ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୁଣିଥରେ ଅନୁମତି ମାଗିଲା ସଂସ୍କୃତି ବିଭାଗ

୧୪ଟି ନୂଆ ନିର୍ମାଣ, ୨ଟି ମରାମତି ଉପରେ ଚିଠି, ନିଷିଦ୍ଧାଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଅନୁମତି ମାଗିଲେ

ପୁରୀ: ବେଶ୍‌ କିଛିଦିନର ନିରବତା ପରେ ପୁଣିଥରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏନ୍‌ଏମ୍‌ଏ(ନ୍ୟାସନାଲ୍‌ ମନୁମେଣ୍ଟ୍‌ ଅଥରିଟି)କୁ ଅନୁମତି ମାଗିଛି। ଗତ ଜୁଲାଇ ୧୫ ତାରିଖ(ଚିଠି ସଂଖ୍ୟା-୩୯୪୮/୨୫.୭.୨୦୨୨) ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏନ୍‌ଏମ୍‌ଏ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ପୂର୍ବ କଥାକୁ ଦୋହରାଇ ପୁଣିଥରେ ଏହି ପ୍ରକଳ୍ପ ପାଇଁ ଶ୍ରୀ ଦାସ ଅନୁମତି ଦେବାକୁ ନିବେଦନ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯେଉଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର(ଶ୍ରୀଜଗନ୍ନାଥ ରିସେପ୍ସନ୍‌ ସେଣ୍ଟର)କୁ ନେଇ ବିବାଦ ମୁଣ୍ଡ ଟେକିବାପରେ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି ନିଷ୍ପତ୍ତି ନେଇଥିଲା, ତାକୁ ପୁନର୍ବାର ନିଷିଦ୍ଧାଞ୍ଚଳରେ ନିର୍ମାଣ କରିବାକୁ ଅନୁମତି ମଗାଯାଇଛି। ଏଭଳି ସ୍ଥିତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗଠାରୁ ଅନୁମତି ଲୋଡ଼ାଯାଇଥିବାବେଳେ ପୁଣିଥରେ ଚିଠି ଲେଖି ଅନୁମତି ମାଗିବା ପଛରେ କି ରହସ୍ୟ ରହିଛି ବୋଲି ଭକ୍ତ ଓ ସେବାୟତ ମହଲ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ, ଆମ୍‌ସାର ଆଇନ-୧୯୫୮ ଓ ସଂଶୋଧିତ ଆଇନ-୨୦୧୦ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି। ଚିଠିରେ ପ୍ରକଳ୍ପର ସମ୍ପୂର୍ଣ୍ଣ ରୂପରେଖ ଉଲ୍ଲେଖ କରାଯିବା ସହ ୧୪ଟି ନୂଆ ନିର୍ମାଣ ଓ ଦୁଇଟି ମଠର ପୁନରୁଦ୍ଧାର ପାଇଁ ଅନୁମତି ମଗାଯାଇଛି। ନୂଆ ନିର୍ମାଣ ଭିତରେ କେବଳ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ଛାଡ଼ିଦେଲେ ବାକି ନିର୍ମାଣ ନିଷିଦ୍ଧାଞ୍ଚଳରେ କରିବାକୁ ଅନୁମତି ମଗାଯାଇଛି। ପ୍ରଶାସନିକ କୋଠାକୁ ନିୟନ୍ତ୍ରିତ ଅଞ୍ଚଳରେ କରିବାକୁ ଅନୁମତି ମଗାଯାଇଛି। ବାକି ନିଷିଦ୍ଧାଞ୍ଚଳରେ ମଗାଯାଇଥିବା ନୂଆ ନିର୍ମାଣ ଭିତରେ କ୍ଲୋକ୍‌ ରୁମ, ମିନି କ୍ଲକ ରୁମ୍‌, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ସୂଚନା ଓ ଦାନ କିଓସ୍କ, ସେଲ୍‌ଟର୍‌ ପାଭିଲିୟନ୍‌, ମହିଳା ଓ ପୁରୁଷ ‌ଶୌଚାଳୟ, ପୁଲିସ ସେବାକେନ୍ଦ୍ର, ଏଟିଏମ୍‌ କିଓସ୍କ, ଇଲେକ୍ଟ୍ରିକାଲ୍‌ ରୁମ, ଆଶୁ ଚିକିତ୍ସା କେନ୍ଦ୍ର, ପେଭ୍‌ମେଣ୍ଟ ଅଞ୍ଚଳ ଆଦି ରହିଛି। ସେହିଭଳି ବଡ଼ଛତା ମଠ ଓ ଛାଉଣି ମଠର ମରାମତି ଓ ପୁନରୁଦ୍ଧାର ପାଇଁ ଅନୁମତି ମଗାଯାଇଛି। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ କୋଣରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଛି।

ଦକ୍ଷିଣ-ପୂର୍ବ କୋଣରେ ଏମାର ମଠ ଜାଗାକୁ ଲାଗି ୨୬୩୮.୯୧୧ ବର୍ଗମିଟର ଜାଗାରେ ଏହି ଅଭ୍ୟର୍ଥନା କେନ୍ଦ୍ର ପାଇଁ ୧୩.୨୦୮ ମିଟର ଉଚ୍ଚର ତିନି ମହଲା(ଜି+୨) କୋଠା ନିର୍ମାଣର ଲକ୍ଷ୍ୟ ରହିଛି। କିନ୍ତୁ, ଏହାକୁ ନେଇ ଉଭୟ ଏନ୍‌ଏମ୍‌ଏ ଓ ପ୍ରତ୍ନତତ୍ତ୍ବ ବିଭାଗ ଆପତ୍ତି ଉଠାଇବା ସହ ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ଏହି ନିର୍ମାଣ କରାଯାଉଥିବା ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କୁ ଅବଗତ କରିବା ପରେ ଅଭ୍ୟର୍ଥନା କେନ୍ଦ୍ରର ଉଚ୍ଚତା କମାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଅଧିକ ଉଚ୍ଚର କୋଠା ମେଘନାଦ ପାଚେରି ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ତଥା ଐତିହ୍ୟକୁ ଅଢ଼ୁଆଳ କରିବ ବୋଲି ଦର୍ଶାଇ ଅଭ୍ୟର୍ଥନା କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ବାହାରେ କରିବା ସହ କୋଠାର ଉଚ୍ଚତା ଅତିବେଶିରେ ୧୦ ମିଟର ଭିତରେ ରଖିବାକୁ କୁହାଯାଇଥିଲା। ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକରେ ଅଭ୍ୟର୍ଥନା କେନ୍ଦ୍ରକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ସହ ଉଚ୍ଚତା କମାଇବାକୁ ନିଷ୍ପତ୍ତି ହୋଇଥିଲା। ଏଣୁ ପୁଣିଥରେ ଏହାକୁ ନିଷିଦ୍ଧାଞ୍ଚଳରେ କରିବାକୁ ସଂସ୍କୃତି ବିଭାଗ ଅନୁମତି ମାଗିବା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର