ପୁରୀ: ସ୍ନାନବେଦିରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀବିଗ୍ରହ। ଅଣସର ପିଣ୍ଡିରେ ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା। ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧର(ଦଇତାପତି)ମାନେ ଏହି ଗୁପ୍ତସେବାରେ ଲାଗିଛନ୍ତି। ଗତକାଲି ଶଯ୍ୟାଶାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି କରାଯାଇଥିଲା। ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗରେ ଓଷ ଲାଗି ହୋଇଛି। ଏହି ଓଷ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ। ତିନିଦିନ ଧରି ମହାପ୍ରଭୁଙ୍କ ଏହି ଓଷ ଉପଚାର ଚାଲିବ।

Advertisment

ପ୍ରତିଦିନ ଭଳି ଆଜି ପଟିଦିଅଁଙ୍କଠାରେ ମଧ୍ୟାହ୍ନ ଧୂପ ସରିବା ପରେ ଅଣସର ଦ୍ୱାର ଫିଟାଯାଇ ଏହି ଗୁପ୍ତ ସେବା ଆରମ୍ଭ ହୋଇଥିଲା। ଦଇତାପତି ସେବକମାନେ ବେହେରଣ ଦ୍ବାର ଦେଇ ଅଣସର ଘରେ ପ୍ରବେଶ ପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଓଷ ମର୍ଦ୍ଦନ କରିଥିଲେ। ଅଣସର ଘରେ ଗୁପ୍ତସେବା ସରିବା ପରେ ଦଇତାପତି ସେବକମାନେ ବାହାରିବା ସହ ପୁଣିଥରେ ଅଣସର ଦ୍ୱାର ବନ୍ଦ ହୋଇଥିଲା। ପରେ ପଟିଦିଅଁଙ୍କ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ସ୍ନାନଯାତ୍ରା ପରଠାରୁ ଅଣସର ଘରେ ଥିବା ମହାପ୍ରଭୁଙ୍କ ଦୈନିକ ନୀତି ପ୍ରତିଦିନ ଏଭଳି ଚାଲିଆସୁଛି। ଉଲ୍ଲେଖ‌ଯୋଗ୍ୟ ଯେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ମହାପ୍ରଭୁ ଚକାବିଜେ କରିବେ।

ଫୁଲୁରି ତେଲ ଓ ଓଷ ମର୍ଦ୍ଦନ ହେବାପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି। ସାମାନ୍ୟ ସୁସ୍ଥତା ପରେ ମହାପ୍ରଭୁ ଚକା ଉପରେ ବିଜେ କରିବେ। ଚକା ବିଜେ ପରଦିନ ମହାପ୍ରଭୁଙ୍କୁ ରକ୍ତବସ୍ତ୍ର, ଦଶମୂଳ ଓ ଖଳି ଲାଗି କରାଯିବ। ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ପରେ ପରେ ଘଣାଲାଗି ଓ ବନକଲାଗି ନୀତି ଅନୁଷ୍ଠିତ ହେବ। ରାଜନଅରକୁ ଖଡ଼ି ପ୍ରସାଦ ବିଜେ କରିବ। ବନକଲାଗି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବେ। ଚକା ଅପସର ସହ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଏହି ଦିନ ବାହୁଟକଣ୍ଟ ଓ ସେନାପଟା ଲାଗି ହେବ।