ନଷ୍ଟ ନହୁଏ ଓ ଏହି ଆବର୍ଜନା ଗଦା ଭକ୍ତଙ୍କ ମଧ୍ୟରେ ନକାରାତ୍ମକ ଭାବନା ସୃଷ୍ଟି ନକରେ, ସେଥିପାଇଁ ଏହି ଗାର୍ବେଜ୍‌ ଚୁଟ୍‌ ପ୍ରତିଷ୍ଠା କରାଯାଉଛି। ପରିକ୍ରମା ମାର୍ଗ ପ୍ରଦକ୍ଷିଣ ପଥରେ ଉତ୍ତର ଓ ଦକ୍ଷିଣ ଦ୍ବାର ପାର୍ଶ୍ବରେ ପ୍ରାୟ ୯ ମିଟର ଉଚ୍ଚ ଓ ପ୍ରାୟ ୩ ଫୁଟ ବ୍ୟାସାର୍ଦ୍ଧ ବିଶିଷ୍ଟ ଗାର୍ବେଜ୍‌ ଚୁଟ୍‌ ସ୍ଥାପିତ ହୋଇଛି।

publive-image

ଏହି କାର୍ଯ୍ୟରେ ନିୟୋଜିତ ଭବାନୀପାଟଣା ମେଡିକାଲ୍‌ କଲେଜର ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି, ବଡ଼ ବଡ଼ ଆପାର୍ଟମେଣ୍ଟରେ ଅଳିଆ ତଳକୁ ପକାଇବା ଲାଗି ଏଭଳି ଗାର୍ବେଜ୍‌ ଚୁଟ୍‌ର ବ୍ୟବହାର କରାଯାଏ। ତେବେ ମେଘନାଦ ପାଚେରି ସଂଲଗ୍ନ ଗାର୍ବେଜ୍‌ ଚୁଟ୍‌ ଦୃଢ଼ ଓ ଦୀର୍ଘସ୍ଥାୟୀ। ଏକ ମେସିନ ସହଯୋଗରେ ଗାର୍ବେଜ୍‌ ଚୁଟ୍‌ରେ ଅଳିଆ ପକାଇବାର ବ୍ୟବସ୍ଥା ରହିଛି। ମାତ୍ର ଶ୍ରୀମନ୍ଦିର ମଧ୍ୟରେ ଯନ୍ତ୍ରର ବ୍ୟବହାର ହେବ ନାହିଁ। ଅଳିଆ ଆଣି କର୍ମଚାରୀମାନେ ନିଜେ ଚୁଟ୍‌ ମଧ୍ୟରେ ପକାଇବେ। ଅଳିଆ ପଡ଼ିବା ପରେ ଏହା ଚୁଟ୍‌ର ତଳ ପାର୍ଶ୍ବରେ ସଂଯୋଗ ହୋଇଥିବା ଟ୍ରଲିରେ ପଡ଼ିବ। ସେଠାରୁ ଟ୍ରଲିକୁ ଟ୍ରାକ୍ଟର କିମ୍ବା ଅନ୍ୟ ଯାନ ଦ୍ବାରା ବାହାରକୁ ନିଆଯିବ। ପରିକ୍ରମା ମାର୍ଗ ଯେପରି ଅଳିଆ ସ୍ପର୍ଶ ନକରିବ, ସେନେଇ ଗୁରୁତ୍ବ ଦିଆଯାଉଛି। ମିଳିଥିବା ସୂଚନା ମୁତାବକ, ଭବିଷ୍ୟତରେ ଏହି ଗାର୍ବେଜ ଚୁଟ୍‌ରେ ଏକ ରିସାଇକ୍ଲିଂ ତଥା ପୁନଃଚକ୍ରଣ ମେସିନ୍‌ ଖଞ୍ଜାଯିବ। ମେସିନ୍‌ଟି ଏହି ଅଳିଆକୁ ପୃଥକ କରି ବାନ୍ଧି ଦେବ। ଏହାଦ୍ବାରା ଅଳିଆ ପୃଥକୀକରଣ ସହ ପ୍ରକ୍ରିୟାକରଣ ସହଜ ହେବ। ଏହି ଗାର୍ବେଜ୍‌ ଚୁଟ୍‌ରେ ଆକ୍ସେସ୍‌ ଡୋର୍‌, ବ୍ରସିଂ ଡିଭାଇସ୍‌, ଫ୍ରି କଟ୍‌ଅଫ୍‌ ଡୋର୍‌ ଆଦି ରହିବ। ଆବର୍ଜନା ପରିଚାଳନା ପାଇଁ ପ୍ରଥମଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିକ୍ରମା ମାର୍ଗର ସୌନ୍ଦର୍ଯ୍ୟରେ ଯେପରି କୌଣସି ପ୍ରକାରର ବୁଝାମଣା କରାନଯାଏ ଓ ଦୀର୍ଘସ୍ଥାୟୀ କାମ ହୁଏ ସେନେଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଆଧୁନିକ ବ୍ୟବସ୍ଥାମାନ ଆପଣାଯାଇଛି।